କନକ ବ୍ୟୁରୋ : ଧଳା ସୁନା ଚାଷ କରି ମଣ୍ଡିକୁ ଧାଉଁଛନ୍ତି ଚାଷୀ । ମଣ୍ଡିରେ କପା କଂଟା ହେଲେ ପକେଟ୍କୁ ପାରଶ୍ରମିକ ଆସିବ । ହେଲେ ମଣ୍ଡି ଖୋଲିନଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ରାୟଗଡାର ଚାଷୀ । ରାୟଗଡା ଜିଲ୍ଲାରେ ୪୯ ହଜାର ହେକ୍ଟର ଜମିରେ କପା ଚାଷ ହୋଇଛି । ନଭେମ୍ବର ୨୪ରେ ଗୁଣୁପୁର ଏବଂ ଡିସେମ୍ବର ୬ରେ ରାୟଗଡା ଆରଏମ୍ସି ଠାରେ ମଣ୍ଡି ଖୋଲିଛି । ଗୁଣୁପୁରରେ ମଣ୍ଡିରେ ୧୬୧ ଜଣ ଚାଷୀ କପା ବିକ୍ରି କରିଛନ୍ତି । ହେଲେ ରାୟଗଡା ମଣ୍ଡିରେ କିନ୍ତୁ ଏବେ ଯାଏଁ ଜଣେ ବି ଚାଷୀ କପା ବିକି ପାରିନାହାନ୍ତି । ସିସିଆଇ ଚାଷୀଙ୍କ ଠାରୁ କପା କିଣିବାକୁ ମନା କରୁଛି । ରାୟଗଡାରେ ଥିବା ୩ଟି କପା ମିଲରେ ଅଗ୍ନି ନିରପତା ବ୍ୟବସ୍ଥା ନଥିବାରୁ ସିସିଆଇର କପା କିଣୁନଥିବା ଜଣାପଡିଛି ।
ମଣ୍ଡିରୁ କପା ଫେରାଇ ଆଣି, ଦଲାଲକୁ ବିକି କ୍ଷତି ସହୁଛନ୍ତି ଚାଷୀ । ସରକାରୀ ଭାବେ କପା କ୍ୱିଟାଂଲ ପିଛା ଦର ୭୦୨୦ ଟଙ୍କା ରହିଥିବା ବେଳେ ଦଲାଲ ୫ ହଜାର ୫୦୦ ଟଙ୍କାରେ କିଣି ନେଉଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀ ଦଲାଲଙ୍କ ଶୋଷଣର ଶିକାର ହଉଛନ୍ତି । ସେପଟେ ମିଲ ମାଲିକଙ୍କ କହିବା କଥା, କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ ମିଲରେ ଅଗ୍ନି ନିରପତା ବ୍ୟବସ୍ଥା କଲେ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ତେଣୁ ମିଲ ମାଲିକମାନେ ଅରାଜି ହେଉଛନ୍ତି ।
ରାୟଗଡା ଜିଲ୍ଲାର ୧୧ଟି ବ୍ଳକରୁ ୪ଟି ବ୍ଳକର କପା ଚାଷୀଙ୍କ ପାଇଁ ରାୟଗଡା ଠାରେ ଏବଂ ୭ଟି ବ୍ଳକର କପା ଚାଷୀଙ୍କ ପାଇଁ ଗୁଣୁପୁର ଠାରେ ମଣ୍ଡିର ବ୍ୟବସ୍ଥା କରାଯାଇଛି ।