ସୁସ୍ଥ ହୋଇଛନ୍ତି ମହାପ୍ରଭୁ ! ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

୧୫ ଦିନ ଅଣସର ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ: ଆଜି ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ, ଜାଣନ୍ତୁ ଶ୍ରୀବିଗ୍ରହଙ୍କ ‘ନବଯୌବନ’ ବେଶର କଣ ରହିଛି ମହାତ୍ମ୍ୟ

Source: 4.bp.blogspot.com

ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଶୁକ୍ରବାର ମହାପ୍ରଭୁଙ୍କ ବନକ ଲାଗି କରାଯାଇଛି । ଦତ୍ତ ମହାପାତ୍ର ସେବକମାନେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି । କସ୍ତୁରୀ, କେଶର, ହରିତାଳ, ହିଂଗୁଳ ଆଦି ସାମଗ୍ରୀ ମିଶ୍ରଣକୁ ନେଇ ଶ୍ରୀଅଙ୍ଗରେ ଲାଗି କରାଯାଇଛି । ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସରିବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହେବେ । ଆଜି ଭକ୍ତମାନେ ମହାପ୍ରଭୁଙ୍କୁ ନବଯୌବନ ବେଶରେ ଦର୍ଶନ କରିବେ । ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ ୯ଟା ପର୍ୟ୍ୟନ୍ତ ପରିମାଣିକ ଦର୍ଶନ ହେବ । ପରିମାଣିକ ଦର୍ଶନରେ ଭକ୍ତମାନେ ୫୦ଟଙ୍କା ଟିକେଟ୍ କାଟି ମହାପ୍ରଭୁଙ୍କୁ ଦର୍ଶନ କରିବେ ।

ସେହିଭଳି ସକାଳ ୯ଟାରୁ ୧୦ଟା ୩୦ ଯାଏ ସାହାଣମେଲା ଦର୍ଶନ କରାଯିବ ବୋଲି କୁହାଯାଇଛି । ସାହାଣମେଲାରେ ଦେଢ଼ଘଣ୍ଟା ମହାପ୍ରଭୁଙ୍କୁ ଭକ୍ତମାନେ ମାଗଣାରେ ଦର୍ଶନ କରିବେ । କିନ୍ତୁ ନୀତି ବିଳମ୍ବିତ ହୋଇଥିବାରୁ ଏହି ଦର୍ଶନ ବ୍ୟବସ୍ଥା ମଧ୍ୟ ବିଳମ୍ବ ହେବ ବୋଲି କୁହାଯାଉଛି। ୧୦ଟା ୩୦ ପରେ ଦର୍ଶନ ବନ୍ଦ ହୋଇ ଅନ୍ୟାନ୍ୟ ନୀତି ଆରମ୍ଭ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସକାଳ ୬ଟା ବେଳେ ଚକା ଅପସର ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଏହା ପରେ ମଙ୍ଗଳଆଳତି ଓ ମଇଲମ ହେବ। ପରେ ଦଶାବତାର ଠାକୁରଙ୍କର ବାହୁଡ଼ାବିଜେ ସକାଳ ୭ଟା ୩୦ଟା ବେଳେ କରିବା ଲାଗି ସମୟ ଧାର୍ୟ୍ୟ ହୋଇଛି। ସର୍ବାଙ୍ଗ ସହ ନେତ୍ରୋତ୍ସବ ବନ୍ଦାପନା, ଯାତ୍ରାଙ୍ଗୀ ମହାସ୍ନାନ ସବୁ ସରିବା ପରେ ଅପରାହ୍ନ ୪ଟା ୧୦ରେ ରଥକୁ ଆଜ୍ଞାମାଳ ବିଜେ କରିବେ।

ମହାପ୍ରଭୁଙ୍କର ଏହି ଅନୁମତି ସହିତ ରଥଖଳାରୁ ରଥ ଚକଡ଼ାକୁ ଯିବା ପ୍ରକ୍ରିୟା ଆରମ୍ଭ ହେବ । ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଜି ରାତିରୁ ପ୍ରକ୍ରିୟା ଆରମ୍ଭ ହୋଇଯିବ । ବିଳମ୍ବିତ ରାତିରେ ବାହୁଟକଣ୍ଟ ହେବା ସହ ମଧ୍ୟରାତ୍ରିରୁ ସକାଳ ୫ଟା ୩୦ ମିନିଟ ପର୍ୟ୍ୟନ୍ତ ସେନାପଟା ଲାଗି ହେବ । ଅନ୍ୟପଟେ ଆସନ୍ତାକାଲି ସକାଳ ୬ଟାରୁ ପରଦିନ ସକାଳ ୫ଟା ୩୦ ପର୍ୟ୍ୟନ୍ତ ନୀତି ରହିଥିବାରୁ ପହୁଡ଼ ହେବ ନାହିଁ । ଉଲ୍ଲେଖଯୋଗ୍ୟ, ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବା ପାଇଁ ଗତକାଲି ଶ୍ରୀମନ୍ଦିରକୁ ଖଡ଼ିପ୍ରସାଦ ବିଜେ ହୋଇଥିଲା । ଶ୍ରୀଅଙ୍ଗରେ ଶ୍ରୀମୁଖ ହୋତା ଲାଗି ହେବା ପରେ ଏହା ଉପରେ ଖଡ଼ିପ୍ରସାଦ ଲାଗି କରାଯାଇଥିଲା । ବିଳମ୍ବିତ ରାତିରେ ବଡଦେଉଳକୁ ଖଡ଼ି ବିଜେ ହେବା ପରେ ଶ୍ରୀମୁଖ ଶୃଙ୍ଗାର ଶୁଭାରମ୍ଭ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe