ଶାସ୍ତ୍ରୀଙ୍କ ବଡ ବୟାନ । ଟି-୨୦ରେ ରୋହିତ, କୋହଲିଙ୍କଠାରୁ ଆଗକୁ ବଢୁ ଟିମ୍ ଇଣ୍ଡିଆ । ଯୁବ ଖେଳାଳିଙ୍କୁ ଟିମରେ ମିଳୁ ସୁଯୋଗ ।

881

କନକ ବ୍ୟୁରୋ: ଦିନିକିଆ ବିଶ୍ୱକପ୍ ପରେ ୨୦୨୪ରେ ଖେଳାଯିବାକୁ ଅଛି ଟି-୨୦ ବିଶ୍ୱକପ୍ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ କେଉଁ ଭଳି ଦଳ ପଡିଆକୁ ଓହ୍ଲାଇବା ଦରକାର, ସେନେଇ ବଡ ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବିଶାସ୍ତ୍ରୀ । ତାଙ୍କ କହିବା କଥା, ଏବେ ସମୟ ଆସିଯାଇଛି, ଟିମ୍ ଇଣ୍ଡିଆ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଛାଡି ଟି-୨୦ରେ ଆଗକୁ ବଢିବା ଉଚିତ୍ । ଦଳରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଶାସ୍ତ୍ରୀ କହିଛନ୍ତି ।

ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶାସ୍ତ୍ରୀ କହିଛନ୍ତି, ଆଇପିଏଲ୍ ପରେ ଯେଉଁ ବି ପ୍ରଥମ ଟି-୨୦ ସିରିଜ୍ ହେବାକୁ ଅଛି, ସେହି ଟିମରେ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବା ଉଚିତ୍ । ଯଶସ୍ୱୀ ଜୟସୱାଲ, ଜିତେଶ ଶର୍ମା, ତିଲକ ବର୍ମାଙ୍କ ଭଳି ଖେଳାଳିଙ୍କୁ ତୁରନ୍ତ ଟିମ୍ ଇଣ୍ଡିଆରେ ମୌକା ମିଳୁ । ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ଖେଳାଳି ନିଜକୁ ପ୍ରମାଣିତ କରିସାରିଲେଣି । ଏବେ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବା ଉଚିତ୍ । ଯାହା ଫଳରେ ରୋହିତ, କୋହଲିଙ୍କ ଭଳି ଖେଳାଳି ଦିନିକିଆ ଓ ଟେଷ୍ଟ କ୍ରିକେଟକୁ ଅଧିକ ଫୋକସରେ ରଖିପାରିବେ ।

ଅନ୍ୟପଟେ ଶାସ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୪ରେ ଟି-୨୦ ବିଶ୍ୱକପ୍ ହେବ । ଏଥିପାଇଁ ଏବେ ଆହୁରି ବର୍ଷେ ସମୟ ବାକି ଅଛି । ତେବେ ଟି-୨୦ ଫର୍ମାଟରେ ସିଲେକ୍ସନ ବର୍ତ୍ତମାନ ଫର୍ମକୁ ନେଇ ହେବା ଉଚିତ୍ । ବର୍ଷେ ସମୟ ବହୁତ ଅଟେ । ତେଣୁ ଦଳରେ ଯୁବ ଖେଳାଳିଙ୍କୁ ତୁରନ୍ତ ସୁଯୋଗ ଦେବାକୁ ଶାସ୍ତ୍ରୀ କହିଛନ୍ତି । ଦଳର ଅଧିନାୟକ ପଦକୁ ନେଇ ଶାସ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ହାର୍ଦ୍ଦିକ ଯେଉଁଭଳି ଭାବେ ଗୁଜରାଟ ଟାଇଟନ୍ସର କ୍ୟାପଟେନ୍ ଦାୟିତ୍ୱ ତୁଲାଉଛନ୍ତି, ସେହି ଅନୁସାରେ ତାଙ୍କୁ ଦଳର ଫୁଲଟାଇମ୍ ଟି-୨୦ କ୍ୟାପଟେନ୍ ବଛାଯାଉ ବୋଲି ସେ କହିଛନ୍ତି । ଏଥିସହ ପ୍ରତିଟି ପୋଜିସନ୍ ପାଇଁ ବଛା ବଛା ଖେଳାଳିଙ୍କୁ ବଛାଯାଉ ବୋଲି ଶାସ୍ତ୍ରୀ କହିଛନ୍ତି ।