କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲା କାଶୀପୁରରେ କଲେରା ମହାମାରୀ ବ୍ୟାପିଛି । ପ୍ରତିଦିନ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ଆକ୍ରାନ୍ତଙ୍କ ମୃତ୍ୟୁ ବି ହେଉଛି । ଏହାରି ଭିତରେ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜୋରଦାର ପ୍ରୟାସ କରୁଛି ସ୍ୱାସ୍ଥ୍ୟ ବିଭାଗ । କଲେରା ପ୍ରବଣ କାଶୀପୁରରେ ଗ୍ରାଉଣ୍ଡ ଜିରୋରେ ପହଂଚି ସ୍ଥିତି ପରଖୁଛି କନକ ନ୍ୟୁଜ୍ । ଆଉ ଟିଭି କ୍ୟାମେରାରେ କଏଦ ହେଉଛି ସ୍ୱାସ୍ଥ୍ୟସେବାର ଦୁଇଟି ଚିତ୍ର । ଗୋଟିଏ ଘରୋଇ ସ୍ୱାସ୍ଥ୍ୟସେବା ଓ ଅନ୍ୟଟି ସରକାରୀ । ଉକ୍ରଳ ଆଲୁମିନା କମ୍ପାନୀ ଦ୍ୱାରା ଟିକିରି ଓ ଓସାପଡ଼ାରେ ସ୍ଥାନୀୟ ଲୋକଙ୍କ ପାଇଁ ଏକ ମଲଟି ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ କରାଯାଇଛି । ଏବେ ଅଂଚଳରେ କଲେରା ବ୍ୟାପିଥିବାରୁ ୫୦ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ହଇଜା ୱାର୍ଡ ନିର୍ମାଣ କରି ଚିକିତ୍ସା ଚାଲିଛି । ହସ୍ପିଟାଲରେ ଅଛନ୍ତି ୧୩ ଜଣ ବିଶେଷଜ୍ଞ ଡାକ୍ତର । ପ୍ରତିଟି ବେଡରେ ଅକ୍ସିଜେନ୍ ଲାଗିଛି । ସିଟି ସ୍କାନ, ଏକ୍ସରେ ଓ ମାଇକ୍ରୋ ବାୟୋଲୋଜି ଲ୍ୟାବ ମଧ୍ୟ ରହିଛି । କମ୍ପାନୀ ପରିଚାଳିତ ଏହି ହସ୍ପିଟାଲରେ ରୋଗୀଙ୍କୁ ଯୋଗାଇ ଦିଆଯାଉଛି ମାଗଣା ସ୍ୱାସ୍ଥ୍ୟସେବା । ଏପଟେ ସରକାରଙ୍କ ଦ୍ୱାରା ପରିଚାଳିତ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ମାତ୍ର ଅସ୍ୱାସ୍ଥ୍ୟକର ଶୌଚାଳୟ ରହିଛି । ବର୍ଷା ହେଲେ ଛାତରୁ ପାଣି ଗଳୁଛି ତ ସିମେଂଟ ଖସୁଛି । ହସ୍ପିଟାଲରେ ମାତ୍ର ଦୁଇଟି ବେଡ୍ ଥିଲା । ଏବେ ହଇଜା ବ୍ୟାପିବା ପରେ ବେଡ୍ ସଂଖ୍ୟା ବଢ଼ାଯାଇଛି । ଡାକ୍ତର ଆଦୌ ନଥିଲେ, କଲେରା ଦେଖାଦେବାରୁ ଡେପୁଟେସନରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମୁତୟନ କରାଯାଇଛି ।

Advertisment

ଆପଣ ଜାଣନ୍ତି ବର୍ଷ ବର୍ଷ ଧରି ରାଜ୍ୟ ସରକାର ଲୋକଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପ୍ରତିବର୍ଷ ବଜେଟରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ବ୍ୟୟବରାଦ ହେଉଛି । ଚଳିତ ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ରାଜ୍ୟ ସରକାର ୧୨ହଜାର ୬୨୪ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଯାହା ଗତବର୍ଷ ତୁଳନାରେ ୩୮ ପ୍ରତିଶତ ଅଧିକ । କାରଣ ୨୦୨୧ରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ୯ହଜାର ୧୬୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । କେବଳ ବିଜୁ ସ୍ୱାସ୍ଥ୍ୟ ପାଇଁ ଚଳିତ ବର୍ଷ ୨ହଜାର ୬୬୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ପାଇଁ ୨ହଜାର ୩୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ହେଲେ ରାୟଗଡ଼ା ଜିଲ୍ଲା ଟିକିରିରେ ଥିବା ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥାକୁ ଦେଖିଲେ ଲାଗୁଛି ଟଙ୍କା ବରାଦ ହେଉଛି ସତ, କିନ୍ତୁ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଂଚୁଛି ତ ?

ଆମ ମନରେ ଧାରଣା ରହିଛି ଯେ ବେସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼େ । ତେଣୁ ଏଠାରେ ପଇସା ନେଇ ଭଲ ଚିକିତ୍ସା ଯୋଗାଇ ଦିଆଯାଏ । ହେଲେ କମ୍ପାନୀ ଗୁଡ଼ିକର ସିଏସଆର ବା ସାମାଜିକ ଦାୟିତ୍ୱବୋଧ ମଧ୍ୟ ରହିଛି । ସେହି ନିୟମରେ ରାୟଗଡ଼ା ଜିଲ୍ଲା ଟିକିରିରେ ଏକ ଘରୋଇ ହସ୍ପିଟାଲ ପରିଚାଳନା କରୁଛି ଉକ୍ରଳ ଆଲୁମିନା କମ୍ପାନୀ । ଏବେ ଅଂଚଳରେ ମହାମାରୀ ବ୍ୟାପିଥିବାରୁ କଲେରା ଆକ୍ରାନ୍ତଙ୍କୁ କମ୍ପାନୀ ପରିଚାଳିତ ଏହି ହସ୍ପିଟାଲରେ ସ୍ୱତନ୍ତ୍ର ୫୦ଟି ବେଡ୍ କରି ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି ।