ରାୟଗଡା ନାଗାବଳୀର ମୃତ୍ୟୁର ଝୁଲାପୋଲ ! ୩ ବର୍ଷରେ ନେଲାଣି ୧୮ ଜଣଙ୍କ ଜୀବନ…ସତର୍କ ଫଳକକୁ ଅଣଦେଖା କରି ସେଲ୍ଫି ନେଉଛନ୍ତି ପର୍ଯ୍ୟଟକ

549

କନକ ବ୍ୟୁରୋ: ମୃତ୍ୟୁର ଝୁଲାପୋଲ । ୩ ବର୍ଷରେ ୧୮ ଜଣ ପର୍ଯ୍ୟଟକଙ୍କ ଜୀବନ ନେଇ ସାରିଛି ରାୟଗଡା ନାଗାବଳୀ ନଦୀ ଉପରେ ଠିଆ ହୋଇଥିବା ଜିଲ୍ଲାର ପ୍ରଥମ ଝୁଲାପୋଲ । ସତର୍କ ଫଳକକୁ ଅଣଦେଖା କରି ସେଲଫି ନେଉଛନ୍ତି ପର୍ଯ୍ୟଟକ । ଆଉ ଅସାବଧାନତା କାରଣରୁ ତଳକୁ ଖସି ପଡିଲେ ନଦୀ ଗର୍ଭରେ ଥିବା ପଥରରେ ପିଟି ହୋଇ ଚାଲି ଯାଉଛି ଜୀବନ ।

ରାୟଗଡା ଉପକଣ୍ଠ ନାଗାବଳୀ ନଦୀ ଉପରେ ନିର୍ମାଣ ହୋଇଛି ଜିଲ୍ଲାର ପ୍ରଥମ ଝୁଲା ପୋଲ । ଯାହା ଏବେ ଏକ ପର୍ଯ୍ୟଟନ ସ୍ଥଳିରେ ପରିଣତ ହୋଇଛି । ରାୟଗଡାର ମାଆ ମଝି ଘରିଆଣୀଙ୍କ ଦର୍ଶନ ପାଇଁ ରାଜ୍ୟ ସମେତ ପଡୋଶୀ ଆନ୍ଧ୍ର ଓ ଛତିଶଗଡରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ଝୁଲାବ୍ରିଜ ଏକ ପର୍ଯ୍ୟଟନ ସ୍ଥଳି । ଏଠାରେ ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବା ସହ ସେଲଫି ନେଇ ସ୍ମୃତିକୁ ସାଇତି ରଖିବା ପାଇଁ ଚେଷ୍ଟା କରିଥାନ୍ତି ପର୍ଯ୍ୟଟକ । ଯାହା ଅନେକ ସମୟରେ କେତେକଙ୍କ ପାଇଁ କାଳ ହୋଇଛି । ଅସାବଧାନତା କାରଣରୁ ଗୋଡ ଖସି ଯାଇ ମୃତ୍ୟୁ ମୁଖରେ ପଡିଯାଆନ୍ତି ପର୍ଯ୍ୟଟକ ।

ନାଗାବଳୀର ଝୁଲାପୋଲ ଯେତିକି ସୁନ୍ଦର, ତା ପଛର କାହାଣୀ ସେତିକି ଦୁଃଖ ଦାୟକ । ଉପରକୁ ଶାନ୍ତ ଦେଖାଯାଉଥିବା ନାଗାବଳୀର ଜଳରାଶୀ ଭିତରେ ରହିଛି ବଡ ବଡ ମୁନିଆ ପଥର । ପର୍ଯ୍ୟଟକମାନେ ଝୁଲା ବ୍ରିଜ୍ ଓ ଏହାର ଆଖପାଖରେ ସେଲ୍ଫି ନେବା ସମୟରେ ଅସାବଧାନତା କାରଣରୁ ଖସିପଡିଲେ ଘଟୁଛି ଅଘଟଣ । ପାଣିର ସ୍ରୋତ ତଳେ ଥିବା ପଥରରେ ପିଟି ହୋଇ ଚାଲିଯାଉଛି ଜୀବନ । ଗତ ୩ ବର୍ଷରେ ନାଗାବଳୀ ନେଇଛି ୧୮ ଜଣ ପର୍ଯ୍ୟଟକଙ୍କ ଜୀବନ । ଏନେଇ ପ୍ରଶାସନ ପକ୍ଷରୁ ବିପଦ ପୂର୍ଣ୍ଣସ୍ଥାନ ବୋଲି ଦର୍ଶାଇ ବିଭିନ୍ନ ଭାଷାରେ ଫଳକ ଲଗାଯାଇଛି । ତଥାପି ମୃତ୍ୟୁ ସଂଖ୍ୟା ବଢିବଢି ଚାଲିଛି । ତେଣୁ ସଚେତନତା ଜରୁରୀ ବୋଲି ମତ ପ୍ରକାଶ ପାଇଛି ।