କନକ ବ୍ୟୁରୋ: ଦରକାର ହେବନି କଳାପଟା କି ବହି । ଶ୍ରେଣୀଗୃହରେ ଅଭିନବ ପଦ୍ଧତିରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ନିଜ ଅଞ୍ଚଳର କଳା ଓ ସଂସ୍କୃତିର ଚିତ୍ର ମାଧ୍ୟମରେ ପାଠପଢ଼ା ହେବ । ରାଜ୍ୟରେ ପ୍ରଥମ କରି ରାୟଗଡ଼ାରେ ଆରମ୍ଭ ହୋଇଛି ‘ବିଲ୍ଡିଂ ଆଜ ଲର୍ଣ୍ଣିଂ ଏଡ୍ସ’ ଅର୍ଥାତ ବାଲା କାର୍ଯ୍ୟକ୍ରମ ।
ଶ୍ରେଣୀଗୃହର କାନ୍ଥରେ ଅଙ୍କା ଚାଲିଛି ସୁନ୍ଦର ସୁନ୍ଦର ଚିତ୍ର। କିଏ ଆଙ୍କୁଛି ଶଗଡର ଚିତ୍ର ତ କିଏ ଆଙ୍କୁଛି ଗଛ ଉପରେ ବସିଛନ୍ତି ପକ୍ଷୀ। ପଣିକିଆ ଟେବୁଲ, ଲାଞ୍ଜିଆ ସୌରାଙ୍କ ଇଡତାଲ ଚିତ୍ର ସହ ଡଙ୍ଗରିଆଙ୍କ କପଡାଗୁନ୍ଦା ଚିତ୍ର ଆଙ୍କୁଛନ୍ତି ଜନଜାତି ଚିତ୍ରକର। ଆଉ ଏହି ଚିତ୍ର ସାହାଯ୍ୟରେ ପାଠପଢିବେ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ। ଗଣିତ, ଭାଷା ଓ ପରିବେଶ ବିଷୟରେ ପିଲା ଅତିସହଜରେ ଶିକ୍ଷାଲାଭ କରିପାରିବେ। ବିଲ୍ଡିଂ ଆଜ୍ ଲର୍ଣ୍ଣି ଏଡ୍ସ ଅର୍ଥାତ୍ ବାଲା କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କୁ ପାଠ ପ୍ରତି ଆକୃଷ୍ଟ କରିବା ପାଇଁ ପ୍ରୟାସ କରୁଛି ଶିକ୍ଷା ବିଭାଗ ।
ମାତୃଭାଷା ଓ ସଂସ୍କୃତି ଭିତ୍ତିକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇ ଶିକ୍ଷା ବିଭାଗ ପକ୍ଷରୁ ଆବାସିକ ପ୍ରାଥମିକ ବିଦ୍ୟାଳୟରେ ଅଭିନବ ଶିକ୍ଷଣ ପଦ୍ଧତିକୁ ଆପଣାଇବାକୁ ଲକ୍ଷ୍ୟ ରଖାଯାଇଛି। ରାୟଗଡା ଜିଲ୍ଲାରୁ ଏହାର ଶୁଭାରମ୍ଭ ହୋଇଛି। ସଦର ବ୍ଲକ ପିତାମହଲ ଆଶ୍ରମ ବିଦ୍ୟାଳୟକୁ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଛି। ରାୟଗଡ଼ା ଜିଲ୍ଲାର ୧୦୦ଟି ଆଶ୍ରମ ବିଦ୍ୟାଳୟରେ କାର୍ଯ୍ୟକ୍ରମ କରାଯିବ । ପର୍ୟ୍ୟାୟକ୍ରମେ ନବରଙ୍ଗପୁର, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ୩୩୭ଟି ଆବାସିକ ବିଦ୍ୟାଳୟରେ କରାଯିବ । ଏହାଦ୍ୱାରା ଜିଲ୍ଲାର ଜନଜାତି, ସଂସ୍କୃତି ଓ ପରମ୍ପରା ବିଷୟ ଆଧାରରେ ପିଲାଙ୍କ ଗଣିତ, ଭାଷା ଓ ପରିବେଶ ବିଷୟରେ ଶିକ୍ଷଣ ଅଧିକ ସହଜ, ସରଳ ସୁଗମ ହେବ ବୋଲି ଆଶା କରାଯାଉଛି ।