ଜଗାର ଯାଜପୁରିଆ ବନ୍ଧୁ…ଭକ୍ତ ପାଇଁ ବ୍ରାହ୍ମଣ ସାଜିଥିଲେ ମହାପ୍ରଭୁ, ରାତିରେ ଆସିଲେ ସୁନାଥାଳିଆରେ ଦେଲେ ମହାପ୍ରସାଦ

1,057

ଜଗତର ନାଥ ଜଗନ୍ନାଥ । ଭକତଙ୍କ ଭାବରେ ବନ୍ଧା ସେ । ତାକୁ ଯିଏ ଭକ୍ତିରେ ଥରେ ଡାକି ଦିଏ ସେ ତାର ଗୋଟାପୁଣି ହୋଇଯାଏ । ଆଜିର ଏହି କଳି କାଳରେ ସେ ହେଉଛନ୍ତି ଜୀବନ୍ତ ଠାକୁର । ତା’ର ନତ ବଡ, ଦାଣ୍ଡ ବଡ, ମନ୍ଦିର ବଡ ଆଉ ଭୋଗ ବଡ । ହେଲେ ଏସବୁକୁ ମୁରୁଛୁ ଦେଇ ବରଷକେ ଥରେ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ଶ୍ରୀନଅଁର ଛାଡି ବାହାରକୁ ଧାଇଁ ଆସନ୍ତି କାଳିଆ ଠାକୁର । କେବଳ ଟିକିଏ ଭକ୍ତି, ସ୍ନେହ , ଶ୍ରଦ୍ଧା ପାଇବା ପାଇଁ ଭାଇ, ଭଉଣୀଙ୍କୁ ସାଥିରେ ଧରି ଚାଲିଆସନ୍ତି ବଡ ଦାଣ୍ଡର ସେହି ଶରଧାବାଲିକୁ । ତେବେ ମହାପ୍ରଭୁଙ୍କ ଅନେକ ଅଲୌକିକ ମହିମା ରହିଛି । ଯାହା ମଧ୍ୟରୁ ଗୋଟିଏ ହେଲା ବନ୍ଧୁ ମହାନ୍ତିଙ୍କ କାହାଣୀ..

ବନ୍ଧୁ ମହାନ୍ତି ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଥିଲେ । ସେ ପୁରୀ ଜଗନ୍ନାଥ ମନ୍ଦିରଠାରେ ଅନେକ ଦିନ କାଳ କାଟିଥିଲେ । ଭୁବନେଶ୍ୱରଠାରୁ ୫ନଂ ଜାତୀୟ ରାଜପଥରେ କଟକ ଦେଇ ଯାଜପୁର ଅଭିମୁଖେ ପ୍ରାୟ ୧୦୦ କିମି ଦୂର ଆସିଲେ କୁଆଖିଆ ଛକ ପଡେ । ସେଠାରୁ ଦକ୍ଷିଣକୁ ପ୍ରାୟ ୫ କିମି ଦୂରରେ ଅବସ୍ଥିତ ଯାଜପୁର ଜିଲ୍ଲା ଅନ୍ତର୍ଗତ ଜାହାନପୁର ଗ୍ରାମପଞ୍ଚାୟତର କପିଳେଶ୍ୱର ଗ୍ରାମ । ମାତ୍ର ଏହା କେବଳ ସ୍ଥାନୀୟ ଲୋକଙ୍କଠାରୁ ଶୁଣାଯାଏ; କୌଣସି ସ୍ମୃତିସନ୍ତକ ନାହିଁ ।

ବନ୍ଧୁ ମହାନ୍ତିଙ୍କ ପରିବାରରେ ତାଙ୍କର ପତ୍ନୀ, ଦୁଇ କନ୍ୟା ଓ ପୁତ୍ର । ବିଶେଷ ଜମିବାଡ଼ି ନ ଥିବା ହେତୁ ଭିକ୍ଷା ମାଗି ଚଳନ୍ତି ବନ୍ଧୁ ମହାନ୍ତି । ତାଙ୍କ ପତ୍ନୀ ଶ୍ରୀକ୍ଷେତ୍ରବାସୀ ବନ୍ଧୁଙ୍କଠାରୁ କିଛି ମାଗିବାକୁ ପରାମର୍ଶ ଦେଉଥିଲେ ମଧ୍ୟ ନିହାତି ଆନଶ୍ୟକ ନ ପଡ଼ିଲେ ବନ୍ଧୁ ଘରକୁ ଯିବା ଉଚିତ ହେବ ନାହିଁ ବୋଲି ସେ ଭାବନ୍ତି। ମାତ୍ର ଏକ ସମୟରେ ବର୍ଷା ନ ହେବାରୁ, ବନ୍ଧୁ ମହାନ୍ତିଙ୍କୁ ଭିକ୍ଷା ମିଳୁନଥିଲା । ତେଣୁ ସେ ନିଜ ବନ୍ଧୁ ପୁରୁଷୋତ୍ତମଙ୍କୁ ଦେଖା କରିବା ପାଇଁ ସପରିବାର ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କଲେ । ମାତ୍ର ଗହଳି ହେତୁ ମନ୍ଦିର ମଧ୍ୟରେ ପ୍ରବେଶ କରିନପାରି ଦକ୍ଷିଣଦ୍ୱାରସ୍ଥ ପେଜନଳା ନିକଟରେ ବସି ରହିଲେ ।

ପ୍ରବଳ ଭୋକ ହେବାରୁ ମହାନ୍ତିଙ୍କ ପରିବାର ପେଜ ପିଇ ଶୋଇ ପଡ଼ିଲେ । ମାତ୍ର ଅର୍ଦ୍ଧ ରାତ୍ରିରେ ଜଣେ ବ୍ରାହ୍ମଣ ଆସି ଡାକ ପକାଇଲେ, ହେ ମୋର ଯାଜପୁରିଆ ବନ୍ଧୁ ଉଠ… ଉଠ । ବ୍ରାହ୍ମଣ ଜଣଙ୍କ ସୁନା ଥାଳିରେ ଦେଇଥିବା ମହାପ୍ରସାଦ ଖାଇସାରି, ଥାଳି ଫେରାଇବାକୁ ଖୋଜିଲେ ମଧ୍ୟ ମହାନ୍ତି ତାଙ୍କୁ ପାଇନଥିଲେ । ସକାଳ ପାହିବାରୁ ଠାକୁରଙ୍କ ସୁନା ଥାଳି ଖୋଜାପଡ଼ିଲା । ଥାଳିକୁ ଏକ ଭିକାରୀ ମୁଣ୍ଡ ତଳେ ଥୋଇ ଶୋଇଥିବା ଖବର ପାଇ ଶ୍ରୀମନ୍ଦିର ସେବକ ପ୍ରହରୀମାନେ କୌଣସି କଥା ନଶୁଣି ବନ୍ଧୁ ମହାନ୍ତିଙ୍କୁ ସପରିବାର ବନ୍ଦୀ କଲେ ଓ ନିର‌୍ୟ୍ୟାତନା ଦେଲେ । ବନ୍ଧୁଙ୍କ ଦୁଃଖ ଯନ୍ତ୍ରଣା ମହାପ୍ରଭୁ ସହିପାରିଲେ ନାହିଁ ।

ଖୋର୍ଦ୍ଧାର ରଥିପୁର ଗଡ଼ରେ ଥିବା ଗଜପତି ପ୍ରତାପରୁଦ୍ର ଦେବଙ୍କୁ, ବନ୍ଧୁ ମହାନ୍ତିଙ୍କୁ ମୁକ୍ତ କରିବା ଲାଗି ସ୍ୱପ୍ନାଦେଶ ଦେଲେ । ଏବଂ ମହାପ୍ରଭୁଙ୍କ ସ୍ୱାପ୍ନାଦେଶ ପାଇ ବନ୍ଧୁ ମହାନ୍ତିଙ୍କୁ ମୁକ୍ତ କରିଥିଲେ । ସେତେବେଳେ ଭକ୍ତ ବନ୍ଧୁ ମହାନ୍ତିଙ୍କ ମହିମା ସମସ୍ତେ ଜାଣିସାରିଥିଲେ । ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ପେଜନାଳ ନିକଟରେ ତିଆରି ହେଲା ତାଙ୍କର ଆଶ୍ରମ ଏବେବି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ଆଶ୍ରମକୁ ଅନେକ ଲୋକ ଦର୍ଶନ ପାଇଁ ଆସୁଥିବା ଦେଖାଯାଏ ।