ମଦ ପିଇଦେଲା ମୂଷା…ମୂଷା ପେଟରେ ୨୪୦୦ ପେଟି ମଦ । ୩୦ ଲକ୍ଷ ଟଙ୍କାର ମଦ ଜବତ କଲା ପୋଲିସ । ଥାନାରେ ମୂଷା ପିଇଦେଲେ ୨୪୦୦ ପେଟି ମଦ । ଆଶ୍ଚର୍ଯ୍ୟ କରିଦେଲା କ୍ରାଇମବ୍ରାଞ୍ଚର ରିପୋର୍ଟ…

740

କନକ ବ୍ୟୁରୋ : ମୂଷା ପିଇଦେଲା ମଦ । ମୂଷା ପେଟରେ ପଡିଲା ୨୪୦୦ ପେଟି ମଦ । ମଦ ପିଇଦେଲା ମୂଷା । ପେଟି ପେଟି ମଦ ପିଇ ସଫା କରିଦେଲା ମୂଷା । ମଦ ଜବତ ପରେ ଥାନାରେ ଥିବା ୨୪୦୦ ପେଟି ମଦକୁ ଚଳୁ କରିଦେଲା ମୂଷା । କଥାଟା କାନକୁ ଆଶ୍ଚର୍ଯ୍ୟ ଭଳି ଲାଗୁଥିଲେ ବି ୟୁପିରୁ ଆସିଥିବା ଏ ଘଟଣା କିନ୍ତୁ ସମସ୍ତଙ୍କୁ ଚକିତ କରିଦେଇଛି । ଯେଉଁଠି କ୍ରାଇମବ୍ରାଞ୍ଚର ରିପୋର୍ଟରେ ଲେଖାଯାଇଛି ଯେ ଚୋରାମଦ ଥାନାରୁ କୁଆଡେ ଗାଏବ ହୋଇନି ବରଂ ମଦ ମୂଷା ପିଇଦେଇଛି ।

ତେବେ ମାର୍ଚ୍ଚ ୧୧ ତାରିଖରେ ଏଟା ଥାନା ଅଧିନ କୋତବାଲୀ ଅଞ୍ଚଳରେ ରେଡ କରି ପୋଲିସ ବିପୁଳ ମଦ ଜବତ କରିଥିଲା । ପାଖାପାଖି ୨୪୦୦ ପେଟି ମଦ ଜବତ କରିଥିଲା ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । କିନ୍ତୁ ଆଶ୍ଚର୍ଯ୍ୟର କଥା ଥାନାରେ ଥିବା ଜବତ ମଦ ପରେ ଗାଏବ ହୋଇଥିବା ଜଣାପଡିଥିଲା । ଘଟଣାରେ ପୋଲିସର ହାତ ଥିବା ଅଭିଯୋଗ ହେବା ପରେ ଜିଲ୍ଲା ଅଧିକାରୀ ସମ୍ପୃକ୍ତ ଥାନାର ଇନସପେକ୍ଟର ଏବଂ ତାଙ୍କ ସହଯୋଗୀଙ୍କୁ ନିଲମ୍ବିତ କରିବା ସହ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲେ । ପରେ ଏହି ମଦ ଗାଏବ ମାମଲା ଆଲିଗଡ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା ।

କିନ୍ତୁ ସବୁଠାରୁ ଚକିତ କରିଦେଲା ମଦ ମାମଲାରେ କ୍ରାଇମବ୍ରାଞ୍ଚ ରିପୋର୍ଟ । ତଦନ୍ତ କରି କ୍ରାଇମବ୍ରାଞ୍ଚ ଟିମ ଜେନେରାଲ ଡାଏରୀରେ ଯାହା ଲେଖିଛି ତାହା ଶୁଣିଲେ ଆପଣ ବିଶ୍ୱାସ ବି କରି ପାରିବେନି । କ୍ରାଇମବ୍ରାଞ୍ଚ କହିଛି ମଦ ଥାନାରୁ ଗାଏବ ହୋଇନି ବରଂ ମୂଷା ସବୁ ମଦ ପିଇଦେଇଛି । ଜବତ ହୋଇଥିବା ୨୪୦୦ ପେଟି ମଦ ମୂଷା ପେଟକୁ ଯାଇଛି । ତେବେ କ୍ରାଇମବ୍ରାଞ୍ଚର ଏଭଳି ତଥ୍ୟ ଲୋକହସା ହୋଇଥିବା ବେଳେ ମୂଷା କେମିତି ଏତେ ମଦ ପିଇଦେଲା ବୋଲି ସନ୍ଦେହ ସୃଷ୍ଟି ହୋଇଛି । ଆଉ ପୋଲିସର ହେରଫେର ମନୋଭାବ ଓ ଦୁର୍ନୀତି ନେଇ ଉଠୁଛି ପ୍ରଶ୍ନ ।