କନକ ବ୍ୟୁରୋ : ରଥ ନିର୍ମାଣ କାର୍ଯ୍ୟକୁ ୪୯ ଦିନ ପୂରିଛି । ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ୨୦୪ ଜଣ ନିର୍ମାଣ ସେବକଙ୍କ ସହ ୩୬ ଜଣ ଚିତ୍ରକାର ତିନିରଥର ରଙ୍ଗ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଆଜି ବେଦି ନିର୍ମାଣ ଆରମ୍ଭ ହୋଇଛି । ତିନିରଥର ବେଦି ସିଂହାସନ ପ୍ରସ୍ତୁତି ପାଇଁ ମହାରଣା ସେବକ ଓ ଭୋଇ ସେବକମାନଙ୍କ ସହାୟତାରେ ୫ଟି ୨୦ ଫୁଟିଆ ଜଗତପୃଷ୍ଠ ସେଣିରେ କଣ୍ଟା ବାଡ଼ିଆ ହୋଇଥିଲା । ବେଦି ପରିସର ବୃଦ୍ଧି ପାଇଁ ଆଜି ସେଣି ପତନରେ ବେଦି ଉଭୟ ପାର୍ଶ୍ୱରେ ୩ଟି ଲେଖାଏଁ ୬ଟି ବାହୁଟ ଫାଳିଆ ସଂଯୁକ୍ତ କରାଯାଇଛି । ବେଦିରେ କେବଳ ପଟା ପଡ଼ିବା ବାକି ଅଛି । ସେପଟେ ତିନିରଥର ଦୁଆର ବେଢ଼ା ନିର୍ମାଣ ଜାରି ରହିଛି । ୧୨ଟି ଦୁଆରବେଢ଼ାରୁ ଆଜି ୩ ରଥ ମହାରଣା ସେବକମାନେ ଗୋଟିଏ ଗୋଟିଏ ଦୁଆରବେଢ଼ା ନିର୍ମାଣ ଶେଷ କରି ରଥ ନିକଟରେ ରଙ୍ଗ କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖିଛନ୍ତି ।
/filters:format(webp)/kanak/media/media_files/2025/06/19/rathakama-2025-06-19-18-55-46.jpg)
ଅନ୍ୟପଟେ ଆଜି ମହାରଣା ସେବକମାନେ ତିନିରଥ ପ୍ରଭା ଫ୍ରେମ୍ ପ୍ରସ୍ତୁତି ପାଇଁ ପଟା ପକାଇଛନ୍ତି । ସେହିଭଳି ରୂପକାର ସେବକମାନେ ତିନିରଥର ବାକି ରୂପ ଖୋଦେଇ ପଲିସ୍ କରୁଛନ୍ତି । ଅଳଙ୍କାର ପକା କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ରହିଛି । ଏଥିସହ ତିନି ରଥରେ ଲାଗିଥିବା ପଟା ଗୁଜଗୁଡ଼ିକରେ ନର ବିରଳ, ଗଜ ବିରଳ ଓ ସିଂହ ବିରଳ ରୂପ ଖୋଦେଇ ଜାରି ରଖିଛନ୍ତି । ଚିତ୍ରକାରମାନେ ତିନି ରଥର ପାର୍ଶ୍ୱ ଦେବଦେବୀମାନଙ୍କ ପ୍ରତିମାରେ ରଙ୍ଗ କାର୍ଯ୍ୟ ସହ ତିନି ରଥର ହଂସ ପଟା, ଶିଖର ଡମ୍ବରୁ, ଅଁଳା, କନ୍ୟା ପଟା, ଓଲଟ ଶୁଆ ଓ ନାଟ ଗୋଡ଼ରେ ରଙ୍ଗ କାର୍ଯ୍ୟ ସହ ତିନି ରଥର ବାହ୍ୟ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳ ବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନିରଥର ଜଗତପୃଷ୍ଠ କଣ୍ଟା ଶେଷ ପରେ ଦୁଆର ବେଢ଼ା ପାଇଁ ଚଉରସ ଓ ଅଗପତେଳୀ କଣ୍ଟା, କନକ ମୁଣ୍ଡି ପାଇଁ କଣ୍ଡୁଚି ନାଟ କଣ୍ଟା ନିର୍ମାଣ କରୁଛନ୍ତି । ଦରଜୀ ସେବକମାନେ ବତା କନାରେ ଲେସ୍ ଫିଟିଂ ସହ ଦୁଆର ବେଢ଼ା କାର୍ଯ୍ୟ କରୁଛନ୍ତି । ଚନ୍ଦ୍ରଶାଳୀରେ ଜରି ଲେସ୍ ସହ ଫୁଲ ପକା ସିଲେଇ କାର୍ଯ୍ୟ ମଧ୍ୟ କରୁଛନ୍ତି ।