କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ୩ ଟି ଶବ୍ଦ ସହିତ ବ୍ରହ୍ମ ଶବ୍ଦ ପ୍ରୟୋଗ କରାଯାଇଥାଏ – ଦାରୁବ୍ରହ୍ମ , ଶବ୍ଦବ୍ରହ୍ମ ଓ ଅନ୍ନବ୍ରହ୍ମ । ଦାରୁବ୍ରହ୍ମ ସାକ୍ଷାତ ପ୍ରଭୁ ଶ୍ରୀଜଗନ୍ନାଥ । ଶବ୍ଦବ୍ରହ୍ମ ଓଁକାର ମହାପ୍ରଭୁଙ୍କ ସକଳ ନାମ କୀର୍ତ୍ତନ । ଅନ୍ନବ୍ରହ୍ମ ହେଉଛନ୍ତି ଶ୍ରୀମହାପ୍ରସାଦ । ଶ୍ରୀମନ୍ଦିରରେ ନିଳାଦ୍ରୀନାଥଙ୍କୁ ସମର୍ପିତ ଭୋଗକୁ ‘ଛପନଭୋଗ’ କୁହାଯାଏ । ମାଦଳାପାଞ୍ଜି ଅନୁସାରେ ୧୯୧୦ ମସିହାରେ ସମୁଦାୟ ଭୋଗ ଥିଲା ୪୩୫ ପ୍ରକାର । କାଳାନ୍ତରେ ତାହା ହ୍ରାସ ପାଇ ୧୫୦ ପ୍ରକାର ହେଲା ଏବଂ ପରେ ଏହାର ସଂଖ୍ୟା ୫୬ ରେ ସୀମିତ ରହିଲା । ଏହି ଛପନଭୋଗ ଶ୍ରୀମନ୍ଦିର ରୋଷ ଘରେ ପ୍ରସ୍ତୁତ ହୁଏ ଓ ଚାରିପ୍ରକାର ପାକ ହୁଏ ଯଥା-ଭୀମ ପାକ,ନନ୍ଦ ପାକ ଓ ସୌରିପାକ ଓ ଗୌରୀ ପାକ । 

Advertisment
Bhoga
Bhoga Photograph: (google)

ସାଧାରଣତଃ ୨ ପ୍ରକାର ଭୋଗ ଶ୍ରୀମନ୍ଦିରରେ ଦେଖାଯାଏ କୋଠ ଭୋଗ ଏବଂ ଛତ୍ର ଭୋଗ । ପ୍ରଭାତ ମଧ୍ୟାହ୍ନ ଓ ସନ୍ଧ୍ୟାଧୂପ ଭୋଗକୁ କୋଠ ଭୋଗ କୁହାଯାଏ । ଏହା ମହାବାହୁଙ୍କ ତ୍ରିସନ୍ଧ୍ୟା ଭୋଗ । ଏହା ଶ୍ରୀମନ୍ଦିର ଗର୍ଭଗୃହରେ ହୋଇଥାଏ । କୋଠ ଭୋଗର ସମସ୍ତ କାର୍ଯ୍ୟ ଶ୍ରୀମନ୍ଦିର ପରିଚାଳନା ସଂସ୍ଥା ବହନ କରିଥାଏ । ପୂର୍ବରୁ ରାଜା ମହାରାଜା , ମଠ ବାଡ଼ି ଓ ଜମିଦାରମାନେ ଏହି ସେବା ଯୋଗାଉଥିଲେ । ଶ୍ରୀମହାପ୍ରସାଦ ହେଉଛି ଶ୍ରୀମନ୍ଦିରରେ ଅଗ୍ନି କୋଣରେ ଥିବା ପବିତ୍ର ରୋଷ ଗୃହ ଯେଉଁଠି ୨୪୦ ଟି ଚୁଲି ରହିଛି । ଏହି ଚୁଲି ସବୁକୁ ୧୧ ଟି ଭାଗରେ ବିଭକ୍ତ କରାଯାଇଛି । ବିଶ୍ବର ଏହା ହେଉଛି ସର୍ବପ୍ରାଚୀନ ଏବଂ ବୃହତ୍ତମ ପାକଶାଳା,ଯେଉଁଠି ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଅନ୍ନଯଜ୍ଞ ମାଧ୍ୟମରେ ଅମୃତ ଯୋଗାଇବାର ବ୍ୟବସ୍ଥା ରହିଛି । ଏହି ରୋଷଘରେ ଶ୍ରୀଜଗନ୍ନାଥଙ୍କ କୋଠଭୋଗ ପ୍ରସ୍ତୁତି ପାଇଁ ମଧ୍ୟ ସ୍ବତନ୍ତ୍ର ଚୁଲି ଓ ପିଠାଚୁଲିମାନ ରହିଛି । 

Bhoga Jaga
Bhoga Jaga Photograph: (google)

ଭୋଗ ମଣ୍ଡପ ବା ଭଅଣ୍ଡ ଘରେ ହେଉଥିବା ଭୋଗକୁ ‘ଛତ୍ର ଭୋଗ’ କୁହାଯାଏ । ଏହାର ଅନ୍ୟନାମ ‘ବରାଦି ଭୋଗ’ ବା ‘ଉପାଧିଭୋଗ’ । ଏହି ଭୋଗ କେବଳ ମହାରାଜା,ମହାରାଣୀ,ଜେନାମଣି,ଯୁବରାଣୀ,ରାଜମାତା,ମନ୍ତ୍ରୀ,ରାଜଗୁରୁ,ସେନାପତିମାନେ ବରାଦ ମୁତାବକ କରାଇଥା’ନ୍ତି , ଯାହାକି ଉଅଣ୍ଡ ଘରେ ଭୋଗ ହୁଏ । ଯାତ୍ରୀ,ଯଜମାନ,ମଠମାନଙ୍କ ଦ୍ବାରା ଅତିଥି,ଅଭ୍ୟାଗତ,ସାଧୁ ସନ୍ନ୍ୟାସୀ,ଦରିଦ୍ର ବ୍ରାହ୍ମଣ,ଛାତ୍ରମାନଙ୍କୁ ଦିଆଯାଉଥିବା ଭୋଗକୁ ଛତ୍ରଭୋଗ କୁହାଯାଏ ।