କନକ ବ୍ୟୁରୋ : ବୈଷ୍ଣବ ଦର୍ଶନ ଅନୁସାରେ ଅବତାର ଭଗବାନଙ୍କର କାଳ ଅନୁସାରେ ଅଲଗା ଅଲଗା କାମ ଓ ରୂପକୁ ବୁଝାଇଥାଏ । ପ୍ରଭୁ ନାରାୟଣଙ୍କ ଦଶ ଅବତାରକୁ ‘ଦଶାବତାର’ ବୋଲି କୁହାଯାଇଥାଏ । ଗରୁଡ଼ ପୁରାଣରେ ପ୍ରଭୁଙ୍କ ଏହି ଅବତାରର ବର୍ଣ୍ଣନା କରାଯାଇଛି । ପ୍ରଭୁ ନାରାୟଣ ନାନା ଅବତାର ଧରିଥିଲେ ସୁଦ୍ଧା ମତ୍ସ୍ୟ, କଚ୍ଛପ, ବରାହ, ବାମନ, ନୃସିଂହ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍କି ଏହି ଦଶ ଗୋଟି ଅବତାର ପ୍ରଧାନ । ଉଲ୍ଲେଖଯୋଗ୍ୟ ଯେ ଉତ୍ତର ଭାରତରେ ଶ୍ରୀକୃଷ୍ଣଙ୍କୁ ଅଷ୍ଟମ ଅବତାର ରୂପେ ଗ୍ରହଣ କରାଯାଉଥିବା ବେଳେ ଓଡ଼ିଶାରେ ବଳରାମଙ୍କୁ ଅଷ୍ଟମ ଅବତାର ବୋଲି ମନେ କରାଯାଏ । ଏହା ଜୟଦେବଙ୍କ ଗୀତଗୋବିନ୍ଦର ପ୍ରଭାବ ବୋଲି ମନେ କରାଯାଏ । ଉତ୍କଳୀୟ ପରମ୍ପରାରେ ଶ୍ରୀକୃଷ୍ଣଙ୍କୁ କୌଣସି ଅବତାର ମନେ ନ କରି ସମସ୍ତ ଅବତାରଙ୍କ ସାର ବା 'ଅବତାରୀ' ରୂପେ କଳ୍ପିତ କରାଯାଏ । ଐତିହାସିକ ବୈଷ୍ଣବବାଦ ଏକ ନୂଆ ଓ ଜଟିଳ ବୈଷ୍ଣବବାଦ ତିଆରି କରିଥିଲା ଯାହାକୁ ବିଷ୍ଣୁ ପୂଜନର ମୂଳ ଆଧାର ବୋଲି ଗ୍ରହଣ କରାଯାଇଥାଏ ଓ ଏହା ଭଗବତ ଗୀତାର ପ୍ରଚଳନ ସମୟରେ ପୁରାଣରେ ଲେଖାଯାଇଥିଲା ।
/kanak/media/media_files/2025/06/11/512AyGdfR3KjqJGnMYMC.jpg)
ମତ୍ସ୍ୟ : ପ୍ରଭୁ ବିଷ୍ଣୁଙ୍କର ପ୍ରଥମ ଅବତାର ହେଲେ ମତ୍ସ୍ୟ ଅବତାର । ଏହି ଅବତାରରେ ବିଷ୍ଣୁ ମହାପ୍ରଳୟ ସମୟରେ ଅତଳ ଗଭୀର ସମୁଦ୍ର ମଧ୍ୟରେ ବୁଡ଼ି ଯାଇଥିବା ‘ବେଦ’ ଗ୍ରନ୍ଥକୁ ଉଦ୍ଧାର କରିଥିଲେ ।
କଚ୍ଛପ : ଦ୍ୱିତୀୟ ଅବତାରରେ କଚ୍ଛପ ରୂପେ ଆବିର୍ଭୁତ ହୋଇ ସମୁଦ୍ର ମନ୍ଥନ ବେଳେ ମନ୍ଦର ପର୍ବତକୁ ନିଜ ପୃଷ୍ଠରେ ଧାରଣ କରିଥିଲେ ପ୍ରଭୁ । ଦୁର୍ବାସାଙ୍କ ଅଭିଶାପରୁ ଇନ୍ଦ୍ର ଶ୍ରୀହୀନ ହେବାରୁ ଲକ୍ଷ୍ମୀ ସ୍ୱର୍ଗରୁ ଯାଇ ସମୁଦ୍ର ଗର୍ଭରେ ବାସ କଲେ । ବ୍ରହ୍ମାଙ୍କ ଉପଦେଶ ଅନୁସାରେ ମନ୍ଦର ପର୍ବତକୁ ମନ୍ଥନ ଦଣ୍ଡ ଓ ବାସୁକୀକୁ ମନ୍ଥନ ରଜ୍ଜୁ କରି ରଜ୍ଜୁର ଏକ ପାଖକୁ ଦେବତାଗଣ ଓ ଅନ୍ୟ ପାଖକୁ ଅସୁରମାନେ ଟାଣି ସମୁଦ୍ରକୁ ମନ୍ଥନ କଲେ । ମନ୍ଥନ ଫଳରେ ପ୍ରଥମେ ହଳାହଳ ବିଷ ବାହାରିଲା । ଏ ବିଷର ଜ୍ୱାଳାରେ ସମସ୍ତେ ଅସ୍ଥିର ହୋଇ ମହାଦେବଙ୍କୁ ସ୍ମରଣ କଲେ । ଦେବଙ୍କ ଦେବ ମହାଦେବ ଉକ୍ତ ବିଷକୁ ପାନ କରିଥିଲେ । ତତ୍ପରେ ପୁଣି ମନ୍ଥନ କରିବାରୁ ସମୁଦ୍ର ମଧ୍ୟରୁ ଚନ୍ଦ୍ର, ପାରିଜାତ, ଉଚ୍ଚୈଃଶ୍ରବା ଅଶ୍ୱ, ଐରାବତ ଗଜ, ସୁରଭୀ ଗାଈ, ଲକ୍ଷ୍ମୀ ଓ ଧନ୍ୱନ୍ତରୀ ଅମୃତଭାଣ୍ଡ ସହିତ ବାହାରିଲେ । ଅସୁରମାନେ ଅମୃତଭାଣ୍ଡ ହରଣ କରିବାକୁ ଉଦ୍ୟତ ହେବାରୁ ବିଷ୍ଣୁ ମୋହିନୀ ରୂପ ଧରି ଅସୁରମାନଙ୍କୁ ଅମୃତ ନ ଦେଇ ଦେବତାମାନଙ୍କୁ ଅମୃତ ଦେଲେ । ଏଥିଯୋଗୁଁ ଦେବ ଓ ଅସୁରମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିଲା । ନାରଦମୁନି ସେହି ଯୁଦ୍ଧ ନିବାରଣ କରିଥିଲେ । ଦେବତାମାନଙ୍କଦ୍ୱାରା ଆହତ ଅସୁରମାନଙ୍କୁ ଅସୁରଗୁରୁ ଶୁକ୍ରାଚାର୍ଯ୍ୟ ଜୀବନଦାନ ଦେଇଥିଲେ ।
/kanak/media/media_files/2025/06/11/4zgm31LrKTcmcRRSW61Z.jpg)
ବରାହ : ପୌଷ ଅମାବାସ୍ୟା ବା ବକୁଳ ଅମାବାସ୍ୟା ଦିନ ତୃତୀୟ ଅବତାର ବରାହ ରୂପେ ଆବିର୍ଭୁତ ହୋଇଥିଲେ । ହିରଣ୍ୟାକ୍ଷ ନାମକ ଦୈତ୍ୟ ବ୍ରହ୍ମାଙ୍କ ବରରେ ଅତ୍ୟାଚାରୀ ହୋଇ ଦେବତାମାନଙ୍କୁ ପରାସ୍ତ କରି ପୃଥିବୀକୁ ନେଇ ପାତାଳରେ ପ୍ରବେଶ କରିଥିଲା । ପ୍ରଭୁ ବରାହ ରୂପରେ ହିରଣ୍ୟାକ୍ଷକୁ ନିପାତ କରି ପୃଥିବୀକୁ ଜଳମଧ୍ୟରୁ ଦନ୍ତଦ୍ୱାରା ଉତ୍ତୋଳନ କରିଥିଲେ । ପ୍ରଭୁଙ୍କ ଔରସରେ ଧରଣୀଙ୍କ ଗର୍ଭରୁ ନରକାସୁର ଜାତ ହୋଇଥିଲେ ।
ନୃସିଂହ : ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଆବିର୍ଭୁତ ହୋଇଥିଲେ ପ୍ରଭୁ ଶ୍ରୀ ନୃସିଂହ । ଏହି ଅବତାରରେ ବିଷ୍ଣୁ ହିରଣ୍ୟକଶ୍ୟପ ଓ ମୁରାସୁରକୁ ବଧ କରିଥିଲେ ।
ବାମନ : ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ଅଦିତିଙ୍କ ଗର୍ଭରୁ ଜନ୍ମ ହୋଇଥିଲେ ପ୍ରଭୁ ବାମନ । ଏହି ଅବତାରରେ ବିଷ୍ଣୁ ଭଗବାନ ବ୍ରାହ୍ମଣ ରୂପ ଧରି ବଳିରାଜାଙ୍କୁ ଦାନ ମାଗି ତାଙ୍କୁ ନିଜ ଶରୀରରୁ ନିର୍ଗତ ତୃତୀୟ ପାଦରେ ପାତାଳପୁରକୁ ଚାପିଥିଲେ । ରାଜା ବଳି ଅତ୍ୟଧିକ ଦାନ କରୁଥିବାରୁ ତାଙ୍କର ଅଂହଭାବ ଜାତ ହୋଇଥିଲା ।
ପର୍ଶୁରାମ : ବିଷ୍ଣୁଙ୍କ ଷଷ୍ଠ ଅବତାର ରୂପେ ପ୍ରଭୁ ପର୍ଶୁରାମ ଋଷି ଜମଦଗ୍ନିଙ୍କ ଔରସରୁ ଏବଂ ରେଣୁକାଙ୍କ ଗର୍ଭରୁ ଜାତ ହୋଇଥିଲେ । ପ୍ରଭୁଙ୍କ ଅସ୍ତ୍ର ପରଶୁ (କୁଠାର) ଅଟେ । ପ୍ରଭୁ ରାମଚନ୍ଦ୍ର ମାତା ସୀତାଙ୍କୁ ବିବାହ କରି ମିଥିଳାରୁ ଫେରିବା ସମୟରେ ପର୍ଶୁରାମ ଶ୍ରୀରାମଙ୍କୁ ଧନୁ ପରୀକ୍ଷା ନିମନ୍ତେ ଆହ୍ୱାନ କରିଥିଲେ ।
ଶ୍ରୀରାମ : ବିଷ୍ଣୁଙ୍କ ସପ୍ତମ ଅବତାର ରୂପେ ତ୍ରେତୟା ଯୁଗରେ ଅଯୋଧ୍ୟାରେ ଦଶରଥଙ୍କର ଜ୍ୟେଷ୍ଠପୁତ୍ର ରୂପେ କୌଶଲ୍ୟାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ବାଲ୍ୟବସ୍ଥାରେ ଥିବାବେଳେ ବିଶ୍ୱାମିତ୍ର ରାମଙ୍କୁ ଓ ଭାଇ ଲକ୍ଷ୍ମଣଙ୍କୁ ଆଶ୍ରମକୁ ସାଙ୍ଗରେ ନେଇଥିଲେ । ସେଠାରେ ଦୁଇ ଭାଇ ଯଜ୍ଞବିଘ୍ନକାରୀ ବହୁ ରାକ୍ଷାସଙ୍କୁ ବଧ କରିଥିଲେ । ଯଜ୍ଞର ନିର୍ବିଘ୍ନ ସମାପ୍ତି ହେବା ପରେ ବିଶ୍ୱାମିତ୍ରଙ୍କ ସଙ୍ଗେ ଦୁଇଭାଇ ରାଜା ଜନକଙ୍କ ରାଜଧାନୀକୁ ମାତା ଜାନକୀଙ୍କ ସ୍ୱୟଂମ୍ବର ସଭାକୁ ଯାଇଥିଲେ ଓ ଶିବଧନୁକୁ ଭାଙ୍ଗି ସୀତାଙ୍କ ପାଣିଗ୍ରହଣ କଲେ । ରାଣୀ କୈକେୟୀଙ୍କ ଅନୁଜ୍ଞା ଅନୁସାରେ ପ୍ରଭୁ ଶ୍ରୀରାମ ପିତୃସତ୍ୟ ପାଳନ କରିବାକୁ ଲକ୍ଷ୍ମଣ ଓ ସୀତାଙ୍କୁ ସଙ୍ଗେ ନେଇ ୧୪ ବର୍ଷ ବନବାସ ଯାଇଥିଲେ । ବନବାସ କାଳରେ ଦଣ୍ଡକାରଣ୍ୟରେ ରାବଣ ସୀତାଙ୍କୁ ହରଣ କଲା । ଶ୍ରୀରାମ ବାନର ରାଜା ସୁଗ୍ରୀବ ଓ ହନୁମାନ ତଥା ବାନର ସୈନ୍ୟଙ୍କ ସହାୟତାରେ ଲଙ୍କା ଆକ୍ରମଣ କରି ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କଲେ ଓ ଅଗ୍ନିପରୀକ୍ଷା ପରେ ସୀତାଙ୍କୁ ଗ୍ରହଣ କଲେ । ୧୪ ବର୍ଷ ବନବାସର କାଳ ପୂରିବାରୁ ଜାନକୀଙ୍କ ସହ ଅଯୋଧ୍ୟାକୁ ଆସି ରାଜତ୍ୱ କଲେ ।
ବଳରାମ : ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କର ବଡ଼ ଭାଇ ଭାବେ ଶ୍ରାବଣ ପୁର୍ଣ୍ଣମୀ ଦିନ ଆବିର୍ଭୁତ ହୋଇଥିଲେ ପ୍ରଭୁ ବଳରାମ ।
ବୁଦ୍ଧ : ପ୍ରଭୁ ନାରାୟଣଙ୍କର ନବମ ଅବତାର ହେଉଛନ୍ତି ବୁଦ୍ଧ ଅବତାର । ପୁରୀରେ ପ୍ରଭୁ ଜଗନ୍ନାଥ ସେହି ଅବତାର ବୋଲି ଅନେକଙ୍କ ମତ ।
କଳ୍କି : ପୃଥିବୀରେ ଅଧର୍ମ ବଢ଼ିଲେ ପ୍ରଭୁ ଶ୍ରୀହରି କଳ୍କି ଅବତାର ଗ୍ରହଣ କରି ମ୍ଳେଚ୍ଛସଂହାରାର୍ଥ ଖଡ୍ଗଧାରଣ କରିବେ । ଏହା ମାଳିକାରେ ଲିଖିତ ତଥା ପଣ୍ଡିତମାନଙ୍କର ବିଶ୍ୱାସ ।