କନକ ବ୍ୟୁରୋ : ଅଭିନେତାରୁ ରାଜନେତା ହୋଇଥିବା ଗୋରଖପୁରର ବିଜେପି ସାଂସଦ ରବି କିଶନ ଏକ ଖୁସି ଖବର ତାଙ୍କ ପ୍ରଶଂସକଙ୍କୁ ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି । ଏହି ଖୁସି ଖବରଟି ହେଉଛି ରବି କିଶନଙ୍କ ୨୧ବର୍ଷୀୟ ଝିଅ ଇଶିତା ଶୁକ୍ଳା ପ୍ରତିରକ୍ଷା କ୍ଷେତ୍ରରେ ସାମିଲ ହୋଇଛନ୍ତି । ଇଶିତା ଦିଲ୍ଲୀ ନିର୍ଦ୍ଦେଶାଳୟର ୭ ମହିଳା ବାଟାଲିନର କ୍ୟାଟେଡରେ ଯୋଗ ଦେଇଥିଲେ । ଝିଅ ଅଗ୍ନିବୀର ହେବା ପରେ ଟ୍ୱିଟରରେ ରବି କିଶନ ଏହି ଖବର ଜଣାଇଛନ୍ତି। ଏଥିସହିତ ପ୍ରତି ଝିଅଙ୍କୁ ସେମାନଙ୍କ ଜୀବନର ନିଷ୍ପତ୍ତି ନେବାକୁ ସ୍ୱାଧୀନତା ଦେବା ଉଚିତ ବୋଲି କିଶନ କହିଛନ୍ତି ।

Advertisment

ଅଗ୍ନୀପଥ ଯୋଜନାର ଉଦ୍ଦେଶ୍ୟ ସେନା, ନୌସେନା ଓ ବାୟୁସେନାର କର୍ମୀଙ୍କୁ ଭର୍ତ୍ତି କରିବା। ଏଥିରେ ଭର୍ତ୍ତି ହୋଇଥିବା କର୍ମୀଙ୍କୁ ଚାରିବର୍ଷ ପର୍ଯ୍ୟନ୍ତ ସଶସ୍ତ୍ର ବଳରେ ସେବା କରିବା ପାଇଁ ଅନୁମତି ଦେଇଥାଏ।

ରବିଙ୍କ ଠାରୁ ଏଭଳି ଖୁସି ଖବର ପାଇବା ପରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ତଥା ଅଭିନେତାରୁ ରାଜନେତା ହୋଇଥିବା କିସନଙ୍କ ପ୍ରଶଂସକ କହିଛନ୍ତି,  ‘ପ୍ରଥମ ରାଜନେତା ହେଉଛନ୍ତି ରବି ଯାହାଙ୍କ ପିଲା ପ୍ରତିରକ୍ଷା କ୍ଷେତ୍ରରେ ସାମିଲ ହୋଇ ଦେଶର ସେବା କରିବେ। ଯାହାକି ମୋତେ ଖୁସି ଲାଗୁଛି। ଭାରତ ବଦଳୁଛି।’

ଇଶିତା ଶୁକ୍ଳାଙ୍କ ବ୍ୟତୀତ ରବି କିସନଙ୍କ ଅନ୍ୟ ତିନିଜଣ ପିଲା ଅଛନ୍ତି। ଯାହାଙ୍କ ନାମ ହେଉଛି ରିବା, ତନିଷ୍କ ଓ ସକ୍ଷମ। ରିବା ଅଭିନୟ କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିଥିବା ‌ବେଳେ ଆମେରିକାରେ ଆକ୍ଟିଂ ପାଠପଢ଼ିଛନ୍ତି।