କନକ ବ୍ୟୁରୋ: ଭାରତ- ଅଷ୍ଟ୍ରେଲିଆ ଭିତରେ ଦିଲ୍ଲୀରେ ଚାଲିଛି ବର୍ଡର-ଗାଭାସ୍କର ଟ୍ରଫି । ସିରିଜର ଦ୍ୱିତୀୟ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଦୁଇ ଦଳ । ତେବେ ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଛି ଅଷ୍ଟ୍ରେଲିଆ । ହେଲେ ଟିମ୍ ଇଣ୍ଡିଆର ସ୍ପିନ୍ ଯୋଡି ଅଷ୍ଟ୍ରେଲିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନୀ ପୁଣିଥରେ କଙ୍ଗାରୁ ବ୍ୟାଟ୍ସମ୍ୟାନମାନଙ୍କୁ ଅଡୁଆରେ ପକାଇବା ସହିତ ରେକର୍ଡ ବୁକରେ ନିଜ ନାଁକୁ ସାମିଲ କରିଛନ୍ତି ।

Advertisment

ରବିଚନ୍ଦ୍ରନ ଅଶ୍ୱିନୀ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ ୱିକେଟ୍ ନେବାର ଗୌରବ ଅର୍ଜନ କରିଛନ୍ତି । ସେହିପରି ରବୀନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରେ ନିଜର ୨୫୦ ୱିକେଟ୍ ଅର୍ଜନ କରିଛନ୍ତି । ତେବେ ଦୁହିଁଙ୍କ ପାଇଁ ଏହି ରେକର୍ଡ ବେଶ ସ୍ପେଶାଲ ଅଟେ । ପ୍ରଥମ ଟେଷ୍ଟ ମ୍ୟାଚରେ ଅଶ୍ୱିନୀ ଟେଷ୍ଟ କ୍ରିକେଟରେ ୪୫୦ ୱିକେଟ୍ ଅକ୍ତିଆର କରିବାର ରେକର୍ଡ ହାସଲ କରିଥିଲେ । ଦ୍ୱିତୀୟ ଟେଷ୍ଟରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ମୋଟ ୧୦୦ ୱିକେଟ୍ ହାସଲ କରିବାର ରେକର୍ଡ କରିଛନ୍ତି । ତେବେ ଏପରି ରେକର୍ଡ କରିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ବୋଲର । ତାଙ୍କ ପୂର୍ବରୁ ଅନୀଲ କୁମ୍ବଲେ ଏହି ରେକର୍ଡ କରିପାରିଥିଲେ ।

ରବୀନ୍ଦ୍ର ଜାଡେଜା ଟେଷ୍ଟରେ କମାଲ କରିବା ସହିତ ଏହି ଫର୍ମାଟରେ ୨୫୦ ୱିକେଟ୍ ସହ ୨୫୦୦ ରନ୍ କରିଛନ୍ତି । ଟେଷ୍ଟ କ୍ରିକେଟରେ ସବୁଠୁ କମ୍ ମ୍ୟାଚ୍ ଖେଳି ଏଭଳି ରେକର୍ଡ କରିବାରେ ସେ ହେଉଛନ୍ତି ଦ୍ୱିତୀୟ କ୍ରିକେଟର । ତାଙ୍କ ପୂର୍ବରୁ ଇଆନ୍ ବୋଥାମ୍ ଏପରି କରି ଦେଖାଇଥିଲେ । ଇଆନ୍ ବୋଥାମ୍ ଏପରି ରେକର୍ଡ କରିବାକୁ ୫୫ଟି ଟେଷ୍ଟ ମ୍ୟାଚ୍ ଖେଳିଥିବାବେଳେ, ଜାଡେଜା ୬୨ଟି ମ୍ୟାଚ୍ ଖେଳି ୨୫୦୦ ରନ୍ ଓ ୨୫୦ ୱିକେଟ୍ ହାସଲ କରିଛନ୍ତି । ତେବେ ଲିଷ୍ଟକୁ ଦେଖିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ଇମ୍ରାନ୍ ଖାନଙ୍କୁ ଟପି ଏପରି ରେକର୍ଡ ହାସଲ କରିଛନ୍ତି ସାର୍ ଜାଡେଜା ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍ ଖେଳାଯାଉଛି । ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ । ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍ ହାରିଥିବାରୁ, ଏହି ମ୍ୟାଚରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଭାରତ ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରି ଟେଷ୍ଟ ରାକିଙ୍ଗର ନମ୍ବର ଏକ ସ୍ଥାନକୁ ଯିବାକୁ ଲକ୍ଷ୍ୟ ରଖିଛି ।