କେବେ ଖୋଲିବ ରତ୍ନଭଣ୍ଡାର, ବଢୁଛି ଦ୍ୱନ୍ଦ୍ୱ । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଅରିଜିତ ପଶାୟତଙ୍କ ସୂଚନା, ସରକାର ଯେବେ କହିବେ ତେବେ ଖୋଲିବେ ରତ୍ନଭଣ୍ଡାର

89

କନକ ବ୍ୟୁରୋ : କେବେ ଖୋଲିବ ରତ୍ନ ଭଣ୍ଡାର ? ଏହାକୁ ନେଇ ରାଜ୍ୟର ସାଢେ ୪ କୋଟି ଓଡିଆ ଉତ୍ସୁକତାର ସହ ଅନେଇ ବସିଛନ୍ତି । ଆଜି ରତ୍ନଭଣ୍ଡାର ଯାଂଚ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଓଡିଶାରେ ପହଂଚିଛନ୍ତି । ଆଉ ଓଡିଶାରେ ପହଂଚିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ବଡ ବୟାନ ଦେଇଛନ୍ତି । ଅରଜିତ ପଶାୟତ କହିଛନ୍ତି, ୮ ତାରିଖରେ ରଥଯାତ୍ରା ପଡୁଥିବାରୁ ଏହି ଦିନ ରତ୍ନଭଣ୍ଡାର ଖୋଲିବା ସମ୍ଭବ ନୁହେଁ । ତେବେ ତାରିଖ ବାବଦରେ ସରକାର ନିଷ୍ପତ୍ତି ନେବେ । ତେଣୁ ଏହି ବୟାନରୁ ସ୍ପଷ୍ଟ ହୋଇଛି ଯେ ୮ ତାରିଖରେ ଖୋଲିନପାରେ ରତ୍ନଭଣ୍ଡାର

ଜଷ୍ଟିସ ଅରିଜିତ ପଶାୟତ ଜୁଲାଇ ୨୮ ତାରିଖରେ ଯାଏଁ ଓଡିଶାରେ ରହିବେ । କାଲି ସେ ପୁରୀ ଯିବେ । ଆଉ ଏଠାରେ ରତ୍ନଭଣ୍ଡାର କମିଟି ପକ୍ଷରୁ ବସୁଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବେ । ଏହି ବୈଠକରେ ରତ୍ନଭଣ୍ଡାର ଖୋଲାଯିବା ନେଇ ଚୂଡାନ୍ତ ରୂୁପରେଖ ପ୍ରସ୍ତୁତ ହୋଇପାରେ । ରତ୍ନଭଣ୍ଡାର କେବେ ଖୋଲିବ? କେତେ ଅଳଙ୍କାର ଅଛି ? ମରାମତି ହେବ କି ନାହିଁ ? ଏନେଇ ଆସନ୍ତାକାଲିର ବୈଠକରେ ଚିତ୍ର ସ୍ପଷ୍ଟ ହେବା ଆଶା କରାଯାଉଛି ।

ନିର୍ବାଚନ ବେଳୋ ରତ୍ନଭଣ୍ଡାର ଖୋଲିବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା । ଏଥିପାଇଁ ସମସ୍ତ ପ୍ରକ୍ରିୟା ବି ସରିଛି । ଆଉ କେବଳ ତାରିଖ ଘୋଷଣା ବାକି ଅଛି ବୋଲି ଆଇନମନ୍ତ୍ରୀ କହିସାରିଛନ୍ତି । ତେଣୁ କାଲି ସୁଦ୍ଧା ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।