କରୋନା ଆଣିଦେଲା ଦାରୁଣ ଦୁଃଖ : ଆଗ ପଛ ହୋଇ ଚାଲିଗଲେ ବାପା, ମାଆ; ଅନାଥ ହୋଇଗଲେ ଜାଆଁଳା ଛୁଆ, ଦାଦନ ଖଟିବାକୁ ଯାଇ ହୋଇଥିଲେ ସଂକ୍ରମିତ

252

କନକ ବ୍ୟୁରୋ : ରାୟଗଡ଼ା ପଦ୍ମପୁର ବ୍ଲକ ଅନ୍ତର୍ଗତ ଗୁଡିଆବନ୍ଧ ଗାଁରେ ସ୍ୱାମୀ ଓ ସ୍ତ୍ରୀ କରୋନାରେ ପ୍ରାଣ ହରାଇବା ପରେ ବାପା ଓ ମା’ଙ୍କୁ ହରାଇ ଅସହାୟ ହୋଇପଡ଼ିଛନ୍ତି ଜାଆଁଳା ଭଉଣୀ । ମୃତ ଗିରିଶ ଗାଁରେ ଏକ ପାନ ଦୋକାନ କରି ନିଜର ଜୀବିକା ନିର୍ବାହ କରୁଥିଲେ ।

ତେବେ ଘରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ଦାଦନ ଖଟିବାକୁ ମନସ୍ଥ କରି ନିଜ ଜାଆଁଳା ଦୁଇ ଶିଶୁ କନ୍ୟାଙ୍କୁ ଡମ୍ବସରାସ୍ଥିତ ଶଶୁର ଘରେ ଛାଡି ଉଭୟ ସ୍ୱାମୀ ସ୍ତ୍ରୀ ଦାଦନ ଖଟିବାକୁ ସୁଦୂର ହାଇଦ୍ରାବାଦ ଚାଲି ଯାଇଥିଲେ । ସେଠାରେ ଏକ ଘରୋଇ କମ୍ପାନୀରେ ଉଭୟେ ସ୍ୱାମୀ ସ୍ତ୍ରୀ ନିଯୋଜିତ ହୋଇଥିଲେ । କରୋନା ଦ୍ୱିତୀୟ ଲହର ଯୋଗୁଁ ସେଠାରେ କାମ କରିବା ସମ୍ଭବ ପର ହୋଇନଥିଲା । ପରେ ଉଭୟ ଅସୁସ୍ଥତା ଅନୁଭବ କରି ଘରକୁ ଫେରିବା ପାଇଁ ମନସ୍ଥ କରିଥିଲେ । ଗତ ଏପ୍ରିଲ ୨୮ ତାରିଖରେ ହାଇଦ୍ରାବାଦରୁ ଏକ ଟ୍ରେନ ଯୋଗେ ରାୟଗଡ଼ ଷ୍ଟେସେନରେ ଉଭୟ ପହଂଚିଥିଲେ । ଆଉ ସେହି ଦିନ ହି ରାୟଗଡା ଷ୍ଟେସେନ ରେ ଗିରିଶଙ୍କ ଜୀବନ ଚାଲି ଯାଇଥିଲା ।

ପରେ ସ୍ତ୍ରୀ ଜ୍ୟୋତିଙ୍କର ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । କୋଭିଡ଼ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି । ଆଗ ପଛ ହୋଇ ସ୍ୱାମୀ ଓ ସ୍ତ୍ରୀ ଚାଲି ଯିବା ପରେ ବର୍ତମାନ ଉଭୟ ଶିଶୁ କନ୍ୟା ଡମ୍ବସରାସ୍ଥିତ ମାମୁ ଘରେ ଆଶ୍ରୟ ନେଉଛନ୍ତି । ବାପା ମା’ ଛେଉଣ୍ଡ ଦୁଇ ଶିଶୁ କନ୍ୟାଙ୍କୁ ସରକାରୀ ସ୍ତରରେ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି ମୃତକଙ୍କ ପରିବାର ବର୍ଗ ଓ ସ୍ଥାନୀୟ ବାସିନ୍ଦା ।