ପାଠ କେମେଷ୍ଟ୍ରି, ପେଷା ହେବ ପଲିଟିକ୍ସ : ରାୟଗଡା କାଶୀପୁରରୁ ଜିଲ୍ଲା ପରିଷଦ ପାଇଁ ନାମାଙ୍କନ ଭରିଲେ ରିୟା

207

କନକ ବ୍ୟୁରୋ : ବାସ୍ ! ଅଧିକ ହୋଇଗଲା ଗୁହାରି କରିବା… ଆଉ ବିଶ୍ୱାସ ନାହିଁ ନିର୍ବାଚିତ ପ୍ରତିନିଧିଙ୍କ ଉପରେ । ନିର୍ବାଚନ ଆସିଲେ ଭୋଟ ପାଇଁ ଦିଅନ୍ତି ବିଭିନ୍ନ ପ୍ରତିଶ୍ରୁତି । ଗାଁକୁ ରାସ୍ତା କରିବୁ, ସ୍କୁଲ କରିବୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବୁ । ହେଲେ ନିର୍ବାଚିତ ସରିଲା ପରେ ସେମାନଙ୍କ ପାଦ ଆଉ ଗାଁରେ ପଡେନାହିଁ । ଆମେ ଯେଉଁ ତିମିରେ କୁ ସେଇ ତିମିରେ । ତେଣୁ ମୁଁ ଠିକ କରିଛି ଯେ ଆଉ ଚାକିରି ପଛରେ ନ ଦୌଡି ସମାଜସେବା କରିବି ।

ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଶିକ୍ଷିତା ଯୁବତୀ । ରାଜନୀତିରେ ପାଦ ଦେବା ପାଇଁ ମନସ୍ଥ କରିଛନ୍ତି କେମେଷ୍ଟ୍ରି ଅନର୍ସ ରଖି ବିଏସସି ପାସ୍ କରିଥିବା ରାୟଗଡ଼ାର ରିୟା ନାଏକ । ରାୟଗଡ଼ା କାଶୀପୁର ‘ଖ’ ଜୋନ୍ ପାଇଁ ଜିଲ୍ଲା ପରିଷଦ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୨୧ ବର୍ଷୀୟା ରିୟା ଜଣେ ଚାଷୀ ପରିବାରର । ବାପା ଯାହା ଉପାର୍ଜନ କରିଥାନ୍ତି ସେଥିରେ ବାପା, ମାଆ, ଦୁଇ ଭାଇ ସହ ଦୁଇ ଭଉଣୀ ଚଳିଥାନ୍ତି । ବହୁି କଷ୍ଟରେ ସେ ପାଠ ପଢିଛନ୍ତି । ଗୁଣପୁର ମହର୍ଷି କଲେଜରେ କେମେଷ୍ଟ୍ରି ଅନର୍ସ ରଖି ୨୦୨୧ ମସିହାରେ ବିଏସସି ପାସ୍ କରିଛନ୍ତି ।

ସେ କହିଛନ୍ତି, ଛୋଟ ବେଳୁ ଗାଁରେ ଯେଉଁ ଅବ୍ୟବସ୍ଥା ଦେଖିଥିଲେ, ତାହା ବର୍ତମାନ ପର୍ଯ୍ୟନ୍ତ ରହିଛି । ନିର୍ବାଚିତ ପ୍ରତିନିଧି ଓ ଅଧିକାରୀଙ୍କୁ ବାରମ୍ବାର ଗୁହାରୀ କଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ । ତେଣୁ ଚାକିରି ପଛରେ ନଦୌଡ଼ି ଲୋକଙ୍କ ସମସ୍ୟା ସମାଧାନ କରିବେ ବୋଲି ରାଜନୀତିରେ ପ୍ରବେଶ କରିଥିବା କହିଛନ୍ତି । ନିର୍ବାଚିତ ପ୍ରତିନିଧି ଓ ବିଭାଗୀୟ ଅଧୀକାରୀଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କେବଳ ପ୍ରତିଶ୍ରୁତି ମିଳୁଛି । ତେଣୁ ସେ ଠିକ କରିଛନ୍ତି ଯେ ସେ ଆଉ କାହାକୁ ଗୁହାରି କରିବେ ନାହିଁ । ନିଜେ ନିଜ ଗାଁର ସମସ୍ୟାକୁ ଦୂର କରିବେ । ତେଣୁ ଚାକିରି ପଛରେ ନଦୌଡ଼ି ଲୋକଙ୍କ ସମସ୍ୟା ସମାଧାନ କରିବେ ବୋଲି ରାଜନୀତିରେ ପ୍ରବେଶ କରିଥିବା କହିଛନ୍ତି ।