ଅଖାରୁ ମିଳିଲା ରତ୍ନପଥର । ୧୫୩ କେଜିର ମୂଲ୍ୟବାନ ରତ୍ନ ପଥରର ଆନୁମାନିକ ମୂଲ୍ୟ ଦେଢକୋଟି ଟଙ୍କା, ରାୟଗଡ଼ାରେ ଚଢାଉ କରି ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ।

274

କନକ ବ୍ୟୁରୋ : ରାୟଗଡାରୁ କୁଆଡେ ଲମ୍ବିଛି ରତ୍ନପଥର ଚୋରାଚାଲାଣର ଚେର । ଦୁଇଟି ବସ୍ତାରୁ ପ୍ରାୟ ୧୫୩ କେଜିର ମୂଲ୍ୟବାନ ରତ୍ନପଥର କ୍ରାଇମବ୍ରାଂଚ ଏସଟିଏଫ୍ ଟିମ୍ ଜବତ କରିବା ପରେ ଚାଲିଛି ଖୋଳତାଡ । ଜବତ ରତ୍ନପଥର ମଧ୍ୟରେ ରହିଛି ରୁବି, ପାନା, କଳାହୀରା, ମୁନ ଷ୍ଟୋନ ଭଳି ମୂଲ୍ୟବାନ ପଥର । ଯାହାର ବଜାର ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା । ଘଟଣାରେ ଗିରଫ ବ୍ୟକ୍ତିଙ୍କର ଏକାଧିକ ଶାସକ ଦଳର ନେତା-ମନ୍ତ୍ରୀଙ୍କ ସହ ଫଟୋ ଏବେ ଭାଇରାଲ୍ ହେଉଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛି ରାୟଗଡା କଂଗ୍ରେସ ।

ଜବତ ହୋଇଥିବା ଚିକ୍ ଚିକ୍ କରୁଥିବା ପଥର ଗୁଡିକ କୌଣସି ସାଧାରଣ ପଥର ନୁହଁ । ଏହା ହେଉଛି ମୂଲ୍ୟବାନ ରତ୍ନ ପଥର । ରାୟଗଡାର ପାହାଡ ଭିତରେ ଏହିପରି ରତ୍ନ ପଥର ସବୁ ଲୁଚି ରହିଛି । ଆଉ ଏସବୁ ପଥର ରାଜ୍ୟ ବାହାରକୁ ଚାଲାଣ ହେଉଛି । କିଛି ଲୋକ ଏହି ରହସ୍ୟକୁ ବୋଧ ହୁଏ ଜାଣିଛନ୍ତି ଏବଂ ଲୁଚି ଲୁଚି ସେମାନେ ଏହାର ସଂଗ୍ରହ କରୁଛନ୍ତି । ରାୟଗଡାର ଜଗନ୍ନାଥ କମ୍ପେ୍ଲକ୍ସରେ ଚଢାଉ କରି ୧୫୩ କେଜି ରତ୍ନପଥର କ୍ରାଇମବ୍ରାଂଚ ଏସଟିଏଫ୍ ଜବତ କରିବା ପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ସେପଟେ ଘଟଣାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଏହି ଘଟଣାରେ ଜିତେନ୍ଦ୍ର କୁମାର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଂଚ ଏସଟିଏଫ୍ ଗିରଫ କରିଛି । ତେବେ ଗିରଫ ହୋଇଥିବା ବ୍ୟକ୍ତିଙ୍କର ଏକାଧିକ ଶାସକ ଦଳ ନେତାଙ୍କ ସହିତ ଫଟୋ ରହିଛି । ଏପରିକି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହିତ ବି ଫଟୋ ରହିଛି । ଏହାକୁ ନେଇ ଶାସକ ଦଳକୁ ଘେରିଛି ରାୟଗଡା କଂଗ୍ରେସ । ଫଟୋରେ ଥିବା ଅନ୍ୟ ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଘଟଣା ନେଇ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯିଏ ଦୋଷୀ, ସିଏ ଦଣ୍ଡ ପାଇବ । ରାୟଗଡାରେ ବର୍ଷ ବର୍ଷ ଧରି ଏମିତି ଚାଲିଛି ରତ୍ନପଥରର ଚୋରାଚାଲାଣ । ଏହାର ତଦନ୍ତ ହେଲେ ରତ୍ନପଥର ଚାଲାଣର ପ୍ରକୃତ ମାଫିଆଙ୍କ ପର୍ଦ୍ଦାଫାଶ ହୋଇପାରିବ ।