କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ମାନିଗଲେ ଠାକୁରେ…ହେଲେ କେନ୍ଦ୍ରାପଡ଼ାରେ ବେଶି କୋପ କଲେ କି ବଳଦେବଜିଉ…ଏ କଥା ଆମେ ଏଇଥି ଲାଗି କହୁଛୁ କାରଣ ୩ ଦିନ ପରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି ବ୍ରହ୍ମତାଳଧ୍ବଜ । ହେଲେ ଏମିତି କାହିଁକି ହେଲା, କାହାର ଭୁଲ୍ ପାଇଁ ଠାକୁରେ ରାସ୍ତାରେ କୋପ କଲେ । ସେନେଇ ଭକ୍ତଙ୍କ ମଧ୍ୟରେ ଚର୍ଚ୍ଚା ଜୋର ।
କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରଥଯାତ୍ରା…ବଳଦେବଜିଉଙ୍କ ରଥଯାତ୍ରା । ପରମ୍ପରା ଅନୁସାରେ ରଥଯାତ୍ରା ପରଦିନ ଏଠାରେ ରଥଟଣା ହୁଏ । ହେଲେ ଏସନ ଠାକୁର ତ ପହଣ୍ଡି ହୋଇଗଲେ କିନ୍ତୁ ରଥ ଟଣାହେବା ଆରମ୍ଭରୁ ହିଁ ଦେଖିବାକୁ ମିଳିଥିଲା ଶ୍ରୀବଳଦେବଜିଉଙ୍କ କୋପ । ବାରମ୍ବାର ମୋଡ଼ ନେଉଥିଲା…ତ କେତେବେଳେ ଟିକିଏ ବି ହଲୁନଥିଲା । ଏ ସବୁ ଦେଖିବା ପରେ ଭକ୍ତ କହିଲେ, ରାଗିଛନ୍ତି ଠାକୁରେ । କିଏ କିଏ ଏକଥା ବି କହିଲେ, ପୁରୀରେ ରାଗିଥିଲେ ବଳଭଦ୍ର । ସେଇଥି ଲାଗି ତ ରଥଚକଡ଼ାରୁ ରାଜନଅର ପର୍ଯ୍ୟନ୍ତ ଯିବା ପାଇଁ ଅଢେଇ ଘଣ୍ଟା ସମୟ ଲାଗିଥିଲା । ପ୍ରତିମିନିଟ୍ରେ ମୋଡ଼ ନେଉଥିଲା ତାଳଧ୍ବଜ ରଥ । ସ୍ଥିତି ଏମିତି ହୋଇଥିଲା ଯେ ନନ୍ଦିଘୋଷ ରଥ ମାତ୍ର ଥରେ ଟଣାଯାଇ ସିଂହଦ୍ବାର ସାମ୍ନାରେ ହିଁ ଅଟକିଥିଲା ।
ରଥ ଗଡ଼ିଲାଣି….କାନ୍ଦିଲେ ଭକ୍ତ ଓ ସେବାୟତ । ସେ ଭାବବିନୋଦିଆ…ଭକ୍ତର ଠାକୁର । ଭକ୍ତ କାନ୍ଦିଲେ ସେ କାନ୍ଦେ…ଭକ୍ତ ହାତରୁ ସେ ନଡ଼ିଆ ନେଇଯାଏ । ବଡ଼ଭାଇଙ୍କ ରଥ ନଯିବାରୁ ସେ ସିନା ଗଲାନାହିଁ ହେଲେ ଭକ୍ତର କାନ୍ଦକାନ୍ଦ ଆଖିକୁ ସେ ଆଦୌ ଦେଖିପାରିଲା ନାହିଁ । ସେଇଥି ଲାଗି ତ ବଡ଼ଭାଇଙ୍କୁ ବୁଝାଇସୁଝାଇ ବଡ଼ଦାଣ୍ଡରେ ସିନା ରଥ ଗଡ଼ାଇଦେଲା…ହେଲେ କେନ୍ଦ୍ରାପଡ଼ାରେ ବଳଦେବଜିଉ ସତେ ଯେମିତି ଅଝଟ ହେଲେ । ଦର୍ଶକବନ୍ଧୁ ଇଏ ଏବେର କଥା ନୁହେଁ ବରଂ ତିନିବର୍ଷ ହେଲାଣି ଏମିତି ଅଝଟ କରୁଛନ୍ତି ବଳଦେବଜିଉ,ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଓ ଆଲୋଚନା ।
ସେ ଅପାରକରୁଣାର ସାଗର…ଭକ୍ତର ଠାକୁର । ପ୍ରତି ଓଡ଼ିଆର ପ୍ରାଣକର୍ତ୍ତା…ଜଗତର ସେ ବିଧାତା । ହେଲେ କାହିଁକି ଯେ ଅଝଟ ହେଲେ ଠାକୁରେ ତାହା କିନ୍ତୁ ଭକତ ବୁଝିପାରୁନି । ଆମ ଜାତିର ମୂରବି ଯେବେ ଅଝଟ ହେବେ ଆମେ କାହାକୁ ବା କହିବା । କେବଳ ହାତଯୋଡ଼ି ପ୍ରଣିପାତ କରିବା…କହିବା ହେ ପ୍ରଭୁ ଆମକୁ କ୍ଷମା କରି ତ୍ରୁଟି ମାର୍ଜନା କର ।
ସେଦିନ ଗୁଣ୍ଡିଚା ରାଣୀ ବର ମାଗି କହିଥିଲେ, ଯେତେ ଦେଉଥିଲେ ସେତେ ଖାଉଥିବୁ…ନଶୁଖିବ ତୋ ହାତ…ଲୋକେ କହୁଥିବେ ଖାଇବା ଠାକୁର ନୀଳାଚଳେ ଜଗନ୍ନାଥ । ଅର୍ଥାତ୍ ଶ୍ରୀବିଗ୍ରହଙ୍କ ପାଖରେ ଭୋଗ ପରେ ଭୋଗ ମଣୋହି ହୁଏ । ହେଲେ ରଥରେ ଠାକୁର ଥିବାରୁ ଅନ୍ନ ଧୂପ ହୋଇପାରୁନି । ଯାହାକୁ ନେଇ ଉଭୟ ଭକ୍ତ ଓ ସେବାୟତ ଦୁଃଖିତ । ଦର୍ଶକବନ୍ଧୁ କେନ୍ଦ୍ରାପଡ଼ାର ରଥଯାତ୍ରା ବେଶ୍ ପ୍ରସିଦ୍ଧ । ହେଲେ ଠାକୁରେ ଯେମିତି ଅଝଟ ହେଲେ ତାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସତରେ ମଣିମା…ଆମର ଯଦି ଭୁଲ୍ ହୋଇଛି କ୍ଷମା କର କ୍ଷମା କର…ଆଉ ଅଝଟ କରନି ପ୍ରଭୁ….ଆଉ ଅଝଟ କରନି…