ଗୁଜରାଟ ସଭାମଞ୍ଚରୁ ସମ୍ମାନିତ ହେଲେ ଓଡିଆ ଝିଅ ଅଞ୍ଜଳି । ହିନ୍ଦୀ ସାହିତ୍ୟରେ ମାଷ୍ଟର ଅଫ୍ ଫିଲୋସୋଫି ଉପାଧିରେ ସମ୍ମାନିତ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

102

କନକ ବ୍ୟୁରୋ: ଗୁଜୁରାଟ ସଭା ମଂଚରେ ସମ୍ମାନିତ ହେଲେ ଓଡିଶା ଝିଅ । ହିନ୍ଦୀ ସାହିତ୍ୟରେ ଗୁଜୁରାଟ କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟରୁ ମାଷ୍ଟର ଅଫ୍ ଫିଲୋସଫି ଉପାଧିରେ ଭୁଷିତ ହୋଇଛନ୍ତି ବରଗଡ଼ର ଦିବ୍ୟାଙ୍ଗ ଝିଅ ପି. ଅଞ୍ଜଳି । ସମକାଳୀନ ହିନ୍ଦୀ କାହାଣୀରେ ଦିବ୍ୟାଙ୍ଗଙ୍କ ଭୁମିକା ଉପସ୍ଥାପନ କରି ସେ ଏହି ଉପାଧି ପାଇଛନ୍ତି । ଗୁଜୁରାଟର ଗାନ୍ଧୀନଗର ଠାରେ ଆୟୋଜିତ ଦିକ୍ଷାନ୍ତ ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ତାଙ୍କୁ ସାମ୍ମାନିତ କରିଛନ୍ତି ।

ଅଞ୍ଜଳି ଜନ୍ମରୁ ଦିବ୍ୟାଙ୍ଗ, ହେଲେ ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସେ ତାଙ୍କ ଜୀବନରେ ଅନେକ ସୋପାନ ଚଢି ଚାଲିଛନ୍ତି । ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ଦିବ୍ୟାଙ୍ଗଙ୍କ ସମସ୍ୟା ଓ ଦୁଃଖ କଷ୍ଟକୁ ବେଶ ହୃଦୟଙ୍ଗମ କରିଛନ୍ତି । ଆଉ ନିଜ ଭାବନାକୁ ହିନ୍ଦୀ ସାହିତ୍ୟରେ ବର୍ଣ୍ଣନା କରି ସମ୍ମାନୀତ ହୋଇଛନ୍ତି ଅଞ୍ଜଳି ।

ବରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରୁ ସ୍କୁଲିଂ ସାରିବା ପରେ ବରଗଡ଼ ପଂଚାୟତ କଲେଜରେ ହିନ୍ଦୀରେ ବିଏ ପାସ କରିଥିଲେ ଅଞ୍ଜଳି । ଏହାପରେ ସେ ୱାର୍ଦ୍ଧା ଠାରେ ଥିବା ମହାତ୍ମାଗାନ୍ଧୀ ଅନ୍ତରାଷ୍ଟ୍ରୀୟ ହିନ୍ଦୀ ବିଶ୍ୱ ବିଦ୍ୟାଳୟରେ ହିନ୍ଦୀରେ ସ୍ନାତ୍ତକୋତ୍ତର କରିଥିଲେ । ଆଉ ଏଇ ନିକଟରେ ଗୁଜୁରାଟର କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟରୁ ମାଷ୍ଟର ଅଫ ଫିଲୋସଫି ଉପାଧିରେ ସମ୍ମାନିତ ହୋଇଥିବା ସୁନା ଝିଅ ଆଗକୁ ଆଇଏସ କିମ୍ବା ପ୍ରଫେସର ହେବାର ସ୍ୱପ୍ନ ଦେଖୁଛନ୍ତି ।