କନକ ବ୍ୟୁରୋ : କାନପୁରରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଇତିହାସ ରଚିଛନ୍ତି ଭାରତର ଟପ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ । ଟେଷ୍ଟ କ୍ରିକେଟରେ ୪୧୬ଟି ୱିକେଟ୍ ନେବା ସହ ସବୁଠୁ ଅଧିକ ଟେଷ୍ଟ ୱିକେଟ୍ ନେବାରେ ୱାସିମ୍ ଆକ୍ରମଙ୍କୁ ପଛରେ ପକାଇଛନ୍ତି ଅଶ୍ୱିନୀ । ଏହି ସଫଳତା ସହ ସବୁଠୁ ଅଧିକ ୱିକେଟ୍ ନେଇଥିବା ଖେଳାଳୀଙ୍କ ତାଲିକାରେ ୧୪ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି ରବିଚନ୍ଦ୍ରନ ଅଶ୍ୱିନୀ ।

Advertisment

୨୦୨୧ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀଙ୍କ ପାଇଁ ବେଶ୍ ସଫଳ ବର୍ଷ ସାବ୍ୟସ୍ତ ହୋଇଛି । ଚଳିତ ବର୍ଷ ସେ ବିଶ୍ୱର ସର୍ବାଧିକ ଟେଷ୍ଟ ୱିକେଟ୍ ଦଖଲକାରୀ ବୋଲରର ମାନ୍ୟତା ପାଇଛନ୍ତି । ଚଳିତ ବର୍ଷ ଏପର୍ଯ୍ୟନ୍ତ ସେ ୩୯ଟି ୱିକେଟ୍ ନେଇସାରିଲେଣି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେ ପାକିସ୍ତାନୀ ବୋଲର ଶାହିନ ଆଫ୍ରିଦିଙ୍କୁ ଟପି ଏହି ସଫଳତା ହାସଲ କରିଛନ୍ତି । କାନପୁରଠାରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ସେ ୱିଲ ୟଙ୍ଗଙ୍କ ୱିକେଟ୍ ନେଇ ଏହି ସଫଳତା ହାସଲ କରିଛନ୍ତି । ୟଙ୍ଗ୍ ୮୯ ରନରେ ଆଉଟ ହୋଇଥିଲେ ।

କେବଳ ବୋଲିଂ ନୁହେଁ, ଚଳିତବର୍ଷ ବ୍ୟାଟିଂରେ ବି ସେ କମାଲ ଦେଖାଇଛନ୍ତି । ବର୍ଷ ଆରମ୍ଭରୁ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ସିଡନି ଟେଷ୍ଟରେ ସେ ଲଢୁଆ ବ୍ୟାଟିଂ କରି ଭାରତକୁ ନିଶ୍ଚିତ ପରାଜୟରୁ ରକ୍ଷା କରି ମ୍ୟାଚ ଡ୍ର କରିଥିଲେ । ତେବେ ଆହତ ଜନିତ କାରଣରୁ ସେ କିଛି ଦିନ ପାଇଁ ଟିମରୁ ବାଦ ପଡ଼ିଥିଲେ । ପରେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ସେ ୩୨ଟି ୱିକେଟ୍   ନେଇଥିଲେ । ଏହି ସିରିଜର ୨ୟ ମ୍ୟାଚରେ ସେ ଶତକ ହାସଲ କରିଥିଲେ, ଯାହାକି ଭାରତର ବିଜୟରେ ସହାୟକ ହୋଇଥିଲା ।