ରେଭେନ୍ସା ବନାମ ଉତ୍କଳ ବିଶ୍ୱବିଦ୍ୟାଳୟ: ନାକ୍ ମାନ୍ୟତା ପରେ ବିତର୍କ

508

କନକ ବ୍ୟୁରୋ: ରେଭେନ୍ସା ବିଦ୍ୟାଳୟକୁ ନାକ୍ ପକ୍ଷରୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ମିଳିବା ପରେ ଏବେ ସମସ୍ତଙ୍କ ନଜର ଉକ୍ରଳ ବିଶ୍ୱବିଦ୍ୟାଳୟ ଉପରେ, କାରଣ ଚଳିତବର୍ଷ ଏ ପ୍ଲସ୍ ମାନ୍ୟତାରୁ କେବଳ ଏ’ ମାନ୍ୟତାକୁ ଖସିଆସିଥିଲା ଉକ୍ରଳ ବିଶ୍ୱବିଦ୍ୟାଳୟ । ହେଲେ ଏହାପଛର କାରଣ କ’ଣ? କ’ଣ କହୁଛନ୍ତି ଛାତ୍ରଛାତ୍ରୀ ଓ କ’ଣ କହୁଛନ୍ତି ଶିକ୍ଷାବିତ?

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍ ଟିମ୍ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ଦେବା ପରେ ଏବେ ନଜର ଉକ୍ରଳ ବିଶ୍ୱବିଦ୍ୟାଳୟ ଉପରେ ପଡ଼ିଛି । ରାଜ୍ୟର ଏକ ନମ୍ବର ସରକାରୀ ବିଶ୍ୱବିଦ୍ୟାଳୟ ଉକ୍ରଳ ବିଶ୍ୱବିଦ୍ୟାଳୟ । ବଡ଼ ମଣିଷ ହେବାର, କ୍ୟାରରିୟର ଗଢ଼ିବାର ସ୍ୱପ୍ନ ନେଇ ସାରା ରାଜ୍ୟରୁ ଛାତ୍ରଛାତ୍ରୀମାନେ ଏଠାକୁ ସବୁ ବର୍ଷ ଛୁଟି ଆସିନ୍ତି । ବାଣୀବିହାରରେ ପାଠ ପଢ଼ିବେ, ଅନେକଙ୍କ ଭିତରେ ଜଣେ ହୋଇ ନିଜକୁ ପ୍ରତିଷ୍ଠା କରିବେ । ହେଲେ କେମିତି ଚାଲିଛି ଉକ୍ରଳ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ା । ଚଳିତ ବର୍ଷ ଆରମ୍ଭରେ ନାକ୍ ମାନ୍ୟତାରେ ତଳକୁ ଖସିଥିଲା ଉକ୍ରଳ ୟୁନିଭର୍ସିଟି । ଏ ପ୍ଲସ୍ ମାନ୍ୟତାରୁ ଏ କୁ ଖସିଆସିଥିଲା । ହେଲେ ଏହା ପଛର କାରଣ କ’ଣ? ଏନେଇ ଛାତ୍ରଛାତ୍ରୀ କ’ଣ କହୁଛନ୍ତି । ପିଲାଙ୍କ କହିବା କଥା ଭିତିଭୂମିର ଅଭାବ ରହିଛି । ସମ୍ବୂର୍ଣ୍ଣ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଆଲୋକୀକରଣର ସୁବିଧା ନାହିଁ । ମହିଳା ଛାତ୍ରୀବାସରୁ ଶ୍ରେଣୀକକ୍ଷ ଦୂର ହୋଇଥିବାରୁ ଯିବାଆସିବାରେ ଅସୁବିଧା ହେଉଛି । ଆଇକାର୍ଡ଼ ମିଳିବାରେ ମଧ୍ୟ ବିଳମ୍ବ ହେଉଛି, ଫଳରେ ଲାଇବ୍ରେରୀ ଯାଇ ପିଲା ପାଠ ପଢ଼ିପାରୁ ନାହାନ୍ତି ।

ସେପଟେ ଉକ୍ରଳ ବିଶ୍ୱବିଦ୍ୟାଳୟର ଏପରି ଅବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି ଶିକ୍ଷାବିତ । ଉଚ୍ଚ ଶିକ୍ଷା ବିଭାଗ ଏଥିପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ । ରାଜଧାନୀରେ ଉକ୍ରଳ ୟୁନିଭର୍ସିଟିରେ ଯଦି ଭିତିଭୂମିର ଅଭାବ ରହିଛି, ତାହେଲେ ଅନ୍ୟ ଜାଗାରେ ଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକର କିପରି ଅବସ୍ଥା ଥିବ ବୋଲି ଶିକ୍ଷାବିତ ପ୍ରଶ୍ନ ଉଠାଇଛନ୍ତି । କେବଳ ଶିକ୍ଷାଦାନ ନୁହେଁ ପିଲାଙ୍କ ଭିତରେ ଥିବା ଅନ୍ତର୍ନିହତ ଗୁଣର ପରିକ୍ରକାଶ ଉପରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯିବା ଜରୁରୀ ।

ଏସବୁ ଭିତରେ ନାକ୍ର ଏକ ୫ ଜଣିଆ ଟିମ୍ ଅକ୍ଟୋବରରେ ଦ୍ୱିତୀୟ ଥର ପାଇଁ ନିକଟରେ ଉକ୍ରଳ ୟୁନିଭର୍ସିଟିରେ ଅନୁଧ୍ୟାନ କରି ଫେରିଛନ୍ତି । ରାଜ୍ୟପାଳ ଚିଠି ଲେଖିବା ପରେ ନାକ୍ ଟିମ୍ ପୁନର୍ବାର ଏହି ଅନୁଧ୍ୟାନ କରିଛନ୍ତି । ହେଲେ ଏହାର ରିପୋର୍ଟ ଏଯାଏଁ ଆସିନାହିଁ । ସେପଟେ ୨୭ ନଭେମ୍ବରରେ ଉକ୍ରଳ ବିଶ୍ୱବିଦ୍ୟାଳୟ ୮୧ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବାକୁ ଥିବା ବେଳେ ନାକ ଟିମର ରିପୋର୍ଟକୁ ଅପେକ୍ଷା କରିଛନ୍ତି ଛାତ୍ରଛାତ୍ରୀ ଓ କର୍ତୃପକ୍ଷ ।

ଗୋଟିଏ ପଟେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ପାଇ ଇତିହାସ ରଚିଛି । ଏପଟେ ଉକ୍ରଳ ୟୁନିଭର୍ସିଟିକୁ ନେଇ ପ୍ରଶ୍ନ ଚିହ୍ନ ଉଠିଛି । ରାଜ୍ୟର ଏକ ନମ୍ବର ବିଶ୍ୱବିଦ୍ୟାଳୟର ମାନ୍ୟତାରେ ଉନ୍ନତି ପାଇଁ କର୍ତୃପକ୍ଷ କେଉଁ କେଉଁ ନୂଆ ପଦକ୍ଷେପ ନେବେ, ତାରି ଉପରେ ନଜର ରହିବ ।