କନକ ବ୍ୟୁରୋ : ନବମ ଶ୍ରେଣୀ ଅଧାରୁ ପାଠ ଛାଡି ଟିସି ନେବାର ତିନି ମାସ ପରେ ମାଟ୍ରିକ୍ ପାସ୍ କଲେ ଛାତ୍ର । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟରେ । ଭିତର ମୁସକିନି ଗ୍ରାମର ଛାତ୍ର ପିଂଟୁ ମାଝୀ ଗତ ୨୦୨୦ରେ ନବମ ଶ୍ରେଣୀ ଅଧାରୁ ପାଠ ଛାଡି ସାର୍ଟିଫିକେଟ ଆବେଦନ କରିଥିଲେ । ତାଙ୍କୁ ସାର୍ଟିଫିକେଟ ମଧ୍ୟ ମିଳିଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଛାତ୍ର ଜଣକ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପରୀକ୍ଷାରେ ଡି ଗ୍ରେଡରେ ପାସ କରିଛନ୍ତି ।
ପ୍ରଧାନ ଶିକ୍ଷକ କହିବା ଅନୁସାରେ ଛାତ୍ର ଜଣଙ୍କ ଟିସି ନେବା ପରେ ପୁଣି ନାମ ଲେଖାଇ ଥିଲେ । ତେବେ ସେ ନବମରେ ନାମ ଲେଖାଇଥିବା ବେଳେ ମାଟ୍ରିକ ପାସ କଲେ କିପରି । ହେଲେ ଛାତ୍ରଙ୍କ ଅଭିଯୋଗ ପ୍ରଧାନ ଶିକ୍ଷକଙ୍କୁ ଲାଂଚ ଦେଇ ମାଟ୍ରିକ୍ ପାସ୍ କରିଛନ୍ତି । ଏପରି ଅଭିଯୋଗକୁ ପ୍ରଧାନ ଶିକ୍ଷକ ଖଣ୍ଡନ କରିଛନ୍ତି । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ।