ଜରରେ କମ୍ପୁଛନ୍ତି ଶ୍ରୀଜିଉ, ଚାଲିଛି ଗୁପ୍ତସେବା ! ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ, କାଲିିଠୁ ଆରମ୍ଭ ଓଷ ଉପଚାର

ଜରରେ କମ୍ପୁଛନ୍ତି ଶ୍ରୀଜିଉ, ଚାଲିଛି ଗୁପ୍ତସେବା ! ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ, କାଲିିଠୁ ଆରମ୍ଭ ଓଷ ଉପଚାର

Source:boldsky.com

ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜରରେ ପୀଡିତ ଅଛନ୍ତି ଚତୁର୍ଦ୍ଧା ବିଗ୍ରହ । ଏବେ ଅଣସର ଘରେ ଚାଲିଛି ଗୁପ୍ତ ଉପଚାର । ଅଣସର ଘରେ ବିଭିନ୍ନ ପ୍ରକାର ଉପଚାରରେ ବିଶ୍ୱନିୟନ୍ତାଙ୍କ ସେବା କରୁଛନ୍ତି ଦଇତାପତି ସେବାୟତ । ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଶ୍ରୀବିଗ୍ରହଙ୍କ ପାଖରେ ଲାଗି ହେବ ଫୁଲରି ତେଲ । ଆଜି ଦଇତାପତି ସେବାୟତ ମାନେ ଫୁଲରି ତେଲ ଲାଗି କରିବେ । ଅନବସର ନୀତିର ପଂଚମ ଦିନରେ ଜ୍ୱରର ଉପଶମ ପାଇଁ ଲାଗି କରାଯାଏ ଫୁଲୁରି ତେଲ । ବିଶ୍ୱାସ ରହିଛି ଫୁଲୁରି ତେଲ ଲଗାଇବା ପରେ ମହାପ୍ରଭୁ କିଛି ମାତ୍ରାରେ ସୁସ୍ଥ ହୋଇଥାନ୍ତି । ଏହି ତେଲକୁ ବଡ଼ ଓଡିଆ ମଠ ପ୍ରସ୍ତୁତ କରିଥାଏ । ଜୁଇ, ଜାଇ ଫୁଲ ଏବଂ ବିଭିନ୍ନ ପ୍ରକାର ଔଷଧୀୟ ଚେରମୂଳି ମିଶିଥାଏ ଏହି ଫୁଲରି ତେଲରେ ।

publive-image

ନୀଳାଦ୍ରି ମହୋଦୟ ଶାସ୍ତ୍ରରେ ମହାପ୍ରଭୁଙ୍କ ଅଣସରକାଳୀନ ଗୋପନ ସେବା ସଂପର୍କରେ ରହିଥିବା ମାର୍ଗଦର୍ଶନ ମୁତାବକ ବିଶ୍ୱାବସୁ ତଥା ବିଦ୍ୟାପତି ବଂଶଧରମାନେ ଶ୍ରୀଅଙ୍ଗର ଲେପ ଛଡ଼ାଇବା ପୂର୍ବରୁ ମହାପ୍ରଭୁଙ୍କୁ ଔଷଧଯୁକ୍ତ ତୈଳ ମର୍ଦ୍ଦନ କରିବାର ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥା ମୁତାବକ ଆଜି ଶ୍ରୀବିଗ୍ରହଙ୍କ ଅଣସର ବାସରେ ଶଯ୍ୟାଶାୟୀ ଶ୍ରୀବିଗ୍ରହମାନଙ୍କୁ ଜଡିବୁଟିଯୁକ୍ତ ଔଷଧୀୟ ତୈଳ ଫୁଲୁରି ତେଲ ଲାଗି କରାଯିବ। ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶରୀରରେ ଔଷଧୀୟ ତୈଳ ମାଲିସ ହେବ। ଏହି ତେଲ ଶ୍ରୀଅଙ୍ଗରେ ମର୍ଦ୍ଦନ ହେଲେ ପ୍ରଭୁ ସୁସ୍ଥ ହେବେ। ବଡ଼ଓଡ଼ିଆ ମଠ ପକ୍ଷରୁ ଏହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏହି ନୀତି ପାଇଁ ପୂର୍ବରୁ ସ୍ୱତନ୍ତ୍ର ଭାବେ ନୀତି ନିର୍ଘଣ୍ଟ ହୋଇଥାଏ ।ବଡଦେଉଳରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ପରମ୍ପରା ମୁତାବକ ବଡଓଡ଼ିଆ ମଠକୁ ଶ୍ରୀମନ୍ଦିର ବରକନ୍ଦାଜଙ୍କ ଜରିଆରେ ଫୁଲୁରି ତେଲ ବିଜେ ପାଇଁ ଖବର ଯାଇଥାଏ। ଏହି ବାର୍ତ୍ତା ପାଇବା ପରେ ବଡଓଡ଼ିଆ ମଠ ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ମହାପ୍ରଭୁଙ୍କ ପାଇଁ ଏହି ଫୁଲୁରି ତେଲ ବ୍ୟବସ୍ଥା କରିଥାନ୍ତି। ଏହି ମହୌଷଧିଯୁକ୍ତ ତେଲକୁ ବଡଓଡ଼ିଆ ମଠରୁ ଶୋଭାଯାତ୍ରାରେ ଶ୍ରୀମନ୍ଦିର ବିଜେ କରାଯାଇଛି। ପ୍ରାୟ ବର୍ଷ ତଳେ ଏହାକୁ ମାଟି ତଳେ ପୋତାଯାଇ ପ୍ରସ୍ତୁତ କରାଯାଇଥିଲା।

publive-image Source:srijagannath.in

ମହାପ୍ରଭୁ ହେଉଛନ୍ତି ଜୀବନ୍ତ ଠାକୁର। ମଣିଷ ଭଳି ତାଙ୍କର ସେବା କରାଯାଏ। ଦେହର ଦରଜ ଭାଙ୍ଗିବା ପାଇଁ ତାଙ୍କ ଶ୍ରୀଅଙ୍ଗକୁ ମାଲିସ୍ କରାଯାଏ। ତେଣୁ ଏହି ତୈଳ ମର୍ଦ୍ଦନ ବ୍ୟବସ୍ଥା କରାଯାଇଛି। ରାଜା ପ୍ରତାପ ଦେବଙ୍କ ଅମଳରୁ ବଡ଼ଓଡ଼ିଆ ମଠକୁ ଫୁଲୁରି ତେଲ ସେବା ଦାୟିତ୍ଵ ଦିଆଯାଇଛି। ସେହି କାଳରୁ ମଠ ଏହି ଫୁଲୁରି ତେଲକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପାଇଁ ପ୍ରସ୍ତୁତ କରିଆସୁଛି। ଏକ ସ୍ୱତନ୍ତ୍ର ପ୍ରଣାଳୀରେ ଏହି ତୈଳକୁ ପ୍ରସ୍ତୁତ କରାଯାଉଛି। ତିନୋଟି ତିନି ସେରିଆ ମାଟି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ ଗୁଣ୍ଡ, କିଆ, କେତକୀ, ଚା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲ ମିଶ୍ରଣରେ ଏହାକୁ ପ୍ରସ୍ତୁତ କରାଯାଇଥାଏ। ପ୍ରତିବର୍ଷ ଶ୍ରୀଗୁଣ୍ଡିଚାର ହେରାପଞ୍ଚମୀ ଦିନ ଏହି ମିଶ୍ରଣକୁ ମାଟି ତଳେ ପୋତାଯାଏ। ପାଖାପାଖି ଗୋଟିଏ ବର୍ଷ ମାଟି ତଳେ ରହିବା ପରେ ଏହାକୁ ବାହାର କରାଯାଏ। ଶୋଭାଯାତ୍ରାରେ ଆସି ଏହା ଅଣସର ପିଣ୍ଡିରେ ବିଜେ ହେବା ପରେ ଦଇତାପତି, ପତି ମହାପାତ୍ର ସେବକମାନେ ଶ୍ରୀଅଙ୍ଗରେ ମାଲିସ କରିଥାନ୍ତି। ଆଜିଠୁ  ମହାପ୍ରଭୁଙ୍କର ଅନ୍ୟାନ୍ୟ ଓଷଧୀୟ ଉପଚାର ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe