କନକ ବ୍ୟୁରୋ : ରାୟଗଡା ଡିଏଫଓ ବିଜୟ କୁମାର ପରିଡା ଗିରଫ । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । କଟକସ୍ଥିତ ଭିଜିଲାନ୍ସ ମୁଖ୍ୟ ଅଫିସକୁ ବିଜୟ ପରିଡାଙ୍କୁ ଅଣାଯାଇିଛି । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବିଜୟଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଏହି ସମୟରେ ଅନେକ ସମ୍ପତି ଠାବ କରିଛି ଭିଜିଲାନ୍ସ ।

Advertisment

ଚଢ଼ାଉ ସମୟରେ କଟକ ଶ୍ରୀକୋରୁଅଁଠାରେ ୯୫୦୦ ବର୍ଗଫୁଟର ୪ ମହଲା ଅଟ୍ଟାଳିକା ଠାବ କରାଯାଇଛି । ଏହି ବିରାଟ ଅଟ୍ଟାଳିକାର ମୂଲ୍ୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେହିପରି ଭୁବନେଶ୍ୱର ପଳାଶୁୁଣିରେ ୫୧୦୦ ବର୍ଗଫୁଟରେ ତିନି ମହଲା କୋଠା, କଳାରାହଙ୍ଗରେ ଆଶୀର୍ବାଦ ପ୍ଲାଜାରେ ଫ୍ଲାଟ୍ ନଂ ୩୦୪, ଭୁବନେଶ୍ୱର, କଟକ, ପୁରୀ ଓ ଯାଜପୁରରେ ୧୬ ମୂଲ୍ୟବାନ ଜମି ଠାବ ହୋଇଛି ।

ଏହାସହ ନଗଦ ୧ ଲକ୍ଷ ୨୪ ହଜାର ଟଙ୍କା ଜବତ କରାଯାଇଛି । ଜବତ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଓ ଜୀବନ ବୀମା ଜମା ରାଶିର ହିସାବ କରାଯାଉଛି । ସେହିପରି ଭୁବନେଶ୍ୱରେ ଠାବ କରାଯାଇଥିବା ୩ ମହାଲ କୋଠା ଓ ଫ୍ଲାଟର ମଧ୍ୟ ହିସାବ ଚାଲିଛି । ଏ ସବୁ ହିସାବ ମିଳିବା ପରେ ସମ୍ପତି ମୋଟ ପରିମାଣ ଜଣାପଡ଼ିବ । କିନ୍ତୁ ସମ୍ପତି ୬ କୋଟି ଟଙ୍କା ଟପିପାରେ ବୋଲି ଅନୁମାନ କରାଯାଉଛି ।