କନକ ବ୍ୟୁରୋ : ଆଦିବାସୀଙ୍କ ଆର୍ଥୀକ ସ୍ଥିତିରେ ଉନ୍ନତି ଆଣିବାରେ ଯେଉଁ କିଛି ଜଙ୍ଗଲଯାତ ଦ୍ରବ୍ୟ ରହିଛି ସେଥିମଧ୍ୟରୁ ପଣସ ଅନ୍ୟତମ । ଜିଲ୍ଲାର ବିଭିନ୍ନ ଅଚଂଳରୁ ବର୍ଷକୁ ୨୦ରୁ ୨୫ ହଜାର କୁଇଂଟାଲରୁ ଅଧିକ ପଣସ ଉତ୍ପାଦନ ହେଉଥିବା ବେଳେ କେବଳ ନିୟମଗିରି ଅଂଚଳର ୬୦ଟି ଗାଁରୁ ବାହାରୁଛି ୮ରୁ ୯ ହଜାର କୁଇଟାଂଲ ପଣସ । ଦିନ ଥିଲା ରାୟଗଡା ପଣସ ସାରା ଓଡିଶାର ବଜାରକୁ ରତ୍ପାନୀ ହେଉଥିଲା । ଫେବୃଆରିରୁ ଆରମ୍ଭ କରି ଜୁଲାଇ ଶେଷ ପର୍ୟ୍ୟନ୍ତ ବଜାରରେ ମିଳୁଥିଲା ଜଙ୍ଗଲି ପଣସ । ସୁସ୍ୱାଦୁ ପାଇଁ ସାବିତ୍ରୀ ଅମାବାସ୍ୟାରେ ମାଳଭୂମି ପଣସକୁ ଲୋକେ ଖୋଜି ନେଉଥିଲେ । ବିଶେଷ କରି ରାଜଧାନୀ ଭୂବନେଶ୍ୱର, ପଡ଼ୋଶୀ ରାଜ୍ୟ ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ, ବିହାର ଓ ମଧ୍ୟପ୍ରଦେଶରେ ଏହି ପଣସର ଚାହିଦା ଢେର ଅଧିକ ରହିଛି । ରାୟଗଡାରେ ବାହାରୁଥିବା ପଣସରେ ଭଲ ଚିପ୍ସ ହେଉଥିବାରୁ ଆନ୍ଧ୍ର ବ୍ୟବସାୟୀ ଅଧିକାଂଶ ପଣସକୁ କିଣି ନେଇ ଶୀତଳ ଭଣ୍ଡାରରେ ରଖି ସେପ୍ଟେମ୍ବର ପର୍ୟ୍ୟନ୍ତ ବଜାର ଚାହିଦା ମେଟାଂଉଛନ୍ତି । ବହୁ ବ୍ୟବସାୟୀ ଟ୍ରକ ସମେତ ମାଲବାହି ଗାଡିରେ ଉତ୍ପାଦିତ ପଣସକୁ କିଣି ନେଉଛନ୍ତି । ରାୟଗଡାରେ ବଜାର ବ୍ୟବସ୍ଥା ନଥିବାରୁ ଚାଷି ଏହାର ଉଚିତ ମୂଲ୍ୟ ନପାଇ କ୍ଷତି ସହୁଛନ୍ତି ।

Advertisment

ରାୟଗଡା ବଜାରରେ ପଣସ ବିକ୍ରି କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ନଥିବା ବେଳେ ଶୀତଳ ଭଣ୍ଡାରର ବ୍ୟବସ୍ଥା ମଧ୍ୟ ନାହିଁ । ନିଜ ଗାଁରୁ ଚାଷୀ ନିଜେ ଗାଡି ଭଡା କରି କିଲୋପ୍ରତି ୨୦ ଟଙ୍କା ଦରରେ ବ୍ୟବସାୟୀକୁ ବିକ୍ରି କରୁଛନ୍ତି । ଏହି ପଣସକୁ ନେଇ ବ୍ୟବସାୟୀ ବାହାର ରାଜ୍ୟରେ ଚଢ଼ା ଦରରେ ବିକ୍ରି କରି ଲାଭବାନ ହେଉଥିବା ବେଳେ କ୍ଷତି ସହୁଛନ୍ତି ଚାଷୀ । ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାର ବିଷମକଟକ, ମୁନିଗୁଡା, କଲ୍ୟାଣସିଂହପୁର, କାଶୀପୁର, ରାମନାଗୁଡା ସହ ରାୟଗଡା ବ୍ଲକର ଜେମାଦେଇପେଣ୍ଠ, ଜୁରୁଡି, କାରୁବାଇ, ମୁକୁନ୍ଦପୁର,ସିଙ୍ଗିପୁଟ ଭଳି ଗାଁରୁ ବର୍ଷକୁ ୧ ହଜାର ଟନ୍ ପଣସ ରାଜ୍ୟ ତଥା ରାଜ୍ୟ ବାହାରକୁ ରତ୍ପାନୀ ହୋଇଥାଏ । ଫଳରେ ମେ, ଜୁନ ମାସ ବେଳକୁ ରାୟଗଡା ବଜାରର ଚାହିଦା ମେଟାଂଇବାକୁ ବ୍ୟବସାୟୀଙ୍କୁ ବାହାରୁ ପଣସ ଆଣିବାକୁ ପଡୁଛି । ଏଠାରୁ ଉତ୍ପାଦନ ହଉଥିବା ପଣସକୁ ଶିତଳ ଭଣ୍ଡାରରେ ରଖି ଚାଷୀଙ୍କୁ ଉଚିତ ଦର ଦେବାରେ ଓରମାସ୍, ଜିଲ୍ଲା ପ୍ରଶାସନ ବିଫଳ ହୋଇଛି । ଆଉ ଏଥିପାଇଁ ଚାଷୀ ଲାଭ ପାଇବା ବଦଳରେ କ୍ଷତି ସହୁଛନ୍ତି ।