ରଥଯାତ୍ରା ବେଳେ ଖୋଲିବ ରତ୍ନଭଣ୍ଡାର! ଶେଷ ହେଇସାରିଛି ଲେଜର ସ୍କାନିଂ । ବିଧାନସଭାରେ ଆଇନ୍ ମନ୍ତ୍ରୀଙ୍କ ବଡ ସୂଚନା ।

159

କନକ ବ୍ୟୁରୋ: ବିଧାନସଭାରେ ପୁଣି ଉଠିଲା ରତ୍ନଭଣ୍ଡାର ପ୍ରସଙ୍ଗ । ରତ୍ନ ଭଣ୍ଡାର ଖୋଲିବା ସମ୍ପର୍କରେ ଆଜି ପୁଣିଥରେ ଆଇନ୍ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦାସରଥୀ ଗମାଙ୍ଗ । କେବେ ସୁଦ୍ଧା ରତ୍ନ ଭଣ୍ଡାର ଖୋଲାହେବ? କେବେ ଗଚ୍ଛିତ ଥିବା ରତ୍ନ ଅଳଙ୍କାରର ହିସାବ ନିକାଶ କରାଯାଇ ରତ୍ନଭଣ୍ଡାର ମରାମତି ହେବ ସେନେଇ ପ୍ରଶ୍ନ କରିଥିଲେ ଦାସରଥୀ ଗମାଙ୍ଗ । ଯାହାର ଉତ୍ତର ରଖିଛନ୍ତି ଆଇନ୍ ମନ୍ତ୍ରୀ ।

ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାର ଶ୍ରୀମନ୍ଦିର ଜଗମୋହନ ସହିତ ସଂଲଗ୍ନ ଥିବାରୁ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ଟିମ ରତ୍ନଭଣ୍ଡାରକୁ ପ୍ରବେଶ କରି ମରାମତି କଲେ ଶ୍ରୀଜୀଉଙ୍କର ନୀତି ଓ ସାଧାରଣ ଦର୍ଶନ ବାଧାପ୍ରାପ୍ତ ହେବ । ଏ କଥା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ଆଲୋଚନା ହେଇଥିଲା ।

ଏହି ଆଲୋଚନା ପରେ ରତ୍ନଭଣ୍ଡାର ବାହାର ପାଶ୍ୱର୍ରୁ ଲେଜର ସ୍କାନିଂ କରାଯାଇ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବା ପାଇଁ କମିଟି ମତ ଦେଇଥିଲେ । ଆଉ ଏହାର ଲେଜର ସ୍କାନିଂ ମଧ୍ୟ ଶେଷ ହେଇଛି । ଚଳିତ ବର୍ଷ ରଥଯାତ୍ରା ସମୟରେ ଭିତର ଭଣ୍ଡାର ଖୋଲାଯାଇ ମରାମତି କାର୍ଯ୍ୟ କରାଯାଇପାରିବ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ଅର୍ଥାତ ଚଳିତ ବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଖୋଲାଯିବା ସହିତ ଏହାର ମରାମତି କାମ ହେଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତେ୍ୱ ମହାପ୍ରଭୁଙ୍କର ରତ୍ନ ଭଣ୍ଡାର ନଖୋଲିବା ଉଚ୍ଚ ନ୍ୟାୟାଳୟ ସମୟ ନେଉଥିବା କଥାକୁ ମିଛ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା ।