ସିଡନୀରେ ଟିମ ଇଣ୍ଡିଆର ଚିନ୍ତା ବଢାଇଲା ଆହତ ସମସ୍ୟା । ରିଷବ ପନ୍ତଙ୍କ ପରେ ଆହତ ହେଲେ ରବୀନ୍ଦ୍ର ଜାଡେଜା ।

135

କନକ ବ୍ୟୁରୋ : ସିଡନୀ ଟେଷ୍ଟରୁ ଭାରତ ପାଇଁ ଆସିଛି ଚିନ୍ତାଜନକ ଖବର । ସିଡନୀ ଟେଷ୍ଟରେ ପ୍ରଥମ ଇନିଂସରେ ବ୍ୟାଟିଂ ସମୟରେ ଆହତ ହୋଇଛନ୍ତି ଦୁଇ ଜଣ ଭାରତୀୟ ଖେଳାଳି । ବ୍ୟାଟିଂ କରିବା ସମୟରେ ପନ୍ତଙ୍କ ବାମ କହୁଣୀରେ ଲାଗିଛି ଆଘାତ । ବଲ୍ ବାଜିବା ପରେ ପନ୍ତ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଫିଜିଓ ଫିଲଡକୁ ଯାଇ ତାଙ୍କର ଚିକିତ୍ସା କରିବା ପରେ ପନ୍ତ ବ୍ୟାଟିଂ କରିଥିଲେ ।

୩୬ ରନ୍ ସ୍କୋର କରି ଆଉଟ୍ ହୋଇଯାଇଥିଲେ ପନ୍ତ । ପ୍ୟାଭିଲିୟନ୍ ଫେରିବା ପରେ ପରେ ପନ୍ତଙ୍କୁ ସ୍କାନିଂ ପାଇଁ ସିଡନୀରେ ଡାକ୍ତରଖାନାକୁ ନିଆଯାଇଛି । ଏନେଇ ଟୁଇଟ୍ କରି ସୂଚନା ଦେଇଛି ବିସିସିଆଇ । ସେହିପରି ରବୀନ୍ଦ୍ର ଜାଡେଡା ମଧ୍ୟ ଆହତ ହୋଇଥିବା ଖବର ଆସିଛି । ମିଚେଲ୍ ଷ୍ଟାର୍କଙ୍କ ଏକ ବାଉଁସର ଜାଡେଜାଙ୍କ ହାତରେ ବାଜିବା ପରେ ଯନ୍ତ୍ରଣା ଅନୁଭବ କରିଛନ୍ତି ଜାଡେଜା । ମ୍ୟାଚ୍ ପରେ ପରେ ଜାଡେଜାଙ୍କୁ ସ୍କାନିଂ ପାଇଁ ପଠାଯାଇଛି ।

ପନ୍ତ ଆହତ ହେବା ପରେ ତାଙ୍କ ସ୍ଥାନରେ ରିଦ୍ଧିମାନ ଶାହା ୱିକେଟ୍ କିପିଂ କରୁଛନ୍ତି । ଜାଡେଜା ଦ୍ୱିତିୟ ଇନିଂସରେ ଆଉ ବୋଲିଂ ପାଇଁ ଆସିନାହାନ୍ତି । ଚଳିତ ଅ ଷ୍ଟ୍ରେଲିଆ ଗସ୍ତରେ ଆହତ ସମସ୍ୟା ଭାରତ ପାଇଁ ଚିନ୍ତାଜନକ ରହିଛି । ପ୍ରଥମେ ପେସ୍ ବୋର ମହମ୍ମଦ ସାମି, ପରେ ଉମେଶ ଯାଦବ ଆହତ କାରଣରୁ ଦଳରୁ ବାଦ୍ ପଡିଛନ୍ତି । ଏବେ ପନ୍ତଙ୍କ ଆହତ ସମସ୍ୟା ଚିନ୍ତା ବଢାଇବା ପରି ହୋଇଛି । ସିରିଜରେ ଆହୁରି ଗୋଟିଏ ଟେଷ୍ଟ ବାକି ଥିବା ବେଳେ ପନ୍ତ ଓ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଡାଙ୍କ ଆଘାତ ବିସିସିଆଇ ପାଇଁ ଚିନ୍ତା ବଢାଇବ ନିଶ୍ଚୟ ।