ସୀମାନ୍ତ ଅଞ୍ଚଳର ଲୋକେ ଏବେ ଆନ୍ଧ୍ର ମୁହାଁ। ଗାଁ’ରେ ମୌଳିକ ସୁବିଧା ନଥିବାରୁ ଆନ୍ଧ୍ରକୁ ପସନ୍ଦ କରୁଛନ୍ତି ଲୋକ।

101

କନକ ବ୍ୟୁରୋ: ରାୟଗଡା ଜିଲ୍ଳାର ଆନ୍ଧ୍ର-ଓଡିଶା ସୀମାନ୍ତ ଗ୍ରାମ ଗୁଡିକରେ ଏବେ ଆନ୍ଧ୍ରର ରାଜୁତି ଚାଲୁଛି । ସୀମାନ୍ତ ଗ୍ରାମ ଗୁଡିକରେ ଓଡିଶା ସରକାରଙ୍କ ଲୋକଙ୍କୁ ଅଣଦେଖା କରିବା ସାଙ୍ଗକୁ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ମିଳୁନଥିବାରୁ ଲୋକେ ଏବେ ଆନ୍ଧ୍ର ମୁହାଁ ହେବାରେ ଲାଗିଛନ୍ତି। ଅନ୍ୟପଟେ ଆନ୍ଧ୍ର ଓଡିଶା ସୀମାରେ ବିଭିନ୍ନ ସ୍ଥାନରେ ଜବର ଦଖଲ କରିବା ଉଦ୍ୟମ ଚଳାଇଛି। ଯାହାକୁ ଦେଖିଶୁଣି ମଧ୍ୟ ପ୍ରଶାସନ ଚୁପ୍‍ ବସିଛି ।

ରାୟଗଡା ଜିଲ୍ଳାର ସୀମାନ୍ତ ଗ୍ରାମବାସୀ ଓଡିଶା ଛାଡି ଆନ୍ଧ୍ରରେ ରହିବାକୁ ପସନ୍ଦ କରୁଛନ୍ତି। ଓଡିଶାରେ ମୌଳିକ ସୁବିଧା ମିଳୁନଥିବା ବେଳେ ପଡୋଶୀ ଆନ୍ଧ୍ରପ୍ରଦେଶ ରାସନ ଠାରୁ ଆରମ୍ଭ କରି ଭତ୍ତା ପର୍ୟ୍ୟନ୍ତ ଅଧିକ ସୁବିଧା ପ୍ରଦାନ କରୁଥିବାରୁ ଲୋକେ ଆନ୍ଧ୍ର ଆଡେ ନଜର ରଖିଛନ୍ତି। ରାୟଗଡା ଜିଲା ଉପାନ୍ତ ଗ୍ରାମ ଗୁଡିକରେ ଏଯାଏଁ ରାସ୍ତାଘାଟ, ପାନୀୟଜଳ,ସ୍ୱାସ୍ଥ୍ୟସେବା, ଶିକ୍ଷା,ଟେଲି ଯୋଗାଯୋଗ ଭଳି ମୌଳିକ ସୁବିଧା ପହଞ୍ଚିପାରି ନାହିଁ। ଲୋକେ ପିଡ଼ିଏସ ଚାଉଳ ଏବଂ ବିଭିନ୍ନ ଭତ୍ତା ପାଈଁ ପାହାଡ ଚଢି ୭ କିମି ଚାଲି ଚାଲି ଦୁର୍ଗାପାଡୁ ଯାଇଥାନ୍ତି। ମୋବାଇଲ ନେଟୱାର୍କ ନଥିବାରୁ ଲୋକେ ଫୋନ କରିବା ପାଇଁ ଦୁଇ କିଲୋମିଟର ଚାଲୁଛନ୍ତି ।

ଉପାନ୍ତ ଗାଁର ମୁଖ୍ୟ ସମସ୍ୟା ହେଉଛି ପିଇବା ପାଣି। ନଳକୂପ ନଥିବାରୁ ଲୋକେ ହାଣ୍ଡି ଡେକଚି ଧରି ଦୁଇ କିଲୋମିଟର ଯାଇ ନାଳ ପାଣି ସଂଗ୍ରହ କରିଥାନ୍ତି ଆନ୍ଧ୍ର-ଓଡିଶା ସୀମାନ୍ତ ପାଲାମତୁଲଶୀ ଗାଁର ଲୋକେ । ଗାଁର ସମସ୍ୟା ପ୍ରତି ପ୍ରଶାସନ, ରାଜନେତା ନଜର ନଦେବାରୁ ଲୋକେ ଆନ୍ଧ୍ର ମୁହାଁ ହୋଇଛନ୍ତି । ରାୟଗଡା ଜିଲ୍ଲାରେ ସୀମାନ୍ତ ସମସ୍ୟାକୁ ନେଇ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା କହିଛନ୍ତି, ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଆନ୍ଧ୍ର ମାନମାନି କରୁଛି । ଏନେଇ ଆମେ ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରିଥିଲୁ ହେଲେ ସେ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଥିଲେ।