ରାସନକାର୍ଡକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି: ଏଣିକି ରୋଗୀଣା ଲୋକଙ୍କୁ ବି ମିଳିବ ମାଗଣା ଡାଲି, ଚାଉଳ ଏବଂ ଗହମ; ଏଭଳି ଘରେ ବସି ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ରାସନକାର୍ଡରେ ଯୋଡିପାରିବେ ନିଜ ନାମ

ଆବେଦନ ପରେ ଘରେ ଆସି ରାସନ ଦେଇଯିବେ ଅଧିକାରୀ

456

କନକ ବ୍ୟୁରୋ: କରୋନା କାଳରେ ରାସନକାର୍ଡକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ନିଷ୍ପତି ନିଆଯାଉଥିବା ବେଳେ ଏବେ ଗୁରୁତର ରୋଗୀଙ୍କୁ ରାସନକାର୍ଡ ଉପଲବ୍ଧ କରାଇବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦେଶର କିଛି ରାଜ୍ୟର ରାଜ୍ୟ ସରକାର ଗୁରୁତର ରୋଗରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ରାସନକାର୍ଡ ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି । ତେବେ ଗରିବ ସୀମାରେଖା ତଳେ ଥିବା କ୍ୟାନସର, କୃଷ୍ଠ ଏବଂ ଏଡସ ଭଳି ବହୁ ଦୁସାଧ୍ୟ ରୋଗରେ ଶିକାର ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ବି ଏବେ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦେବେ ରାଜ୍ୟ ସରକାର । ତେବେ ପ୍ରଥମ ରାଜ୍ୟ ଭାବେ ଝାଡଖଣ୍ଡର ହେମନ୍ତ ସୋରେନ ସରକାର ଏହାକୁ ଲାଗୁ କରିଛନ୍ତି ।

ଗମ୍ଭୀର ତଥା ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ଦୁର୍ବିସହ ଜୀବନ କାଟୁଥିବା ବ୍ୟକ୍ତି ଉଭୟ ଅନଲାଇନ ଏବଂ ଅଫଲାଇନରେ ରାସନକାର୍ଡ ପାଇଁ ଆବେଦନ କରିପାରିବେ । ତେବେ ଝାଡଖଣ୍ଡ ସରକାରଙ୍କ ଆଧିକାରୀକ ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଆହାର ଡଟ୍ ଝାଡଖଣ୍ଡ ଡଟ୍ ଜିଓଭି ଡଟ୍ ଇନକୁ ଯାଇ ଆପଣ ଅନଲାଇନ ଆବେଦନ କରିପାରିବେ । ଏଥି ସହିତ ହିଁ ଆପଣ ଝାଡଖଣ୍ଡର ଜିଲ୍ଲା ଯୋଗାଣା କାର୍ଯ୍ୟାଳୟ କିମ୍ବା କୌଣସି ବି ପଂଚାୟତ କାର୍ଯ୍ୟାଳୟକୁ ଯାଇ ବି ଅଫଲାଇନ ଆବେଦନ କରିପାରିବେ ।

ତେବେ ରାସନକାର୍ଡ ଭାରତ ସରକାରଙ୍କ ଦ୍ୱାରା ଏକ ସ୍ୱୀକୃତିପ୍ରାପ୍ତ ସରକାରୀ ଡକ୍ୟୁମେଂଟ । ରାସନକାର୍ଡ ସହାୟତାରେ ଗରିବ ଅସହାୟ ପରିବାର ପିଡିଏସ ଆଧାରରେ ଉଚିତ ଦାମରେ ଦୋକାନରୁ ବଜାର ମୂଲ୍ୟଠାରୁ ବହୁତ କମ ଦରରେ କିଣିପାରିବେ । ତେବେ ରାସନକାର୍ଡ ପାଇଁ ଆଇଡି ପ୍ରୁଫ୍ ଭାବରେ ଆଧାର କାର୍ଡ, ବ୍ୟାଙ୍କ ଖାତା, ଭୋଟର ଆଇଡି କାର୍ଡ, ପାସପୋର୍ଟ, ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୌଣସି ବି ପରିଚୟ ପତ୍ର, ହେଲଥ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି ମଧ୍ୟରୁ କୌଣସି ଗୋଟିଏ ପ୍ରମାଣପତ୍ର ଦେଖାଇ ରାସନକାର୍ଡ ତିଆରି କରିପାରିବେ ।