କନକ ବ୍ୟୁରୋ : ଶ୍ରୀକ୍ଷେତ୍ରର କୁମ୍ଭାରପଡ଼ା, ଟିକରପଡ଼ା ନିବାସୀ କୁମ୍ଭାର ବିଶୋଇମାନେ ହବିଷ୍ୟାନ୍ନ ପୂର୍ବକ ପ୍ରାୟ ୧୧ଟି ଅଧର ହାଣ୍ଡି ନିର୍ମାଣ କରିଥା’ ନ୍ତି । ମହାପ୍ରଭୁଙ୍କ ଅଧର ଉଚ୍ଚ ସଦୃଶ ତୁମ୍ବକୃତି ପୋଡ଼ା ମାଟିରେ ଏହି ହାଣ୍ଡିଗୁଡ଼ିକ ନିର୍ମିତ ହୋଇଥାଏ । ହାଣ୍ଡିଗୁଡ଼ିକର ମାପ ସମାନ ହୋଇନଥାଏ । ସାଧାରଣତଃ ଶ୍ରୀଜଗନ୍ନାଥଙ୍କ ଅଧର ହାଣ୍ଡି ଉଚ୍ଚତା ୫ ଫୁଟ୍ ୮ ଇଞ୍ଚ, ଶ୍ରୀବଳଭଦ୍ରଙ୍କ ଅଧର ହାଣ୍ଡି ଉଚ୍ଚତା ୪ ଫୁଟ୍ ୭ ଇଞ୍ଚ ଓ ସୁଭଦ୍ରାଙ୍କ ଅଧର ହାଣ୍ଡି ଉଚ୍ଚତା ୪ ଫୁଟ୍ ହୋଇଥାଏ । ଏହି ହାଣ୍ଡିଗୁଡ଼ିକର ମୁହଁ ଚଉଡ଼ା ଦୁଇ ଖଣ୍ଡେ ଓସାରର (ପ୍ରାୟ ୧୫ ଇଞ୍ଚ) ବିଶିଷ୍ଟ ଅଟେ । ପ୍ରତିବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାୟ ୫ ଗୋଟି ଅଧର ହାଣ୍ଡି କ୍ରୟ କରାଯାଇଥାଏ । ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପକ୍ଷରୁ ମୋଟ ୬ ଟି ଅଧର ହାଣ୍ଡି କୁମ୍ଭାର ବିଶୋଇଙ୍କୁ ବରାଦ କରାଯାଇ ଅଧର ପଣା ଉତ୍ସବ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନରେ ପ୍ରଦାନ କରାଯିବାର ପରମ୍ପରା ପ୍ରଚଳିତ ରହିଆସିଛି ।
କୁମ୍ଭକାର ସେବକମାନେ କୁରାଳ ପଞ୍ଚମୀ ଦିନ ତାଙ୍କର ଇଷ୍ଟ ଚକ ପୂଜା ପରେ ପବିତ୍ର ଅକ୍ଷୟ ତୃତୀୟା ଦିନଠାରୁ ଅଧର ହାଣ୍ଡି ନିର୍ମାଣର ଶୁଭ ଅନୁକୂଳ କରିଥା’ନ୍ତି । ସାଧାରଣତଃ ଅତ୍ୟନ୍ତ ସାବଧାନତାର ସହ ଏକ ସ୍ଵତନ୍ତ୍ର ଶୈଳୀରେ ୪ ଗୋଟି ବୃହତକାୟ ବାଇହାଣ୍ଡିକୁ ଯୋଡ଼ାଯାଇ ଅଧର ହାଣ୍ଡି ନିର୍ମିତ ହୋଇଥାଏ । ପ୍ରାୟ ୪ ରୁ ୫ ଜଣ କୁମ୍ଭକାର ସେବକ ଏହି ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥା’ନ୍ତି । ଅଧର ହାଣ୍ଡିଗୁଡ଼ିକ ଲାଲ୍ ରଙ୍ଗର ହୋଇଥାଏ । ଏହି ସ୍ଵତନ୍ତ୍ର ଶୈଳୀର ହାଣ୍ଡି ନିର୍ମାଣରେ ପ୍ରାୟ ୧୦ ଝୁଡ଼ି ଚିକିଟା ବନମାଟି ବ୍ୟବହୃତ ହୋଇଥାଏ । ଭାଟିରେ ହାଣ୍ଡିଗୁଡ଼ିକ ପୋଡ଼ା ହେବା ନିମନ୍ତେ ତିନି ଦିନ ସମୟ ଲାଗିଥାଏ ।
/filters:format(webp)/kanak/media/media_files/2025/07/07/adharpana-2025-07-07-13-12-37.jpg)
ପଣା ସାମଗ୍ରୀ :- ବଡ଼ ଓଡ଼ିଆ ମଠ, ରାଘବ ଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ପଣା ଭୋଗର ବିବରଣୀ ନିମ୍ନରେ ଉଲ୍ଲେଖ କରାଗଲା ।
୧. ତିନୋଟି ଅଧର ହାଣ୍ଡି(ଏହା ଦେବତାଙ୍କ ସମ୍ମୁଖ ଭାଗର ମଧ୍ୟଭାଗରେ ରହିଥାଏ) । ଯାହାର ଉଚ୍ଚତା ୫ ଫୁଟରୁ ସାଢ଼େ ଚାରି ଫୁଟ ବିଶିଷ୍ଟ ।
୨. ଚିନି – ୨୫ କିଲୋଗ୍ରାମ୍ ୭୨୫ ଗ୍ରାମ୍
୩. ଛେନା – ୬ କିଲୋଗ୍ରାମ୍ ୧୨୫ ଗ୍ରାମ୍
୪. ପାଟକପୁରା ଦେଶୀ କଦଳୀ – ୮୦ ଟି
୫. ଅଳେଇଚ – ୬୧୨ ଗ୍ରାମ୍
୬. କ୍ଷୀର ବା ଦୁଗ୍ଧ – ୪,୯୦୦ ଗ୍ରାମ୍ (ପ୍ରାୟ ୫ ଲିଟର)
୭. ଗୋଲମରିଚ – ୨୩୦ ଗ୍ରାମ୍
୮. କର୍ପୁର – ୫୦ ଗ୍ରାମ୍
୯. ଧଳାରଙ୍ଗର ୫ ହାତି ସୂତା ଗାମୁଛା – ୩ଟି ବଡ଼ ଓଡ଼ିଆ ମଠ
୧୦. ସର – ୩ କିଲୋଗ୍ରାମ୍
୧୧. ଛେନା – ୩ କିଲୋଗ୍ରାମ୍
୧୨. ଅଳେଇଚ – ୩୦୦ ଗ୍ରାମ୍
୧୩. କର୍ପୁର – ୧୫ ଭରି
୧୪. ପାଚିଲା କଦଳୀ – ୪୨ଟି (ପ୍ରତି ରଥର ଚକ୍ର ସଂଖ୍ୟା ଅନୁଯାୟୀ)
୧୫. ଢ଼ଳା କୁଡୁଆ – ୪୨ଟି
୧୬. ନବାତ (ଚିନି) - ୫୦ କିଲୋଗ୍ରାମ୍
୧୭. ଗାମୁଛା - ୯ଟି (ନାଲି ରଙ୍ଗ ଧଡ଼ି ମୁହଁ ଥାଇ ତିନି ବାଡ଼ରେ ୩ଟି ଲେଖାଏଁ)
୧୮. ଅଧର ହାଣ୍ଡି – ୩ ଟି
ରାଘବ ଦାସ ମଠ :
୧.ଅଧର ହାଣ୍ଡି – ୩ଟି
୨. ବାଇହାଣ୍ଡି – ୨୦ଟି (କୂପରୁ ଜଳ ବୁହାଯିବା ନିମନ୍ତେ)
୩. ଢ଼ଳା କୁଡ଼ୁଆ– ୪୦ ରୁ ୫୦ଟା
୪. ନବାତ (ଚିନି ) -୪୨ କିଲୋଗ୍ରାମ୍
୫. ଦେଶୀ ପାଚିଲା କଦଳୀ – ୧ କାନ୍ଧି
୬. ଗୋଲମରିଚ - ୨୫୦ ଗ୍ରାମ୍
୭. କର୍ପୁର – ୧୦ ଭରି
୮. ଛେନା – ୩ କିଲୋଗ୍ରାମ୍
୯. ସର - ୩ କିଲୋଗ୍ରାମ୍
୧୦.କ୍ଷୀର – ୩ ସେର
୧୧.ବଡ଼ ମଠ କୁଡୁଆ – ୩ଟି
ଉପରଲିଖିତ ସାମଗ୍ରୀ ବ୍ୟତୀତ ଉଭୟ ମଠ ପକ୍ଷରୁ ପଣାଭୋଗ ସହ ସଂପୃକ୍ତ ସେବକମାନଙ୍କୁ ଆର୍ଥିକ ପାଉଣା ଦିଆଯିବାର ପରମ୍ପରା ରହିଆସିଅଛି । ସଂପ୍ରତି କେତେକ ବଦାନ୍ୟ ବ୍ୟକ୍ତି, ଦାତା ବିଶେଷ ଏହି ପଣାଭୋଗ ନିମନ୍ତେ ଦୁଗ୍ଧ, ପାପୁଡ଼ି, ରାବିଡ଼ି, ଛେନା, ସର ଇତ୍ୟାଦି ମହାସୁଆରଙ୍କ ଜରିଆରେ ପଠାଉଥିବା ଜଣାଯାଏ ।