କନକ ବ୍ୟୁରୋ: ଚଳିତବର୍ଷ ରଥଯାତ୍ରା ହେବ ନା ନାହିଁ? ଯଦି ହେବ, ରଥନିର୍ମାଣ କାମ କେବେ ଆରମ୍ଭ ହେବ? ଯଦି ନ ହେବ, ସରକାର ଏକଥା ଘୋଷଣା କରୁନାହାନ୍ତି କାହିଁକି? ଜୁନ୍ ୨୩ ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ଘୋଷଯାତ୍ରାକୁ ନେଇ ଏମିତି ଦ୍ବନ୍ଦ୍ବ ଏବେ ଲୋକଙ୍କ ଭିତରେ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ଜନିତ ଲକଡାଉନ୍ କଟକଣା କାରଣରୁ ରଥଯାତ୍ରା ସମ୍ଭବ ନୁହେଁ ବୋଲି ଗୋଟିଏ ପକ୍ଷ ଯୁକ୍ତି ରଖୁଥିବା ବେଳେ ବିଭିନ୍ନ ସେବାୟତମାନେ ଏ ସଂକ୍ରାନ୍ତରେ ଶଙ୍କରାଚାର୍ଯ୍ୟଙ୍କ ସମେତ ବିଭିନ୍ନ ବ୍ୟକ୍ତିଙ୍କୁ ଭେଟି ଆପତ୍ତି ଜଣାଇଛନ୍ତି। ବିଶେଷକରି ପୁରୀ ଗ୍ରିନ୍ ଜୋନରେ ଯାଉଥିବାରୁ କଟକଣା ଯୁକ୍ତ ରଥଯାତ୍ରା କାହିଁକି ହେବନି, ସେ ନେଇ ଚାପ ବଢ଼ିବାରେ ଲାଗିଛି।
ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ବସିପାରେ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ଗଜପତି ମହାରାଜା ଗୋବର୍ଧନ ପୀଠ ପରିସରରେ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା କରିବା ପରେ ୩ ତାରିଖ ପରେ ରଥନିର୍ମାଣ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଥିଲେ। କେବଳ ସେତିକି ନୁହେଁ, ରଥଯାତ୍ରାକୁ ଦୃଷ୍ଟିରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବା ଲାଗି ନିବେଦନ କରିଥିଲେ। ବର୍ତମାନର ବାସ୍ତବତା ହେଉଛି, ଅକ୍ଷୟତୃତୀୟା ଦିନ ଶଙ୍କରାଚାର୍ଯ୍ୟଙ୍କ ନିର୍ଦେଶ ଅନୁସାରେ, ଶ୍ରୀମନ୍ଦିର ପରିସରରେ ରଥ ଅନୁକୂଳ ହୋଇଛି। ହେଲେ ଏଯାଏ ରଥ ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ। ଦିନ ଗଡ଼ି ଗଡ଼ି ଯାଉଥିବାକୁ ହାତରେ ଯେତିକି ଦିନ ବାକି ରହିଛି, ସେତିକି ଦିନରେ କାମ ଶେଷ କରିବା ବି ଅସମ୍ଭବ ଦିଶିଲାଣି ବୋଲି ମୁଖ୍ୟ ବିଶ୍ବକର୍ମାମାନେ ମତ ଦେଲେଣି। ଦଇତାପତି ସେବକ ଓ ଅନ୍ୟମାନେ ରଥଯାତ୍ରା ହେବ କି ନାହିଁ, ତାହାର ସ୍ପଷ୍ଟ ଉତ୍ତର ରଖିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ପରମ୍ପରା ଅନୁଯାୟୀ, ଅକ୍ଷୟ ତୃତୀୟାରେ ମୁଖ୍ୟ ବିଶ୍ବକର୍ମାମାନେ ବରଣ ହେବା ଅର୍ଥ ରଥ ନିର୍ମାଣ ପାଇଁ ସେମାନଙ୍କୁ ଅନୁମତି ଦିଆଯାଇଛି। ଏହି ବିଧି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ତିନି ମୁଖ୍ୟ ବିଶ୍ବକର୍ମାଙ୍କୁ ନିର୍ମାଣ କାର୍ଯ୍ୟ ଆଗେଇ ନେବାକୁ ଏକ ଚିଠି କରିବା କଥା। ପ୍ରତିବର୍ଷ ଏଭଳି ଚିଠି କରାଯାଇଥାଏ। ଚଳିତ ବର୍ଷ କିନ୍ତୁ ମୁଖ୍ୟ ବିଶ୍ବକର୍ମାମାନଙ୍କୁ ଏହି ଚିଠି କରାଯାଇନି। ଯେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ଚିଠି ନ କରିବ, ସେ ପର୍ୟ୍ୟନ୍ତ ମହାରଣା ସେବକମାନେ ରଥଖଳାକୁ ଗଡ଼ିବେନି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/5-4-750x430.jpg)
/kanak/media/post_attachments/wp-content/uploads/2020/05/RATHA-1024x576.jpg)
/kanak/media/post_attachments/wp-content/uploads/2020/05/ratha-750x430-1.png)