କନକ ବ୍ୟୁରୋ : ବିଜେପି ସାଂସଦଙ୍କ ଟାର୍ଗେଟରେ ବିଜେପି ସାଂସଦ । ନାଇଟ କର୍ଫ୍ୟୁ ଓ ରାଜନୈତିକ ରାଲିକୁ ନେଇ ବିଜେପି ସାଂସଦ ବରୁଣ ଗାନ୍ଧୀ ଦେଇଥିବା ବୟାନର କଡା ଜବାବ ରଖିଛନ୍ତି ଗୋରଖପୁରରୁ ସାଂସଦ ରବି କିଷାନ । ବରୁଣ ଏଭଳି ଶସ୍ତା ବୟାନବାଜି ବନ୍ଦ କରନ୍ତୁ । କିଛି ଲାଇକ ପାଇଁ ଟ୍ୱିଟରରେ ରାଜନୀତି ବନ୍ଦ କରି ନିଜ ନିର୍ବାଚନମଣ୍ଡଳୀ ବରୁଣ ଯାଆନ୍ତୁ । ବରୁଣ ଏଭଳି କାହିଁକି କହୁଛନ୍ତି ତାହା ବୁଝାପଡୁନି । ତେବେ ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଶେଷଜ୍ଞଙ୍କ ଉପରେ କରୋନା ମୁକାବିଲା କିଭଳି କରାଯିବ ତାହା ଛାଡିଦେବା ଆବଶ୍ୟକ । ପୂରା ଦେଶ ବାବଦରେ ଚିନ୍ତା କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଏକା ହିଁ ଯଥେଷ୍ଟ ।
ଏହାସହ ରବି କିଷାନ କହିଛନ୍ତି, ବ୍ରାହ୍ମଣ କେବେ ବି ବିଜେପି ଉପରେ ଅସନ୍ତୁଷ୍ଟ ନାହାନ୍ତି । ବିଜେପି ସହ ସବୁବେଳେ ରହି ଆସିଛନ୍ତି ବ୍ରାହ୍ମଣ, ଆଗକୁ ମଧ୍ୟ ରହିବେ । ଯେଉଁମାନଙ୍କର କଥା ଓ କାମ ଭିତରେ ଫରକ ରହେ ନାହିଁ ସେମାନଙ୍କ ସହ ସବୁବେଳେ ରହି ଆସିଛନ୍ତି ବ୍ରାହ୍ମଣ ।
ଏହାପୂର୍ବରୁ ଟ୍ୱିଟ୍ କରି ବରୁଣ କହିଥିଲେ, ଓମିକ୍ରନର ମୁକାବିଲା ପାଇଁ ରାତିରେ କର୍ଫ୍ୟୁ ଲଗାଇବା ଓ ଦିନରେ ହଜାର ହଜାର ଲୋକଙ୍କୁ ଏକାଠି କରି ରାଲି କରିବା । ଏହାର ବାସ୍ତବ ଅର୍ଥ କଣ ବୁଝାପଡୁନି । ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବାକୁ ପଡିବ କି ଆମର ପ୍ରାଥମିକତା କଣ? ଭୟାବହ ଓମିକ୍ରନର ମୁକାବିଲା କରିବା ନା ନିର୍ବାଚନ ରାଲିରେ ଶକ୍ତି ପ୍ରଦର୍ଶନ କରିବା ।
ଦେଶରେ ଓମିକ୍ରନ ସଂକ୍ରମଣ ମାମଲା ବଢିବା ପରେ ଉତ୍ତରପ୍ରଦେଶରେ ଶନିବାର ରାତି ଠାରୁ ନାଇଟ କର୍ଫ୍ୟୁ କଟକଣା ଲାଗୁ କରାଯାଇଛି । ରାତି ୧୧ଟାରୁ ସକାଳ ୫ଟା ଯାଏଁ ଲୋକଙ୍କୁ ବିନା କାରଣରେ ବାହାରେ ବୁଲିବା ଉପରେ କଟକଣା ଲାଗିଛି । ଏହାବାଦ୍ ବାହାଘର, ବ୍ରତଘର ଭଳି ଉତ୍ସବରେ ଅତିଥିଙ୍କ ସଂଖ୍ୟାକୁ ୨୦୦ ଭିତରେ ସୀମିତ ରଖିବାକୁ କୁହାଯାଇଛି । କିନ୍ତୁ ଅନ୍ୟପଟେ ସକାଳ ହେବା କ୍ଷଣି ରାଜନୈତିକ ଦଳ ଗୁଡିକ ହଜାର ହଜାର ଲୋକଙ୍କୁ ନେଇ ରାଲି, ସଭା କରୁଛନ୍ତି । ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସୁରକ୍ଷା ଦେଉଛି । ସାଧାରଣ ଲୋକ ଯେଉଁଠି କୋଭିଡ ନିୟମ ଉଲ୍ଲଂଘନ କଲେ ଜରିମାନା ଗଣୁଛି ସେତେବେଳେ ରାଜନୈତିକ ଦଳ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ କାହିଁକି ପଛଘୁଞ୍ଚା ଦେଉଛି ବୋଲି ପ୍ରଶ୍ନ କରିଛନ୍ତି ଲୋକେ । ଆଉ ଏଥିରେ ସ୍ୱର ମିଳାଇଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ଆଉ ଏଭଳି କହି ଯୋଗୀ ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ବରୁଣ ।
ବିଜେପି ଓ ଯୋଗୀ ସରକାରକୁ ଟାର୍ଗେଟ କରିବା ବରୁଣଙ୍କ ପାଇଁ ପ୍ରଥମ ନୁହେଁ । ଏହାପୂର୍ବରୁ ଅନେକ ପ୍ରସଙ୍ଗରେ ଦଳକୁ ଅଡୁଆରେ ପକାଇଛନ୍ତି ବରୁଣ । ଆଉ ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ ସଂକେତ ଦେଇଛନ୍ତି ଯେ, ଖୁବଶୀଘ୍ର ବରୁଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ ଦଳ ।