କନକ ବ୍ୟୁରୋ: ସମସ୍ତଙ୍କ ଅପେକ୍ଷା ଥିଲା କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ନୂଆ ସରକାର କ୍ଷମତାକୁ ଆସିବା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରଥମ କ୍ୟାବିନେଟରେ ନିଷ୍ପତି କରିଥିଲେ। ଆଉ ପୁରୁଣା ତଦାରଖ କମିଟିକୁ ଭାଙ୍ଗି ଦେଇ ନୂଆ କମିଟି ଗଢ଼ିଥିଲେ। ଏଥିସହ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି, କମିଟି ହାତରେ ଛାଡ଼ିଥିଲେ। ଆଜି କମିଟିର ଦ୍ବିତୀୟ ବୈଠକରେ ଭିତର ଭଣ୍ଡାର ଖୋଲିବା ପାଇଁ ତାରିଖ ଧାର୍ଯ୍ୟ ହୋଇଛି, ସରକାର ଅନୁମତି ଦେଲେ ଆଗାମୀ ୧୪ତାରିଖରେ ରତ୍ନଭଣ୍ଡାର ଖୋଲାଯିବ।
ନୂଆ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି, ଜଷ୍ଟିସ ପଶାୟତଙ୍କ କମିଟିକୁ ଭାଙ୍ଗିଦେଇ ନୂଆ କମିଟି ଗଠନ ଭିତରେ, କେବେ ଖୋଲିବ ରତ୍ନଭଣ୍ଡାର ସେହି ତାରିଖକୁ ଅପେକ୍ଷା କରି ରହିଥିଲେ କୋଟିକୋଟି ଜଗନ୍ନାଥପ୍ରେମୀ। ଆଉ ଏହାରି ଭିତରେ ତତ୍ନଭଣ୍ଡାର ଖୋଲିବା ନେଇ ତାରିଖ ଆପାତତଃ ସ୍ଥିର ହୋଇଛି । ଆଜି ରତ୍ନଭଣ୍ଡାର ତଦାରଖ କମିଟିର ଦ୍ୱିତୀୟ ବୈଠକରେ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ସ୍ଥିର ହୋଇଛି । ଏନେଇ ସରକାରଙ୍କୁ ଅବଗତ କରାଯିବ ଏବଂ ଅନୁମତି ମିଳିଲେ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ।
ପ୍ରଶାସନ ପାଖରେ ଯେଉଁ ଚାବି ରହିଛି ତାକୁ ଆଜି ଉପସ୍ଥାପନ କରିଥାନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ହେଲେ ସେ ରଥଯାତ୍ରା କାମରେ ବ୍ୟସ୍ତ ଥିବାରୁ ଆଜିର ବୈଠକରେ ସାମିଲ ହୋଇ ପାରିନାହାନ୍ତି । ତେଣୁ ଆଗାମୀ ୧୪ ତାରିଖରେ ହେବାକୁ ଥିବା ବୈଠକରେ ସେ ଚାବିକୁ କମିଟି ଆଗରେ ରଖିବେ । ତେବେ ସେ ଚାବି କାମ ଦେଉ ବା ନଦେଉ, ସରକାରଙ୍କ ଅନୁମତି ମିଳିଲେ ରତ୍ନଭଣ୍ଡାର ନିଶ୍ଚୟ ଖୋଲାଯିବ ।
ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଗତ ୬ ତାରିଖରେ ବସିଥିଲା । ବହୁ ଦଶନ୍ଧି ହେଲା ଭିତର ରତ୍ନଭଣ୍ଡାର ଖୋଲାଯାଇ ନାହିଁ । ତେଣୁ ପ୍ରଶାସନ ପାଖରେ ଥିବା ଡିପ୍ଲିକେଟ ଚାବିରେ ଭଣ୍ଡାରଘର ନଖୋଲିଲେ ତାଲା ଭାଙ୍ଗି ଦିଆଯିବ ବୋଲି ନିଷ୍ପତ୍ତି କରିଛି ତଦାରଖ କମିଟି । ଏବେ କେବଳ ସରକାରଙ୍କ ସ୍ୱୀକୃତିକୁ ଅପେକ୍ଷା ।