କନକ ବ୍ୟୁରୋ: ଯିଏ କାଳିଆକୁ ହୃଦୟରୁ ଥରୁଟିଏ ଡାକିଦିଏ କଳାଠାକୁର ତା’ର ଡାକ ନିଶ୍ଚୟ ଶୁଣିଥାଏ । ଜଗନ୍ନାଥଙ୍କୁ ନେଇ କନକ ନ୍ୟୁଜ ଡିଜିଟାଲର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ମୋ ଜଗା ଏମିତି, କାହା ପାଇଁ କେମିତି’ରେ ଅନେକ ଜଗନ୍ନାଥପ୍ରେମୀ ମହାପ୍ରଭୁଙ୍କୁ ନେଇ ଅନେକ ଅନୁଭୂତି ବଖାଣିଛନ୍ତି । ରଥଯାତ୍ରାରେ ମୀରାବାଈ ବେଶରେ ନୃତ୍ୟ କରୁଥିବା ବୌଦ୍ଧର ନୃତ୍ୟଶିଳ୍ପୀ ଅଭିନନ୍ଦନ ହୋତା କହିଛନ୍ତି, ଜଗନ୍ନାଥଙ୍କ କୃପାରୁ ବଡ଼ ବିପଦ ଟଳିଯାଇଛି । ନୃତ୍ୟଶିଳ୍ପୀଙ୍କ ବାପାଙ୍କ ଦେହ ହଠାତ୍ ଖରାପ ହୋଇଗଲା ଆଉ ତାଙ୍କୁ ଆମ୍ବୁଲାନ୍ସରେ ମେଡିକାଲକୁ ନେଉଥିବା ବାଟରେ ଅକ୍ସିଜେନ ଅଭାବ ହେଲା । ନୟାଗଡ଼ ଠାରେ ରଥ ଉପରେ ବିରାଜମାନ ଥିବା ଜଗନ୍ନାଥଙ୍କୁ ଦେଖି ନୃତ୍ୟଶିଳ୍ପୀ ଜଣକ ହାତଟେକି ମହାବାହୁଙ୍କୁ ବାପାଙ୍କ ଆଶିଷ ଭିକ୍ଷା କରିଥିଲେ । ଆଉ ତା’ ପରେ ମହାପ୍ରଭୁ ଡାକ ଶୁଣିଥିଲେ ବାପାଙ୍କ ପାଇଁ ଅକ୍ସିଜେନ ଯୋଗାଡ଼ ହୋଇଗଲା ଏବଂ ରଥଯାତ୍ରା ଭିଡ଼ ଭିତରୁ ଆମ୍ବୁଲାନ୍ସକୁ ବି ବାଟ କାଢ଼ିଦେଲା କାଳିଆ । ଏବେ ତାଙ୍କ ବାପା ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ନୃତ୍ୟଶିଳ୍ପୀ ।
ସେହିଭଳି ଜିତେନ୍ଦ୍ର ମହାନ୍ତି ନାମକ ଜଣେ ଭକ୍ତ ଜଗନ୍ନାଥଙ୍କୁ ନେଇ ଅଙ୍ଗେ ନିଭାଇଥିବା କଥା କହିଛନ୍ତି । ସେ କହିଛନ୍ତି, ମୋ ମାଆ ଚାଲିପାରୁନଥିଲା ମୁଁ ତାକୁ ନେଇ ପୁରୀ ମନ୍ଦିର ଯାଇଥିଲି । ସେଠି ବାଇଶି ପାହାଚ ଚଢ଼ି ଯିବାକୁ ସକ୍ଷମ ନଥିଲା ମୋ ମାଆ । କେଜାଣି କୁଆଡୁ ଜଣେ ସେବାୟତ ଆସିଲେ ମୋ ମାଆଙ୍କ ହାତ ଧରି ଭିଡ଼ିକି ନେଇଗଲେ । ଜଗନ୍ନାଥଙ୍କ ଦର୍ଶନ ସାରି ପୁଣି ମାଆକୁ ମୋ ପାଖରେ ଆଣି ଛାଡ଼ିଦେଲେ । ମୁଁ ଦକ୍ଷିଣା ଦେବା ପାଇଁ ତାଙ୍କୁ ଖୋଜିବା ବେଳକୁ ସେ କେଉଁଆଡ଼େ ଉଭାନ ହୋଇଗଲେ । ସେଦିନ ଆଉ ଗୋଟେ ବଡ଼ ଆଶ୍ଚର୍ଯ୍ୟକର ଘଟଣା ଘଟିଲା । ମୋ ଚାଲିପାରୁନଥିବା ମାଆ ସେଦିନ ପୂରା ସୁସ୍ଥ ଭାବେ ଚାଲିପାରିଲା । ମୋତେ ସେହି ଦିନଠୁ ଲାଗୁଛି ମହାପ୍ରଭୁ ଜଗନ୍ନାଥ ମୋ ମାଆକୁ ଦର୍ଶନ ଦେବା ପାଇଁ ଓହ୍ଲାଇ ଆସିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/07/03/1033-2025-07-03-17-07-07.jpg)