ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦରୁ ବିଦାୟ ନେବା ପରେ….କ’ଣ କରିବେ ରବି ଶାସ୍ତ୍ରୀ?

836

କନକ ବ୍ୟୁରୋ: ଆଇସିସି ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଅଛନ୍ତି ରବି ଶାସ୍ତ୍ରୀ । ଦଳର ମୁଖ୍ୟ କୋଚ୍ ଭାବେ ଏହା ହେବ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ । କାହିଁକି ନା, ବିଶ୍ୱକପ୍ ପରେ ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ପଦରୁ ହଟିଯିବେ । ତାଙ୍କ ସ୍ଥାନରେ ନୂଆ କୋଚ୍ ଭାବେ ରାହୁଲ ଦାବ୍ରିଡ୍ ଟିମ୍ ଇଣ୍ଡିଆର ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହା ସହିତ ଏବେ ଆଉ ଗୋଟିଏ କଥା ମଧ୍ୟ ଖୁବ ଜୋରରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ପଦରୁ ଅବସର ନେବା ପରେ କଣ କରିବେ ରବି ଶାସ୍ତ୍ରୀ? କେଉଁ ନୂଆ କାମରେ ଯୋଗ ଦେବେ ଶାସ୍ତ୍ରୀ? ଏହିସବୁ ପ୍ରଶ୍ନ ଏବେ ଚାରିଆଡେ ଚର୍ଚ୍ଚା ସୃଷ୍ଟି କରୁଛି । କୁହାଯାଉଛି, ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେବା ପରେ ଶାସ୍ତ୍ରୀ ପୁଣି ଭାଷ୍ୟକାର ପଦକୁ ଫେରିପାରନ୍ତି । ଟିମ୍ ଇଣ୍ଡିଆର କୋଚ୍ ହେବା ପୂର୍ବରୁ ସେ ଏହି କାମ କରୁଥିଲେ । ଯେଉଁଥିରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ମଧ୍ୟ ରହିଛି ।

ରବି ଶାସ୍ତ୍ରୀ ନିଜର ଦମଦାର ଭଏସ୍ ପାଇଁ ବେଶ ଲୋକପ୍ରିୟ । ଭାଷ୍ୟକାର ଭୂମିକାରେ ତାଙ୍କର ସ୍ୱରକୁ ଅନେକ ପସନ୍ଦ କରିଥାନ୍ତି । ୨୦୦୭ ଟି-୨୦ ବିଶ୍ୱକପରେ ଯୁବରାଜଙ୍କ ୬ ବଲରେ ୬ ଛକା ହେଉ ଅବା ୨୦୧୧ ବିଶ୍ୱକପ ଫାଇନାଲର ଶେଷ ମୁହୂର୍ତ୍ତ ସବୁଠି ରବି ଶାସ୍ତ୍ରୀଙ୍କ ସ୍ୱର ହିଁ ଶୁଣିବାକୁ ମିଳିଥାଏ । ତେଣୁ କୁହାଯାଉଛି ଟିମ୍ ଇଣ୍ଡିଆର କୋଚ୍ ପଦରୁ ହଟିବା ପରେ ଶାସ୍ତ୍ରୀ ପୁଣି ଭାଷ୍ୟକାର ଭୂମିକାକୁ ଫେରିପାରନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୭ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ ଅନୀଲ କୁମ୍ବଲେ । ଏହାପରେ ଏହି ପଦରେ ବିସିିସିଆଇ ରବି ଶାସ୍ତ୍ରୀଙ୍କୁ ବସାଇଥିଲା । ରବି ଶାସ୍ତ୍ରୀଙ୍କ ରଣନୀତିକୁ ନେଇ ଦଳ ୨୦୧୯ ବିଶ୍ୱକପ୍ ଖେଳିଥିଲେ ମଧ୍ୟ ବିଶ୍ୱକପ୍ ବିଜୟୀ ହୋଇପାରିନଥିଲା । ଆଉ ଏବେ ୨୦୨୧ ଟି-୨୦ ବିଶ୍ୱକପରେ ଦଳକୁ ବିଶ୍ୱକପ୍ ବିଜୟୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ରବି ଶାସ୍ତ୍ରୀ ।