ଭାରତୀୟ ‘ର’ ଏଜେନ୍ସିର ମୁଖ୍ୟ ହେବେ ରବି ସିହ୍ନା, ଜୁଲାଇ ପହିଲାରୁ ସମ୍ଭାଳିବେ କାର୍ଯ୍ୟଭାର

95

କନକ ବ୍ୟୁରୋ : ଭାରତର ଗୁଇନ୍ଦା ସଂସ୍ଥା ବା ‘ର’ ଏଜେନ୍ସିର ମୁଖ୍ୟଭାବେ ରବି ସିହ୍ନାଙ୍କ ନାମ ଚୟନ କରାଯାଇଛି । ବରିଷ୍ଠ ଆଇପିଏସ ଅଫିସର ରବି ସିହ୍ନା ଗୁଇନ୍ଦା ସଂସ୍ଥାର ମୁଖ୍ୟ ହେବେ । ରବି ସିହ୍ନା ଏବେ ଗୁଇନ୍ଦା ବିଭାଗର ଅପରେଶନ ୱିଙ୍ଗର ମୁଖ୍ୟ ଅଛନ୍ତି । ସେ ଜୁଲାଇ ପହିଲାରୁ ଗୁଇନ୍ଦା ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ସେ ୧୯୮୮ ବ୍ୟାଚ ଛତିଶଗଡ କ୍ୟାଡରର ଆଇପିଏସ ଅଫିସର । ସୋମବାର ଦି ନିଯୁକ୍ତି କମିଟି ତରଫରୁ ରବି ସିହ୍ନାଙ୍କ ନାମ ଘୋଷଣା କରାଯାଇଛି ।

ରବି ସିହ୍ନାଙ୍କୁ ଏଭଳି ସମୟରେ ଦାୟୀତ୍ୱ ମିଳିଛି ଯେଉଁ ସମୟରେ ପଡୋଶୀ ଦେଶ ପାକିସ୍ତାନରେ ରାଜନୈତିକ ଓ ଆର୍ଥିକ ସଂକଟ ଜୋର ଧରିଛି । ଏହା ବ୍ୟତୀତ ବିଦେଶରେ ଖଲିସ୍ଥାନୀ ସମର୍ଥକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାସହ ମଣିପୁରରେ ଦେଢମାସ ଧରି ହିଂସା ଲାଗି ରହିଛି ।

ଦିଲ୍ଲୀର ସେଣ୍ଟ ଷ୍ଟିଫନ୍ସ କଲେଜରେ ପାଠ ପଢିଥିବା ରବି ସିହ୍ନା ଅନେକ କ୍ଷେତ୍ରରେ କାମ କରିଛନ୍ତି । ରବି ସିହ୍ନା ଜମ୍ମୁ-କାଶ୍ମୀର ବ୍ୟତୀତ ଭାରତର ପଡୋଶୀ ଦେଶ ସହ ପୂର୍ବୋତ୍ତର ଓ ବାମପନ୍ଥୀ ଉଗ୍ରବାଦ ଅଞ୍ଚଳରେ ମଧ୍ୟ କାମ କରିଛନ୍ତି ।

ସୂଚନା ଥାଉକି ଗୁଇନ୍ଦା ବିଭାଗର ଏବେ ମୁଖ୍ୟଥିବା ସାମନ୍ତ ଗୋଏଲ ଜୁନ ୩୦ ତାରିଖରେ ଅବସର ନେବାକୁ ଯାଉଛନ୍ତି । ସାମନ୍ତ ଗୋଏଲଙ୍କୁ ଜାମ୍ମୁ-କାଶ୍ମୀରର ଏକ୍ସପର୍ଟ ବୋଲି କୁହାଯାଏ । ସେ ୨୦୧୯ ମସିହାରେ ପୁଲୱାମା ଆକ୍ରମଣ ପରେ ବାଲାକୋଟ୍ ଏୟାର ଷ୍ଟ୍ରାଇକ ବେଳେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।

‘ର’ ପ୍ରକୃତରେ ବାହାରର ଗୁଇନ୍ଦା ସଂସ୍ଥା । ଏହି ଏଜେନ୍ସିର କାମ ହେଉଛି ବିଦେଶରେ ଭାରତ ବିରୋଧୀ ଗତିବିଧି ଉପରେ ନଜର ରଖିବା । ଏମାନେ ଲୁଚାଛପାରେ କାମ କରୁଥିବାରୁ ସେମାନଙ୍କ ବାବଦରେ ସାଧାରଣରେ କମ୍ ଖବର ରହିଥାଏ ।