କନକ ବ୍ୟୁରୋ : ଦେଶର ସମସ୍ତ ମେଡିକାଲ କଲେଜର ଏମ୍ବିବିଏସ୍ ଓ ୟୁଜି ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷା ଦେବା ଲାଗି ଚଳିତବର୍ଷ ୧୫ ଲକ୍ଷ ୯୭ ହଜାର ୪୩୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୩ ଲକ୍ଷ ୬୬ ହଜାର ୯୪୫ ଜଣ ପରୀକ୍ଷା ଦେଇଥିବା ବେଳେ ୭ଲକ୍ଷ ୭୧ ହଜାର ୫୦୦ ଜଣ ପାସ୍ କରିଛନ୍ତି। ପାସ୍ହାର ୫୬.୪୪% ହୋଇଛି। ଓଡ଼ିଶାର ଛାତ୍ର ସୋଏବ୍ ଅଫ୍ତାବ୍ ଟପର୍ ହୋଇଥିବା ବେଳେ ଦିଲ୍ଲୀର ଛାତ୍ରୀ ଆଙ୍କାକ୍ଷା ସିଂ ମଧ୍ୟ ୭୨୦ ମାର୍କ ରଖି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୭୧୫ ମାର୍କ ରଖି ତୃତୀୟ ସ୍ଥାନରେ ତେଲେଙ୍ଗାନାର ଛାତ୍ରୀ ତୁମାଲା ସ୍ନିକ୍ତା, ୪ର୍ଥରେ ରାଜସ୍ଥାନର ଛାତ୍ର ଭିନିଥ୍ ଶର୍ମା, ୫ମ ସ୍ଥାନରେ ହରିଆଣାର ଛାତ୍ରୀ ଅମରିଶା ଖୈତାନ, ଷଷ୍ଠ ସ୍ଥାନରେ ଆନ୍ଧ୍ରପ୍ରଦେଶର ଛାତ୍ରୀ ଜି ସି ସିନ୍ଧୁ ରହିଛନ୍ତି। ଶ୍ରେଷ୍ଠ ୫୦ଜଣଙ୍କ ମଧ୍ୟରେ ୧୩ଜଣ ଛାତ୍ରୀ ରହିଛନ୍ତି।
ନିଟ୍ ପରୀକ୍ଷା ଲାଗି ଓଡ଼ିଶାରୁ ୩୮ ହଜାର ୪୯୪ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ୩୩ ହଜାର ୯୪୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୦ ହଜାର ୬୫୪ ଜଣ ଯୋଗ୍ୟତା ହାସଲ କରିଛନ୍ତି। ପାସ୍ ହାର ୬୦.୮୫% ରହିଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶା ୧୦ମ ସ୍ଥାନରେ ରହିଛି। ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ପଞ୍ଜାବ, ତେଲେଙ୍ଗାନା, ତାମିଲନାଡୁ, ଆନ୍ଦ୍ରପ୍ରଦେଶ, ବିହାର, ଛତିଶଗଡ଼, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ପରି ରାଜ୍ୟର ଛାତ୍ରଛାତ୍ରୀଙ୍କ ତୁଳନାରେ ଓଡ଼ିଶାର ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଚଣ୍ଡିଗଡ଼ର ପାସ୍ହାର ସର୍ବାଧିକ ୭୫.୬୪% ହୋଇଛି। ଏମିତିକି ୨୦୧୯ରେ ଓଡ଼ିଶାର ପାସ୍ହାର ୫୯.୪୪% ଥିବା ବେଳେ ଏଥର ୧ପ୍ରତିଶତରୁ ଅଧିକ ବଢ଼ିଛି।
Comments are closed.