ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡରେ ଯୋଡ଼ି ହେବ ରାୟଗଡ଼ା ଜିଲ୍ଲା : ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର କରିବେ ଉଦଘାଟନ ଓ ଶିଳାନ୍ୟାସ 

166

କନକ ବ୍ୟୁରୋ : ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ଯୋଡି ହେବ ରାୟଗଡ଼ା ଜିଲ୍ଲା । ଆଜି ହିତାଧିକାରୀଙ୍କୁ କାର୍ଡ ବଂଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ ଜରିଆରେ ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯିବ ।

ସୋମବାର ଦିନ କନ୍ଧମାଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା‌ ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୬ ଲକ୍ଷ ୫୦ହଜାର ଜନସାଧାରଣ ଉତ୍ତମ ଚିକିତ୍ସା ସୁବିଧା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଲବାଣୀ ଗସ୍ତରେ ଆସି ସୂଚନା‌ ଦେଇଛନ୍ତି । ଏହାଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକେ ଉପକୃତ ହୋଇପାରିବେ। ଗରିବ ଲୋକମାନେ ସ୍ବାସ୍ଥ୍ୟସେବା ପାଇଁ ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା‌ ଦେଇଥିଲେ ଯେ ଜିଲ୍ଲାର ବେଲଘରଠାରେ ୧କୋଟି ଟଙ୍କା ବ୍ୟୟ ଅଟକଳରେ ଚାରିଟି ଇକୋ କଟେଜ ନିର୍ମାଣ ହେବ । ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ମୋଟ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ କନ୍ଧମାଳ ଜିଲ୍ଲାରେ ୧୦୦ ଶଯ୍ୟାବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ ସାଙ୍ଗକୁ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଦେଢ କୋଟି ଟଙ୍କା ବ୍ୟୟ ଅଟକଳରେ ଶ୍ରେଣୀଗୃହ ଓ ଲାବୋରେଟୋରି ନିର୍ମାଣ ହେବ । ସେହିଭଳି କନ୍ଧମାଳ ଜିଲ୍ଲାରେ ସ୍ବାସ୍ଥ୍ୟ କ୍ଷେତ୍ରରେ ୮.୨୮ କୋଟି ଟଙ୍କା ଖର୍ଚ୍ଚ ହେବ ।

ଫୁଲବାଣୀ ସହରରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ସାଙ୍ଗକୁ ବ୍ରାହ୍ମଣପାଦରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ହେବ। ଆଜି ମୁଖ୍ୟମନ୍ତ୍ରୀ ଏସବୁ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କନ୍ଧମାଳ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ୬୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଜିଲ୍ଲାରେ ୨୦୦ କୋଟି ଟଙ୍କା ମୂଲ୍ୟର କେତେକ ପ୍ରକଳ୍ପର ଲୋକାର୍ପଣ କରିଥିଲେ ।