କନକ ବ୍ୟୁରୋ: ୟୁନାଇଟେଡ ଆରବ ଏମିରେଟସର ୭ଟି ଏମିରଟସ ଲୋକମାନକୁ ନେଇ "ଏମିରଟସ ଓଡ଼ିଆ ରଥ ଯାତ୍ରା" ଏ ବର୍ଷ ଭକ୍ତିମୟ ପରିବେଶ ସହିତ ଦୁବାଇସ୍ଥିତ ବ୍ରାଇଟ ରାଇଡର୍ସ ସ୍କୁଲରେ ଧୁମଧାମରେ ପାଳନ କରାଯାଇଥିଲା । ସକାଳ ୭ଟାରୁ ସୂର୍ଯ୍ୟନାରାୟଣଙ୍କ ପୂଜା ଆରମ୍ଭ ହୋଇ ଦିନ ୯ଟାରେ ଚାରି ଠାକୁରଙ୍କର ନୀତିକାନ୍ତି ଆରମ୍ଭ ହୋଇଥିଲା । ଏଥିସହିତ ମହାମନ୍ତ୍ର ନାମ ସଂକୀର୍ତନରେ ସମସ୍ତ ଭକ୍ତମଣ୍ଡଳୀ ନାଚି ଗୀତଗାଈ ଭକ୍ତି ରସରେ ଭିଜି ଯାଇଥିଲେ । ୯.୩୦ରେ ଠାକୁରଙ୍କର ପ୍ରିୟ ବାଳ ଭୋଗ ଓ ଚୁଡା ଘାସ ଲାଗି କରାଯାଇଥିଲା । ୧୦.୩୦ରେ ହରିବୋଲ ହୁଳ ହୁଳି ଘଣ୍ଟ ଘଣ୍ଟା ଶଙ୍ଖ ଧ୍ୱନି ଓ ନାମ ସଂକୀର୍ତନ ସହିତ ମହାପ୍ରଭୁମାନଙ୍କର ପବିତ୍ର ପହଣ୍ଡି ବିଜେ ନୀତି ଆରମ୍ଭ ହୋଇ ମହାପ୍ରଭୁମାନେ ୧୧.୩୦ରେ ରଥାରୁଢ଼ ହୋଇଥିଲେ । ମଧ୍ୟାହ୍ନ ୧୨ଟା ବେଳେ ଦାରୁବ୍ରହ୍ମଙ୍କ ନିକଟରେ ୧୦୦ରୁ ଅଧିକ ପରିବାରଙ୍କ ଦ୍ୱାରା ୫୬ ଛପନ ଭୋଗ ପବିତ୍ରତା ସହିତ ପ୍ରସ୍ତୁତ କରାଯାଇ ଲାଗି କରାଯାଇଥିଲା । ତାପରେ କୁନି କୁନି ଓଡ଼ିଆ ପିଲାମାନଙ୍କ ଦ୍ୱାରା ମହାପ୍ରଭୁଙ୍କୁ ଖୁସି କରିବା ପାଇଁ ଓଡିଶୀ ଦେବଦାସୀ ନୃତ୍ୟ ପରିବେଷଣ କରାଯାଇଥିଲା । ତାପରେ ସମଗ୍ର ବିଶ୍ୱର ମଙ୍ଗଳ ପାଇଁ ୧୦୮ ମହାମନ୍ତ୍ର ସମୂହ ପାଠ କରାଯାଇଥିଲା । ୧୨.୩୦ ବେଳେ ପବିତ୍ର ଘୋଷ ଯାତ୍ରା ହରିବୋଲ , ହୁଳ ହୁଳି ଶଙ୍ଖ ଧ୍ୱନି ମହାମନ୍ତ୍ର ନାମ ସଂକୀର୍ତନ ରେ ଆରମ୍ଭ ହୋଇଥିଲା । ଦିନ ୧ଟା ବେଳେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଆରମ୍ଭ ହୋଇଥିଲା । ମହାପ୍ରସାଦରେ ଅନ୍ନ, ଡାଲି, ପୋଟଳ ରସା, ଘାଣ୍ଟ ତରକାରୀ, ଦହି ବାଇଗଣ, ଖିରି, ପାମ୍ପଡ ପରିବେଷଣ କରାଯାଇଥିଲା । ଅପରାହ୍ନ ୨ଟା ବେଳେ ପାରମ୍ପରିକ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ବେଳେ ଶେଷ ହୋଇଥିଲା । ଏହି ଅବସରରେ ଦୁବାଇରେ ଅବସ୍ଥିତ ଭାରତୀୟ ଦୂତାବାସର କନସୁଲ୍ ଜେନେରାଲ୍ ଡ.ସତୀଶ କୁମାର ସିଭାନ୍ ତାଙ୍କ ପରିବାର ସହିତ ଯୋଗ ଦେଇ ରଥ ଟାଣିଥିଲେ। ସମଗ୍ର ଆରବ ଏମିରଟସରୁ ୬୦୦ରୁ ଅଧିକ ପରିବାର ଯୋଗ ଦେଇ ଥିଲେ ।