କନକ ବ୍ୟୁରୋ : କାହିଁ କେଉଁ ଅନାଦି ଯୁଗରୁ ଓଡ଼ିଶା ଦୁଇଟି ସାଂସ୍କୃତିକ କ୍ଷେତ୍ରରେ ବିଭକ୍ତ ଗୋଟିଏ ଜଗନ୍ନାଥ କ୍ଷେତ୍ର ବା ଶଙ୍ଖକ୍ଷେତ୍ର ଏବଂ ଅନ୍ୟଟି ବିରଜାକ୍ଷେତ୍ର ବା ଗଦାକ୍ଷେତ୍ର ନାମରେ ଖ୍ୟାତ । ଏହି ଦୁଇ ମଣ୍ଡଳ ବା ଦୁଇକ୍ଷେତ୍ର ସେମାନଙ୍କ ମଧ୍ୟରେ ରହିଥିବା ଅନନ୍ୟ ସମ୍ପର୍କ କାଳର କରାଳ ଗତିରେ ଆସିଥିବା ବହୁ ଘାତ ପ୍ରତିଘାତରେ ମଧ୍ୟ ନିଶ୍ଚିହ୍ନ ହୋଇନାହିଁ । ଶାକ୍ତ ଧର୍ମର ପ୍ରାଧାନ୍ୟ ପାଇଁ ଶ୍ରୀଜଗନ୍ନାଥଙ୍କ ପୀଠରେ ପୀଠେଶ୍ବରୀ ବିମଳା ପୂଜା ପାଇବା ପରି ଯାଜପୁରର ବିରଜା କ୍ଷେତ୍ରରେ ମା’ ବିରଜାଙ୍କର ପୂଜା କରାଯାଏ ।ଜଗଦ୍ଧାତ୍ରୀ ମା’ ବିରଜା ହେଉଛନ୍ତି ପରଂବ୍ରହ୍ମଙ୍କର 'କଳା' ଓ ସତ୍ଵସ୍ଵରୂପିଣୀ । ପରଂବ୍ରହ୍ମଙ୍କର ଚିତ୍କଳା ବା ସତ୍ଵକଳା ଓ ଚିତ୍ପନ କଳାର ପ୍ରତୀକ । ଚିଦ୍ ଶବ୍ଦ ସତଚିତ୍ ଓ ଆନନ୍ଦର ସ୍ୱରୂପ । ଶ୍ରୀଜଗନ୍ନାଥଙ୍କର ଚିଦ୍ ଘନରୂପ ଏହି କଳାରେ ନିହିତ ଥାଏ । ଶ୍ରୀଜଗନ୍ନାଥଙ୍କ ଷୋଡ଼ଶ କଳା ମଧ୍ୟରୁ ରଜବିହୀନ ଶୁଦ୍ଧସ୍ୱରୂପା କଳା ହେଲେ ମା’ ବିରଜା । ମଧୁର ସମ୍ପର୍କ ଥିବା ଯଜ୍ଞନଗରୀ ବିରଜା ପୀଠରୁ ଆରମ୍ଭ କରି ଉତ୍କଳର ଶଙ୍ଖକ୍ଷେତ୍ର ପର୍ଯ୍ୟନ୍ତ ଭୂମିକୁ କୌଳଭୂମି କୁହାଯାଏ ।
/filters:format(webp)/kanak/media/media_files/2025/07/06/maa-biraja-temple-2025-07-06-20-24-35.jpg)
ଭୈରବ ଉପାସକମାନେ ଓଡ଼ିଶାକୁ ବା ଉତ୍କଳର ନାଭି ଦେଶକୁ ବିରଜାକ୍ଷେତ୍ର ରୂପେ ଓ ମା' ବିରଜାଙ୍କୁ କ୍ଷେତ୍ରେଶ୍ୱରୀ ମହାଭୈରବୀ ରୂପରେ ଏବଂ ଶ୍ରୀଜଗନ୍ନାଥଙ୍କୁ ଭୈରବ ରୂପରେ ଗ୍ରହଣ କରିଥା’ନ୍ତି । ଏଥିରୁ ଜଣାଯାଏ ଯେ ଉତ୍କଳର ନାଭି ଦେଶରେ ବିରଜାକ୍ଷେତ୍ର ଅବସ୍ଥିତ । ଏକଦା ବିରଜାକ୍ଷେତ୍ରରେ ରାଜା ସତ୍ୟବ୍ରତଙ୍କ ପୌତ୍ର ଆଗ୍ନିଧ୍ର ରାଜାଙ୍କ ପୁତ୍ର ନାଭିରାଜ ଓ ତାଙ୍କ ରାଣୀ ମରୁଦେବୀ ଅବସ୍ଥାନ କରୁଥିଲେ ତେଣୁ ଏ କ୍ଷେତ୍ରର ନାମ ନାଭିକ୍ଷେତ୍ର ଦିଆଗଲା । କେତେକଙ୍କ ମତକୁ ଅନୁଧ୍ୟାନ କଲେ ଜଣାଯାଏ ଶ୍ରୀକୃଷ୍ଣଙ୍କ ନାଭିଖଣ୍ଡ ପ୍ରଭାସ କ୍ଷେତ୍ରରୁ ଭାସି ଆସି ଏହି ବୃକ୍ଷରୂପରେ ଲାଗି ଥିବାରୁ ଏହାକୁ ନାଭିଖଣ୍ଡ କୁହାଯାଏ । ଏହି ଭୂମିରେ ସତୀଙ୍କର ନାଭିଖଣ୍ଡ ପଡ଼ିଥିବାରୁ ଏହାର ନାମ ନାଭିପୀଠ ବା ନାଭିମଣ୍ଡଳ କୁହାଯାଏ । ସେହିପରି ଶଙ୍ଖାକୃତି ଶ୍ରୀକ୍ଷେତ୍ରକୁ ମଧ୍ୟ ଶଙ୍ଖନାଭି ମଣ୍ଡଳ କୁହାଯାଏ ।
/filters:format(webp)/kanak/media/media_files/2025/07/06/suna-besha-2025-07-06-20-24-57.jpg)
ବିରଜାକ୍ଷେତ୍ରର ମାହାତ୍ମ୍ୟ ତୃତୀୟ ଅଧ୍ୟାୟରେ ଉଲ୍ଲେଖ କରାଯାଇଛି ଯେ ବିରଜା ଯେପରି ଯଜ୍ଞ – ଅନଳରୁ ଆବିର୍ଭୂତ ହୋଇଥିଲେ । ଶଙ୍ଖକ୍ଷେତ୍ରରେ ଶ୍ରୀଜଗନ୍ନାଥ ମଧ୍ୟ ଯଜ୍ଞ– ଅନଳରୁ ଉଦ୍ଗତ ହୋଇଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ କରିଥିବା ଅଶ୍ଵମେଧ ଯଜ୍ଞରେ ପୁରୁଷୋତ୍ତମ କ୍ଷେତ୍ରର ଯଜ୍ଞରେ ବ୍ରହ୍ମା ପୁରୁଷସୂକ୍ତରେ ପ୍ରାର୍ଥନା କରିଥିବାରୁ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ବଳଭଦ୍ର, ମା' ସୁଭଦ୍ରା, ପ୍ରଭୁ ଶ୍ରୀଜଗନ୍ନାଥ ଏବଂ ସୁଦର୍ଶନ ଉତ୍ପତ୍ତି ହୋଇଥିଲେ । ସେହିପରି ଯାଜପୁର ବିରଜାକ୍ଷେତ୍ର ବା ଗଦାକ୍ଷେତ୍ରରେ ବ୍ରହ୍ମାଙ୍କ ଦ୍ୱାରା ହୋଇଥିବା ଯଜ୍ଞରୁ ବିରଜା ଓ ବିଷ୍ଣୁ ଉଭୟ ଉତ୍ପନ୍ନ ହେଲେ । ଏହି କାରଣରୁ ମା’ ବିରଜାଙ୍କ ପ୍ରତିଭୂ ତ୍ରିପୁରସୁନ୍ଦରୀ ରୂପିଣୀ ଲଳିତା ଯଜ୍ଞକୁଣ୍ଡରୁ ଆବିର୍ଭୂତ ହୋଇ ଭଣ୍ଡାସୁର ନାମକ ଅସୁରକୁ ନିଧନ କରିଥିଲେ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରି ଆଶ୍ବିନ ମାସରେ ବିରଜା ପୀଠରେ ଶାକ୍ତ ଗୁଣ୍ଡିଚାରେ ଦେବୀ ବିରଜାଙ୍କର ରଥଯାତ୍ରା ବିରଜା ମନ୍ଦିରରେ ପାଳିତ ହୁଏ । ଶ୍ରୀକ୍ଷେତ୍ରରେ ଏବଂ ବିରଜାକ୍ଷେତ୍ରରେ ପରମ ପବିତ୍ର ଆଧ୍ୟାତ୍ମିକ ତୀର୍ଥସ୍ଥାନ ରହିଛି ।
/filters:format(webp)/kanak/media/media_files/2025/07/06/biraja-rath-2025-07-06-20-26-50.jpg)