ବାତ୍ୟା ନିଭାର ପ୍ରଭାବରେ ବର୍ଷା ଆଗରୁ ଧାନ ଅମଳରେ ଲାଗିଛନ୍ତି ଚାଷୀ । ବର୍ଷା ଆଗରୁ ଖଳାକୁ ଧାନ ଆଣିବାକୁ ଉଦ୍ୟମ ।

362

କନକ ବ୍ୟୁରୋ : ବାତ୍ୟା ନିଭାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ । ଏହାସହ କିଛି ମାତ୍ରାରେ ପବନ ମଧ୍ୟ ବହିପାରେ । ଆଉ ଏବେ ଧାନ ଅମଳ ସମୟ ହୋଇଥିବାରୁ ବର୍ଷା ହେଲେ ପାଚିଲା ଧାନ ଜମିରେ ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ତେଣୁ ସମ୍ଭାବ୍ୟ ବାତ୍ୟା ନିଭାରର ପ୍ରଭାବରୁ ଚାଷକୁ ସୁରକ୍ଷା ଦେବା ପାଇଁ ରାୟଗଡା ଜିଲ୍ଲାର ଚାଷୀକୁଳ ପ୍ରୟାସ କରୁଛି ।

ଧାନ କଟା ଚାଲିଛି । ବାତ୍ୟା ନିଭାର ପ୍ରଭାବରେ ବର୍ଷା ଆଗରୁ ଧାନ କାଟି ଖଳାକୁ ଆଣିବା ପାଇଁ ଶ୍ରମିକ ଲଗାଇ ଧାନ କାଟୁଛନ୍ତି ଚାଷୀ । କାହା ଜମିରେ ଧାନ କଟା ଚାଲିଛି ତ ଆଉ କିଏ କଟା ହୋଇଥିବା ଧାନକୁ ଠୁଳ କରି ପଲିଥିôନ୍ ଢାଙ୍କି ରଖୁଛି । ଏ ଘଟଣା ହେଉଛି ରାୟଗଡା ଜିଲ୍ଲା ଚାଷ ଜମିର । ଚଳିତ ବର୍ଷ ଭଲ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲାରେ ୫୫ ହଜାର ୧୧୩ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଏବେ ସୁଦ୍ଧା ପ୍ରାୟ ୩୦ ପ୍ରତିଶତ ଧାନ ଅମଳ ହୋଇ ସାରିଛି । କିନ୍ତୁ ଏଯାଏଁ ଜିଲ୍ଲାରେ ଧାନ ମଣ୍ଡି ଆରମ୍ଭ ହୋଇନଥିବାରୁ ଚାଷୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।

ବାତ୍ୟା ନିଭାରର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ । ଯାହାକୁ ନେଇ ଚାଷୀକୂଳ ଚିନ୍ତାରେ ପଡିଥିବା ବେଳେ ରାୟଗଡା ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ଚାଷୀଙ୍କୁ ସଚେତନ କରାଯାଉଛି । ତରବର ହୋଇ ଧାନ ନକାଟିବାକୁ ପରାମର୍ଶ ଦିଆଯାଉଛି । ତେବେ ବର୍ଷା ଆଗରୁ ଧାନ ନକାଟିଲେ, ବର୍ଷା ହେଲେ ଜମିରେ ପାଣି ଜମି ରହିବ, ଗଛ ପଚି ଯିବା ସହ ଧାନ କାଟି ହେବ ନାହିଁ ।