କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରେ ରତ୍ନଭଣ୍ଡାର ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ ହୋଇଛି । ସାଢେ ସାତ ଘଂଟାରେ ଶେଷ ହୋଇଛି ସ୍ଥାନାନ୍ତର କାମ । ସକାଳ ୯ଟା ୫୧ରୁ ଆରମ୍ଭ ହୋଇଥିବା ରତ୍ନ ସ୍ଥାନାନ୍ତର ପ୍ରକ୍ରିୟା ସଂଧ୍ୟା ୫ଟା ୧୫ରେ ଶେଷ ହୋଇଛି । ମୋଟ୍ ୭ଟି ସିନ୍ଦୁକ ଓ ଆଲମିରାରରେ ରହିଥିଲା ଶ୍ରୀଜିଉଙ୍କ ଅଳଙ୍କାର । ପ୍ରଥମ ପର୍ୟ୍ୟାୟରେ ବାହାର ଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା । ଦ୍ବିତୀୟ ପର୍ୟ୍ୟାୟରେ ଭିତର ଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାର ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି । ଭଣ୍ଡାର ମେକାପ ସେବାୟତମାନେ ରତ୍ନ ଅଳଙ୍କାର ସ୍ଥାନାନ୍ତର କରିଛନ୍ତି । ଏବେ ୬ଟି ସିନ୍ଦୁକ ଓ ୬ଟି ଆଲମିରାରେ ଅଳଙ୍କାରକୁ ରଖାଯାଇଛି । ଅସ୍ଥାୟୀ ଭଣ୍ଡାର, ଭିତର ଭଣ୍ଡାର, ମୂଳ ବାହାର ରତ୍ନ ଭଣ୍ଡାର ତାଲା ପକାଇ ସିଲ୍ କରାଯାଇଛି। ରତ୍ନ ଅଳଙ୍କାର ଥିବା ଅସ୍ଥାୟୀ ଭଣ୍ଡାରରେ ଦୁଇଟି ତାଲା ପଡିଛି । ଅଳଙ୍କାର ସ୍ଥାନାନ୍ତର କରିବା ପରେ ଖାଲି ସିନ୍ଦୁକ ଓ ଆଲମାରୀ ସେଇଠାରେ ହିଁ ରହିଛି। ସମସ୍ତ ପ୍ରକ୍ରିୟାରେ ଭିଡିଓ ଗ୍ରାଫି କରାଯାଇଛି। ସ୍କାନିଂ କରି ରତ୍ନଭଣ୍ଡାର ମରାମତି ପାଇଁ ଏଏସଆଇ ସହ ଆଲୋଚନା କରାଯିବ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ସୁଡଙ୍ଗ କି କୌଣସି ସରିସୃପଙ୍କୁ ଦେଖିବାକୁ ମିଳିନାହିଁ।
ସାଢେ ୭ ଘଂଟା ପରେ ସରିଲା ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରଣ କାର୍ଯ୍ୟ । ରତ୍ନଭଣ୍ଡାର ମରାମତି ପାଇଁ ଏଏସଆଇଙ୍କ ସହ ଆଲୋଚନା କରାଯିବା ନେଇ ମୁଖ୍ୟପ୍ରଶାସକଙ୍କ ସୂଚନା
/kanak/media/post_attachments/wp-content/uploads/2024/07/31-12.jpg)