ଟ୍ରେଲର ପରେ ଏବେ ‘ରାତି ସରି ସରି ଯାଉଛି’ର ଟାଇଟଲ ଟ୍ରାକ ରିଲିଜ। ଗୀତକୁ ଓଡ଼ିଆ ସିନେପ୍ରେମୀମଙ୍କ ମହଲରେ ବେଶ୍ ପ୍ରଶଂସା।

290

କନକ ବ୍ୟୁରୋ: ମଞ୍ଜରୀ ମୁଭିଜ୍ ଏବଂ ଅମୀୟ ପଟ୍ଟନାୟକ ପ୍ରଡକସନ୍ସର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ନୂଆ ଓଡ଼ିଆ ସିନେମା ‘ରାତି ସରି ସରି ଯାଉଛି’ର ଟ୍ରେଲର୍ ପରେ ଏବେ ଟାଇଟଲ ଟ୍ରାକ ରିଲିଜ୍ ହୋଇଯାଇଛି। ଟାଇଟଲ ଟ୍ରାକ ‘ରାତି ସରି ସରି ଯାଉଛି’ରେ ହିଁ ଫିଲ୍ମର କାହାଣୀର କିଛି ଅଂଶକୁ ଅନୁମାନ କରାଯାଇ ପାରେ। ଟାଇଟଲ ଟ୍ରାକକୁ ଗାଇଛନ୍ତି ରତିକାନ୍ତ ଶତପଥୀ ଏବଂ ସଞ୍ଚିତ୍ରା ଶୁଭଦର୍ଶିନୀ। ଏହିଗୀତ କୁ ଏବେ ଫିଲ୍ମ ପ୍ରଶଂସକ ମହଲରେ ଚର୍ଚ୍ଚା ପାଲଟିଛି।

ଏହି ସିନେମାର ନର୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ। ବର୍ଷା ପଟ୍ଟନାୟକ ଏହାର କାର୍ୟ୍ୟନିର୍ବାହୀ ପ୍ରଯୋଜିକା। ମାନସ ପଢ଼ିହାରୀ ଏହାର କାହାଣୀ ଓ ସଂଳାପ ଲେଖିଛନ୍ତି। ଶ୍ରୀକାନ୍ତ ପଣ୍ଡା ସଙ୍ଗୀତକାର। ସ୍ଥିତ ପଟ୍ଟନାୟକ, ରାକେଶ ଦାସ ଓ ପରଂବ୍ରହ୍ମ ଗୀତ ରଚନା କରିଛନ୍ତି। ଏଥିରେ ମୋଟ୍ ୫ଟି ଗୀତ ରହିଛି। ଦୀପକ କୁମାର ‘ରାତି ସରିସରି ଯାଉଛି’ର ସିନେମାଟୋଗ୍ରାଫର୍।

ଏହି ସିନେମାରେ ନାୟକ ରାଜ୍ ରାଜେଶ ପ୍ରଥମ ଥର ଲାଗି ଓଲିଉଡର ଜଣାଶୁଣା ନାୟିକା ରୀୟା ଦେଙ୍କ ସହ ନଜର ଆସିବେ। ‘ରାତି ସରିସରି ଯାଉଛି’ରେ ରାଜ୍ ରାଜେଶ ଓ ରୀୟା ଦେଙ୍କ ବ୍ୟତୀତ ରାଇମୋହନ, ଜୀବନ ପଣ୍ଡା, ନିବି, ଅନିନ୍ଦ୍ୟ, ଶିଶୁ କଳାକାର ସଂପର୍କ ଓ ସୁକାନ୍ତ ରଥଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ପୂର୍ବରୁ ଏହାର ଟ୍ରେଲର ରିଲିଜ ହୋଇଯାଇଥିଲା। ଯେଉଁଥିରେ ନାୟକ-ନାୟିକାଙ୍କ ଜବରଦସ୍ତ ରୋମାନ୍ସ ସାଙ୍ଗକୁ ଖଳନାୟକ ରାଇମୋହନଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି। ସଂଳାପରୁ କାହାଣୀରେ କିଛି ସସ୍ପେନ୍ସ୍ ଥିବାର ଅନୁମାନ କରାଯାଇପାରେ। ଟ୍ରେଲରରେ ଥିବା ସବୁକଥା ତୋର ଆଜି ମିଠାମିଠା ଲାଗୁଛି… ଓ ରେ ମନ… ଗୀତ ଖୁବ୍ ଶ୍ରୁତିମଧୁର ହୋଇଛି। ଫିଲ୍ମଟି ଦର୍ଶକମାନଙ୍କୁ ଆକର୍ଷିତ କରିପାରିବ, ଏହା ଟ୍ରେଲରରୁ ଜଣାପଡ଼ୁଛି।

ଏହା ଏକ ପ୍ରେମକାହାଣୀ ଉପରେ ପର୍ୟ୍ୟବେସିତ ସିନେମା। ଏହାର କାହାଣୀ ନବେ ଦଶକର ଏକ ଘଟଣା ଉପରେ ଆଧାରିତ। ଫିଲ୍ମଟି ଦେଖିବା ବେଳେ ଦର୍ଶକ ନବେ ଦଶକର ଝଲକ ଦେଖିବାକୁ ପାଇବେ। ଫିଲ୍ମର ସମସ୍ତ କାମ ସରିଛି। କେବଳ ମୁକ୍ତିଲାଭକୁ ଅପେକ୍ଷା। ନିର୍ଦେଶକ ଅନୁପମ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ଫିଲ୍ମଟି ଖୁବ୍ ଶୀଘ୍ର ମଞ୍ଜରୀ ଟିଭିରେ ପ୍ରମିଅର୍ ହେବ।