ଆନ୍ଧ୍ର ଭାରିଏଣ୍ଟ ପାଇଁ ବଢିଲା ରାୟଗଡା ପ୍ରଶାସନର ଚିନ୍ତା । ଆନ୍ଧ୍ର ସୀମାନ୍ତରେ ୧୨ ରାସ୍ତା ସିଲ୍ , ଚେକପୋଷ୍ଟରେ  ନିୟମ ହେଲା କଡ଼ାକଡ଼ି ।

127

କନକ ବ୍ୟୁରୋ : ରେଡ଼ ଜୋନରେ ଥିବା ରାୟଗଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଏ.ପି ଭାରିଏଣ୍ଟ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଜିଲ୍ଲା ପ୍ରଶାସନ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ରାୟଗଡ଼ାକୁ ସଂଯୋଗ କରୁଥିବା ସମସ୍ତ ୧୨ଟି ରାସ୍ତାକୁ ସିଲ କରିଛି । ରାୟଗଡ଼ା ସହର ଉପରେ ନିର୍ଭର କରୁଥିବା ପଡ଼ୋଶୀ ଆନ୍ଧ୍ରପ୍ରଦେଶର ପାର୍ବତିପୁରମ୍ ଅଂଚଳର ଛୋଟ ବ୍ୟବସାୟୀଙ୍କ ଏବେ ବି  ଯିବା ଆସିବା ଲାଗି ରହିଛି ।

ପ୍ରଶାସନ ପକ୍ଷରୁ ଚେକପୋଷ୍ଟରେ ସରକାରଙ୍କ ଗାଇଡ଼ ଲାଇନ୍ ଅନୁଯାୟୀ ଓଡ଼ିଶାକୁ ପ୍ରବେଶ ନେଇ ରହୁଥିବା ନିୟମକୁ କଡ଼ାକଡ଼ି କରାଯାଇଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ କିଛି ଛୋଟ ବ୍ୟବସାୟୀ ବେଶ ସହଜରେ ଆନ୍ଧ୍ର ସୀମା ପାର କରି ଓଡ଼ିଶା ଆସୁଥିବାର ଦେଖିବାକୁ ମିଳିଛି । ଯାହାକୁ ରୋକିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।

ଏସବୁ ଭିତରେ ଗତ ୨୪ ଘଂଟା ମଧ୍ୟରେ  ରାଜ୍ୟରେ କରୋନାର ଆସିଛି ଅଲୋଡା ରେକର୍ଡ ।  ସର୍ବକାଳୀନ ରେକର୍ଡ ଭାଙ୍ଗିଛି ପଜିଟିଭ ସଂଖ୍ୟା । ମୋଟ ୧୨ ହଜାର ୨୩୮ ପଜିଟିଭ ଚିହ୍ନଟ ହୋଇଛି ।  ୨୪ ଜିଲ୍ଲାରେ ୩ ଅଙ୍କ ଉପରେ ରହିଛି ସଂକ୍ରମଣ  ସୁନ୍ଦରଗଡରେ ସର୍ବାଧିକ ୨ ହଜାର ୭୩  ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୧୮ ଶହ ୨୮ ଓ କଟକରେ ୯୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରେ ୪୩୭, ବରଗଡରେ ୪୭୫,  କଳାହାଣ୍ଡିରେ ୫୮୦, ନବରଙ୍ଗପୁରରେ ୨୮୨, ନୂଆପଡାରେ ୨୯୦ ଓ ସମ୍ବଲପୁରରେ ୫୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଗତ ୨୪ ଘଂଟା ମଧ୍ୟରେ ୫୦ ହଜାର ୭୯୯ ନମୁନା ପରୀକ୍ଷା ହୋଇଛି ।  ସେହିଭଳି ଗତ ୨୪ ଘଂଟାରେ ୧୯ ଜଣ ପ୍ରାଣ ହରାଇଛନ୍ତି ।