୧୦୮ ଗରା ସୁବାଷିତ ଜଳରେ ମହାସ୍ନାନ କରି ଜରରେ କମ୍ପୁଛନ୍ତି ଶ୍ରୀବିଗ୍ରହ । ଅସୁସ୍ଥ ଶ୍ରୀଜିଉଙ୍କୁ ସୁସ୍ଥ କରିବାର୍ଥେ ଅଣସର ଘରେ ଚାଲିଛି ଗୁପ୍ତ ଉପଚାର । ବେଶ୍ ନିଷ୍ଠା ଓ ଏକାଗ୍ରତାର ସହ ଚତୁର୍ଦ୍ଧା ମୂରତିଙ୍କ ସେବାରେ ଗୋଷ୍ଠୀଗତ ଭାବେ ଲାଗିପଡିଛନ୍ତି ଦଇତାପତି ସେବକ । ତେବେ ମହାପ୍ରଭୁ ଯେତେବେଳେ ଏହି ଅଣସର ଘରେ ବିରାଜମାନ କରିଥାନ୍ତି ସେହି ସମୟରୁ କିଛି ନିୟମ ମଧ୍ୟ ପାଳନ କରନ୍ତି ମହାପ୍ରଭୁଙ୍କ ସେବାରେ ଲିପ୍ତ ଥିବା ସେବାୟତ ଏବଂ ଦଇତାପତି ପରିବାର । ଯାହା ସଂପର୍କରେ ଆମେ ଆଜି ଏଠାରେ ଆଲୋଚନା କରିଛୁ ।

Advertisment

• ଅଣସର ୧୫ ଦିନ କାଳ ପ୍ରତ୍ୟେକ ଦଇତାପତି ପରିବାର ଶୁଦ୍ଧପୂତ ଭାବେ ରୁହନ୍ତି । ପବିତ୍ର ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ଜଳ ଆସିବା ପରେ ବଡବଡିଆଙ୍କୁ ଲାଗି କରାଯାଏ । ଏହି ସ୍ନାନ ଜଳ ମାଟିହାଣ୍ଡିରେ ପଡିବା ପରେ ହବିଷାନ୍ନ ତିଆରି ହୁଏ । ଦଇତାପତି ପରିବାରର ସ୍ତ୍ରୀଲୋକମାନେ ପାଟଶାଢି ପରିଧାନ କରି କାଠଚୁଲିରେ ହବିଷାନ୍ନ ତିଆରି କରିଥାନ୍ତି । ସେହିଭଳି ଯାହାର କାଠଚୁଲି ନାହିଁ ସେମାନେ ନୂଆ ଗ୍ୟାସ ଚୁଲାରେ ହବିଷାନ୍ନ ତିଆରି କରନ୍ତି ।

• ଶ୍ରୀମନ୍ଦିରରେ ଯେଉଁଭଳି ପାରମ୍ପରିକ ଭାବେ ବିଭିନ୍ନ ପରିବା ପଡି ଡାଲମା ଏବଂ ଅନ୍ନ ତିଆରି ହୁଏଠିକ୍ ସେହିପରି ଡାମାଲା, ଅନ୍ନ ପ୍ରତ୍ୟେକ ପରିବାରରେ ପ୍ରସ୍ତୁତ କରାଯାଏ । ଯିଏ ଯେଉଁ ଆଡେ ଯାଆନ୍ତି ସୂର୍ଯ୍ୟାସ୍ତ ପୂର୍ବରୁ ଫେରି ଏହି ହବିଷାନ୍ନ ସେବନ କରନ୍ତି ।

• ଦଇତାପତି ପରିବାରର ସମସ୍ତ ସଦସ୍ୟ ଅର୍ଥାତ୍ ପିଲାଙ୍କଠାରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଦିନକୁ ଗୋଟିଏ ଥର ଏହି ହବିଷାନ୍ନ ଖାଆନ୍ତି ।

• କେହି ବାହାରେ କିଛି ବି ଖାଦ୍ୟ ଗ୍ରହଣ କରନ୍ତି ନାହିଁ କି ପାଣି ମଧ୍ୟ ପିଅନ୍ତି ନାହିଁ ।

• କୌଣସି ପରିବାରର ଯଦି କେହି ବାହାରେ ଚାକିରି କରୁଥିବେ ତେବେ ଏହି ୧୫ ଦିନ କାଳ ଛୁଟି ଆଣି ଘରକୁ ଆସନ୍ତି । ଏବଂ ଶୁଦ୍ଧପୁତ ଭାବେ ପରିବାର ସଦସ୍ୟଙ୍କ ସହ ରହି ସମସ୍ତ ନୀତି ନିୟମ ପାଳନ କରିଥାନ୍ତି ।

• ତେବେ ଏହି ସମୟରେ ବିବାହିତ ଝିଅମାନେ ବାପାଘରକୁ ବି ଆସନ୍ତି ନାହିଁ ।

• ସେହିପରି ବନ୍ଧୁବାନ୍ଧବ ମଧ୍ୟ ଆସିନଥାନ୍ତି ।

• ଭିକାରୀଙ୍କୁ ବି ଭିକ୍ଷା ଦିଆଯାଇନଥାଏ ।

• ଅଣସର ୧୫ ଦିନ ପର୍ଯ୍ୟନ୍ତ ମହାପ୍ରଭୁ ଖଟ, ପଲଙ୍କ, ଗଦି, ମାଣ୍ଡି କିଛି ବି ବ୍ୟବହାର କରୁନଥିବାରୁ ଦଇତା ପରିବାରରେ ମଧ୍ୟ ଏହା ବ୍ୟବହାର ହୋଇନଥାଏ ।

• ଏପରିକି ଏହି ସମୟରେ ଦଇତାପତି ପରିବାର ସଦସ୍ୟାମାନେ ସୁନା ଅଳଙ୍କାର ପ୍ରାୟତଃ ପିନ୍ଧନ୍ତି ନାହିଁ ।