କନକ ବ୍ୟୁରୋ : ରତ୍ନବେଦୀ ଛାଡି ଘୋଷଯାତ୍ରାରେ କାଳିଆ ସାଆନ୍ତ । ଆଜି ଶରଧାବାଲିରେ ଲାଗିଛି ୩ ରଥ । କାଲି ତିନିଠାକୁର ଆଡପମଣ୍ଡପ ବିଜେ କରିବେ । ଗତକାଲି ବଡଦାଣ୍ଡରେ ଅଟକିଥିଲା ରଥକୁ ଭକ୍ତମାନେ ଶରଧାବାଲିକୁ ଟାଣି ଟାଣି ନେଇଥିଲେ । ପୁରା ପରିବେଶ ଭକ୍ତିମୟ ହୋଇଥିଲା । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ଏବେ କାଲି ଆଡ଼ପ ମଣ୍ଡପ ବିଜେ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ରଥରେ କାଳିଆଠାକୁରଙ୍କ ଦେଖି ଧନ୍ୟ ହୋଇଛନ୍ତି ଭକ୍ତ । ଗତକାଲି ବଡଦାଣ୍ଡରେ ଅଟକି ରହିଥିବା ତିନି ରଥ ଆଜି ଦିନ ଗୋଟାଏ ଦଶ ମିନିଟ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିସାରିଛି । ମହାପ୍ରଭୂଙ୍କୁ ଦର୍ଶନ କରି ବେଶ ଭାବ ବିହ୍ୱଳ ହୋଇପଡିଛନ୍ତି ଭକ୍ତ । ରଥ ଉପରେ ନୀତିକାନ୍ତି ଚାଲିଛି । ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇଛନ୍ତି ଶ୍ରଦ୍ଧାଳୁ । କାଲି ଭଳି ଆଜି ବି ଜନସମୁଦ୍ରରେ ପରିଣତ ହୋଇଛି ବଡଦାଣ୍ଡରୁ ଶରଧାବାଲି ।
୯ ଟା ୨୫ ରେ ଆରମ୍ଭ ହୋଇଥିଲା ବଳଭଦ୍ରଙ୍କ ରଥ ଟଣା
୯ଟା ୫୦ ରେ ଆରମ୍ଭ ହୋଇଥିଲା ନନ୍ଦିଘୋଷ ରଥ ଟଣା
ବଡ଼ ଠାକୁରଙ୍କ ରଥ ବଳଗଣ୍ଡି ଓ ଦେବୀ ସୁଭଦ୍ରାଙ୍କ ରଥ ମରୀଚିକୋଟ ଛକରୁ ଆଗେଇ ଚାଲିଥିବା ବେଳେ ପଛରେ ଯାଇଥିଲେ କାଳିଆ ସାଆନ୍ତ । ଘଣ୍ଟ ଘଣ୍ଟା, ଶଙ୍ଖ ନାଦରେ କମ୍ପି ଉଠିଥିଲା ବଡଦାଣ୍ଡ । ସମସ୍ତ ଦେବନୀତି ସଠିକ୍ ଓ ଶୃଙ୍ଖଳିତ ଭାବରେ ସମାପନ ହୋଇଛି । ଆସନ୍ତାକାଲି ସଂନ୍ଧ୍ୟା ଧୁପ ପରେ ହେବ ଆଡ଼ପ ମଣ୍ଡପ ପହଣ୍ଡି । ସୋମବାର ମହାପ୍ରଭୂଙ୍କ ଆଡପ ମଣ୍ଡପ ଦର୍ଶନ ମିଳିବ । ଗୁଣ୍ଡିଚା ମନ୍ଦିରରେ ନୀତି ଶୃଙ୍ଖଳିତ ସହ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ରଥ ଉପରେ ମହାପ୍ରଭୁଙ୍କୁ ଶୁଖିଲା ଭୋଗର ପରମ୍ପରା ରହିଛି । ଏହା ସହିତ ବିଭିନ୍ନ ମଠବାଡି ମାନଙ୍କରୁ ମଧ୍ୟ ଭୋଗ ଆସି ମହାପ୍ରଭୂଙ୍କୁ ଲାଗି ହୋଇଥାଏ । କାଲି ପହଣ୍ଡି ଥିବାରୁ ସନ୍ଧ୍ୟାଧୁପ ପରେ ଆଡପ ମଣ୍ଡପକୁ ଗୋଟି ପହଣ୍ଡି କରାଯିବ । ଏ ନେଇ ଦଇତାପତି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ମଧ୍ୟରେ ଆଲୋଚନା କରାଯାଇଛି । ଆଉ ନୀତି ଶୃଙ୍ଖଳିତ କରିବାକୁ କହିଛନ୍ତି ସେବାୟତ । ଶ୍ରୀମନ୍ଦିର ବ୍ୟବସ୍ଥାବଳୀ ଅନୁସାରେ ତିନି ରଥକୁ ବ୍ୟାରିକେଡ ଭିତରେ ରଖାଯାଇଛି । ସମୂର୍ଣ୍ଣ ସିସିଟିଭି ବଳୟରେ ରହିଛି ତିନି ରଥ ।