କ’ଣ ହୁଏ ଅଣସର ତାଟି ଭିତରେ? ଜାଣନ୍ତୁ ଶ୍ରୀବିଗ୍ରହଙ୍କ ଗୁପ୍ତନୀତି ସଂପର୍କରେ..

କ’ଣ ହୁଏ ଅଣସର ତାଟି ଭିତରେ? ଜାଣନ୍ତୁ ଶ୍ରୀବିଗ୍ରହଙ୍କ ଗୁପ୍ତନୀତି ସଂପର୍କରେ..

ଅଣସର ବେଳେ ତାଟି ବାହାରେ ତିନି ପଟିଦିଅଁଙ୍କ ସମେତ ଦଶାବତାର ଠାକୁର ପୂଜା ହେବାବେଳେ, କ’ଣ ହୁଏ ତାଟି ଭିତରେ? ଏହାକୁ ‘ଗୁପ୍ତ ସେବା’ ବୋଲି କୁହାଯାଇଛି । ଅଣସର ଘରେ ଦାରୁବିଗ୍ରହମାନଙ୍କର ଏହି ସେବା ହୋଇଥାଏ ।

ଏ ସଂପର୍କରେ ସୂଚନାଯୋଗ୍ୟ ଯେ ଯେଉଁବର୍ଷ ନବକଳେବର ହୁଏ, ସେହି ବର୍ଷ ସ୍ୱତନ୍ତ୍ର ଭାବରେ ଦାରୁଛେଦନ କରାଯାଇ ନୂଆମୂର୍ତ୍ତି ଗଢ଼ାଯାଏ । ତାହା କରାଯାଏ ଶ୍ରୀମନ୍ଦିର ପରିସରରେ ଥିବା ‘କୋଇଲି ବୈକୁଣ୍ଠ’ର ଅସ୍ଥାୟୀ କାରୁଶାଳାରେ । ସେଠାରେ ଗୋପନରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମଯନ୍ତ୍ର ବିଧିରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଶ୍ରୀସୁଦର୍ଶନ ଓ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି ଗଢ଼ା ହୁଏ । ତା’ପରେ ସେମାନଙ୍କୁ ଗୁପ୍ତ ପହଣ୍ଡି କରି ଅଣାଯାଏ ଶ୍ରୀମନ୍ଦିରକୁ । ସେଠାରେ ଗୋପନରେ ସେମାନଙ୍କଠାରେ ବ୍ରହ୍ମ ସଂସ୍ଥାପନ କରାଯିବା ପରେ, ପୁରାତନ ବିଗ୍ରହମାନଙ୍କୁ କୋଇଲି ବୈକୁଣ୍ଠର ଭୂମିଭଣ୍ଡାରରେ ପାତାଳୀ କରାଯାଏ । ତା’ପରେ ସ୍ୱତନ୍ତ୍ର ବିଧିରେ ନୂଆ ବିଗ୍ରହମାନଙ୍କର ଅଙ୍ଗ ଗଠନ କରାଯାଏ । ଏହା ହେଉଛି ସେମାନଙ୍କର ନବକଳେବର । ଏ ସମସ୍ତ ବିଧି ଅତ୍ୟନ୍ତ ଗୋପନୀୟ । ତାହା ପରେ, ଆଉ ଗୋଟିଏ ନବକଳେବର ହେବା ପର୍ଯ୍ୟନ୍ତ, ସେହି ସ୍ୱତନ୍ତ୍ର ବିଧିରେ ଦାରୁ ଦେବତାମାନଙ୍କର ଶ୍ରୀଅଙ୍ଗ ସେବା କରାଯାଇଥାଏ । ଏହା ହିଁ ହେଉଛି ଗୁପ୍ତ ସେବା ।

publive-image

କିନ୍ତୁ କ’ଣ ହୁଏ ଏହି ଗୁପ୍ତ ସେବାରେ? ସେ ରହସ୍ୟ ମୁଖ୍ୟତଃ ଦାରୁବ୍ରହ୍ମଙ୍କର ଅଙ୍ଗରକ୍ଷାକାରୀ ଦଇତାସେବକମାନଙ୍କୁ ହିଁ ଭଲଭାବରେ ଜଣା ।

ତେବେ ‘ନୀଳାଦ୍ରି ମହୋଦୟ’ର ପଞ୍ଚଦଶ ଅଧ୍ୟାୟରେ ଏ ସଂପର୍କରେ ସୂଚନା ଅଛି । ସେଥିରେ ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ପଚାରିଛନ୍ତି- ହେ ବ୍ରହ୍ମନ୍! ଅଣସର ଘରେ ଦାରୁରୂପୀ ଚାରିଠାକୁରଙ୍କର ଏହି ବିଧି କିପରି ହୁଏ, ମୋ ପ୍ରତି ଅନୁଗ୍ରହ ଥିଲେ ଅତିଶୀଘ୍ର କହନ୍ତୁ!

ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଏହି ଆଗ୍ରହ ଓ ଅନୁରୋଧର ଉତ୍ତରରେ ବ୍ରହ୍ମା କହିଛନ୍ତି- ହେ ରାଜା! ତୁମ୍ଭେ ନୀଳାଦ୍ରିସିଂହ (ଶ୍ରୀଜଗନ୍ନାଥ)ଙ୍କର ପରମ ଭକ୍ତ ଅଟ । ଏଣୁ ତୁମ୍ଭଙ୍କୁ ବିଷ୍ଣୁଙ୍କର ଏହି ଗୋପନୀୟ ତଥ୍ୟ ସଂକ୍ଷେପରେ କହୁଛି ।

publive-image

ଏହି ପ୍ରସଙ୍ଗରେ ଅଣସର ଘରେ ଜରରେ ପଡ଼ିଥିବା ଠାକୁରମାନଙ୍କର ପଣାଭୋଗ କଥା କୁହାଯାଇଛି । ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି, ହେ ରାଜା! ଅଣସର ଘରେ ବିଦ୍ୟାପତି ବଂଶର ସେବକମାନେ ପନ୍ଦରଦିନ ଧରି କର୍ପୂର ମିଶା ମିଶ୍ରିପଣା ବିଷ୍ଣୁଙ୍କୁ ଭୋଗ ଲଗାଇ ପୂଜା କରିବେ । ମିଶ୍ରିପଣାରେ କ୍ଷୀର-ସର ମିଶାଇ, ପରଂବ୍ରହ୍ମଙ୍କୁ ଚିନ୍ତା କରି ସମର୍ପଣ କରିବେ । ଆମେ ଯେପରି ଜର ହେଲେ ସାଗୁ, ବାର୍ଲି ଆଦି ତରଳ ଖାଦ୍ୟ ଖାଇଥାଉ, ଏହା ସେହିପରି ବ୍ୟବସ୍ଥା ।

ଏହି ସମୟର ଅଣସର ତାଟି ଭିତରେ ଥିବା ଠାକୁରମାନେ ଅସୁସ୍ଥ ଥିବାରୁ, ସେମାନେ ସଂକ୍ଷିପ୍ତ ଶୁକ୍ଳବସ୍ତ୍ର ପରିଧାନ କରିଥାଆନ୍ତି ଏବଂ ସେମାନଙ୍କୁ କେବଳ ଶୁକ୍ଳ ଫୁଲ ଲାଗି ହୋଇଥାଏ । ଏହାର ବିଧି ଓ ନିଷେଧ ସଂପର୍କରେ ‘ନୀଳାଦ୍ରି ମହୋଦୟ’ରେ କୁହାଯାଇଛି- ହେ ରାଜା! ଯେତେ ଶ୍ରଦ୍ଧା ଭକ୍ତି ଥିଲେ ମଧ୍ୟ ପ୍ରଭୁଙ୍କ ଶ୍ରୀଅଙ୍ଗର ମାଳ ଚନ୍ଦନ ଆଦି ନିର୍ମାଲ୍ୟ କଦାପି ବାହାରକୁ ନେବ ନାହିଁ ।

publive-image

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଏହି କ୍ଷୀର-ସର ମିଶା ମିଶ୍ରିପଣା ପତି ମହାପାତ୍ର ସେବକ ଅଣସର ତାଟି ଭିତରେ ଦାରୁଦେବତାମାନଙ୍କୁ ସମର୍ପଣ କରନ୍ତି । ପରେ ଦଇତାସେବକମାନେ ସେହି ଭୋଗରେ ଅଧିକ କ୍ଷୀର-ସର ଓ ମିଶ୍ରି ମିଶାଇ, ତାହାକୁ ଭକ୍ତମାନଙ୍କୁ ବିତରଣ କରିଥାଆନ୍ତି । ଏହା ‘ଅଣସର ପଣା’ ଭାବରେ ପ୍ରସିଦ୍ଧ । ପ୍ରତିବର୍ଷ ଅଣସର ବେଳେ, ଏହି ପଣା ପାଇବାକୁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥାଏ। କିନ୍ତୁ ଅଣସର ତାଟି ଭିତରର ପ୍ରକୃତ ଗୁପ୍ତସେବା ଅତ୍ୟନ୍ତ ରହସ୍ୟମୟ ।

ରଥ କଥା - ଅସିତ ମହାନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe