କନକ ବ୍ୟୁରୋ : ରାୟଗଡା ସହର ଠାରୁ ମାତ୍ର ୬ କିମି ଦୂରରେ ରହିଛି ହାଲୁଆ ଗାଁ । ଗାଁରେ ଥିବା ପୁରୁଣା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ଅସୁବିଧା ହେବାରୁ ୨୦୧୧-୧୨ ଆର୍ଥିକ ବର୍ଷରେ ଗାଁ ଠାରୁ ଦୁଇ କିଲୋମିଟର ଦୂର ପାହାଡ ଉପରେ ନୂଆ ବିଦ୍ୟାଳୟ ନିର୍ମାଣ କରାଯାଇଛି । ୭୪ ଲକ୍ଷ ଟଙ୍କାର ଅନୁଦାନରେ ୮ଟି କୋଠରି ବିଶିଷ୍ଟ ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ ତିଆରି ହୋଇଛି । ହେଲେ ନିର୍ମାଣର ୧୨ ବର୍ଷ ପରେ ବି କୋଠାଟି ଉଦଘାଟନ ହୋଇନାହିଁ କି ପିଲାଙ୍କ କାମରେ ଲାଗୁନାହିଁ । ଶିକ୍ଷା ବିଭାଗ ଓ ଗୃହ ନିର୍ମାଣ ବିଭାଗର ତାଳମେଳ ରହୁନଥିବାରୁ ନୂତନ ବିଦ୍ୟାଳୟ ଶିକ୍ଷା ବିଭାଗକୁ ହସ୍ତାନ୍ତର ହୋଇପାରିନାହିଁ । ଫଳରେ ଭୂତ କୋଠିରେ ପରିଣତ ହେବା ସହ ସ୍ଥାନୀୟ ଲୋକଙ୍କ ବାସଗୃହ ପାଲଟିଛି ।

Advertisment

ଅନ୍ୟପଟେ ଅଭିବାବକ କହୁଛନ୍ତି ନୂତନ ବିଦ୍ୟାଳୟଟି ଜଙ୍ଗଲ ଭିତରେ ପାହାଡ ଉପରେ ହୋଇଥିବାରୁ ପିଲାଙ୍କ ପାଇଁ ବିପଦମୁକ୍ତ ନୁହେଁ । ବିଦ୍ୟାଳୟରେ ପିଇବା ପାଣିର ବ୍ୟବସ୍ଥା ନଥିବା ବେଳେ ବିଜୁଳି ସଂଯୋଗ ହୋଇନାହିଁ    । ସବୁଠାରୁ ବିପଦପୂର୍ଣ୍ଣ ହେଲା ଏହି ନୂତନ ବିଦ୍ୟାଳୟକୁ ଯିବାକୁ ହେଲେ ପିଲାଙ୍କୁ ଜାତୀୟ ରାଜପଥ ପାରି ହେବାକୁ ପଡିବ । ଅନେକ ସମସ୍ୟା ଥିବା ସତ୍ୱେ ପାହାଡ ଉପରେ ବିଦ୍ୟାଳୟ କରିବା ପାଇଁ କିଏ ସ୍ଥିର କଲା? ତାକୁ ନେଇ ପ୍ରଶ୍ନ ଉଠିଛି । ଯଦି ବିଦ୍ୟାଳୟ କରାଯାଇଛି, ତେବେ କାହିଁକି ଆଜି ଯାଏଁ ଶିକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇନାହିଁ । ସେପଟେ ଶିକ୍ଷାଧୀକାରୀ ପୂର୍ଣ୍ଣଚନ୍ଦ୍ର ବରିହା କହିଛନ୍ତି, କୌଣସି ତୃଟି କାରଣରୁ ହସ୍ତାନ୍ତର ହୋଇପାରିନାହିଁ ତାହା ତାଙ୍କୁ ଜଣାନାହିଁ ।

ତେବେ ପାହାଡ ଉପରେ ମାତ୍ର ୮ଟି କୋଠରୀ ବିଶିଷ୍ଟ ବିଦ୍ୟାଳୟ ପାଇଁ ୭୪ ଲକ୍ଷ ଟଙ୍କା ଖର୍ଚ ହେବା ଘଟଣା ସମସ୍ତଙ୍କୁ ଆଶ୍ଚଯ୍ୟ କରୁଛି । ତେବେ ବିଦ୍ୟାଳୟ ନିର୍ମାଣ ଓ ହସ୍ତାନ୍ତର ନକରିବା ଘଟଣାର ପ୍ରକୃତ ସତ ତଦନ୍ତ ପରେ ଜଣାପଡିବ ।