କନକ ବ୍ୟୁରୋ : ଲାଲ୍ ବଲ କ୍ରିକେଟକୁ ବାଏ ବାଏ କରିପାରନ୍ତି ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଟେଷ୍ଟ କ୍ରିକେଟରୁ ଜାଡେଜା ସନ୍ନ୍ୟାସ ନେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଆହତ ହେବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି ରବୀନ୍ଦ୍ର ଜାଡେଜା । ବାରମ୍ବାର ଆହତ ସମସ୍ୟା ପାଇଁ କ୍ରିକେଟର ଏହି ଲମ୍ବା ଫର୍ମାଟକୁ ଅଲବିଦା କହିପାରନ୍ତି ଜାଡେଜା ।

Advertisment

ସୀମିତ ଓଭର କ୍ରିକେଟରେ ଦୀର୍ଘ ଦିନ ଖେଳିବା ପାଇଁ ଟେଷ୍ଟ କ୍ରିକେଟକୁ ବାଏ ବାଏ କରିପାରନ୍ତି ଜାଡେଜା । ତେବେ ଯଦି ଜାଡେଜା ଟେଷ୍ଟ କ୍ରିକେଟରୁ ଅବସର ନିଅନ୍ତି ତେବେ ଭାରତକୁ ବଡ ଝଟକା ଲାଗିବ । କାରଣ ବିଶ୍ୱର ଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରେ ଜାଡେଜା ଅନ୍ୟତମ । ଖାସକରି ମ୍ୟାଚର ମୋଡ ବଦଳାଇବାରେ ମାହିର ଥିବା ଜାଡେଜା ଆବଶ୍ୟକ ସମୟରେ ୱିକେଟ ନେଇ ଟିମ୍ ପାଇଁ ଅନେକ ସମୟରେ ମ୍ୟାଚ୍ ୱିନର ସାଜିଛନ୍ତି । ଏହାସହ ନିମ୍ନକ୍ରମରେ ରନ୍ ସଂଗ୍ରହ କରିବାରେ ବେଶ ପାରଙ୍ଗମ ଜାଡେଜା । ବ୍ୟାଟିଂ ଓ ବୋଲିଂ ବାଦ୍ ଫିଲ୍ଡିଂରେ ମଧ୍ୟ ଦମଦାର ପ୍ରଦର୍ଶନ କରି ଆସିଛନ୍ତି ରବୀନ୍ଦ୍ର । ଯେଉଁଥିପାଇଁ ଅଲରାଉଣ୍ଡର ଭାବେ ଟିମ୍ ଇଣ୍ଡିଆର ଟ୍ରମ୍ପକାର୍ଡ ସାଜିଛନ୍ତି ଜାଡେଜା । ଲଗାତାର ଶ୍ରେଷ୍ଠ ପ୍ରଦର୍ଶନ କାରଣରୁ ବିଦେଶ ମାଟିରେ ଖେଳାଯାଉଥିବା ଅଧିକାଂଶ ଟେଷ୍ଟ ସିରିଜ ପାଇଁ ଜାଡେଜାଙ୍କୁ ଖୋଜା ପଡିଥାଏ ।

ଏଯାବତ୍ ଜାଡେଜା ୫୭ଟି ଟେଷ୍ଟ ମ୍ୟାଚ୍ ଖେଳି ୨୧୯୫ ରନ୍ ସହ ୨୩୨ ରନ ସଂଗ୍ରହ କରିଛନ୍ତି । ଏହାଛଡା ଟେଷ୍ଟ କ୍ରିକେଟର ବାମହାତୀ ବୋଲର ଭାବେ ଦ୍ରୁତତମ ୨୦୦ ୱିକେଟ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି ଜାଡେଜା ।