କନକ ବ୍ୟୁରୋ: ରତ୍ନବେଦୀରୁ ଜନ୍ମବେଦୀକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା ଶେଷ ହୋଇଛି। ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଲୀଳାଖେଳା ଶେଷ କରି ଶ୍ରଦ୍ଧାଳୁଙ୍କୁ ସନ୍ଧ୍ୟା ଦର୍ଶନ ଦେବା ପରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ଏହି ବାହୁଡ଼ା ଯାତ୍ରା ପାଇଁ ଭକ୍ତମାନେ ସତୃଷ୍ନ ନୟନରେ ଚାହିଁ ବସିଥିବାବେଳେ ଲୋକଙ୍କ ଭିଡ଼କୁ ଆଖିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଶ୍ରୀମନ୍ଦିର ଚକଡ଼ାରେ ତିନି ରଥ ଲାଗିବା ପରେ ଆସନ୍ତାକାଲି ରଥ ଉପରେ ମହାବାହୁଙ୍କ ସୁନାବେଶ ଓ ଅଧରପଣା ନୀତି ସଂପନ୍ନ ହେବ ଏବଂ ଆସନ୍ତା ୧୫ ତାରିଖରେ ନୀଳାଦ୍ରିବିଜେ ଦିନ ମହାବାହୁ ନୀଳକନ୍ଦରକୁ ବିଜେ କରିବେ।
ହରିଶୟନ ଏକାଦଶୀ ତଥା ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ମଧ୍ୟାହ୍ନ ୧୨ରୁ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୨ଟା ୩୦ ସୁଦ୍ଧା ଶେଷ ହେବ ବୋଲି ନୀତି ଚୂଡ଼ାନ୍ତ ହୋଇଛି। ସେହିଭଳି ରଥଟଣା ପାଇଁ ଅପରାହ୍ନ ୪ଟାରେ ନୀତି ନିର୍ଘଣ୍ଟ କରାଯାଇଛି। ଅବଶ୍ୟ ନୀତି ସଅଳ ହେଲେ ଏହା ପୂର୍ବରୁ ମଧ୍ୟ ରଥଟଣା ଯାଇପାରେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆଜି ସିଂହଦ୍ବାର ଚକଡ଼ାରେ ତିନି ରଥ ଲାଗିବା ପରେ ଆସନ୍ତାକାଲି ଦ୍ବାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କ ବଡ଼ ଚଢ଼ାଉ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ସୁନାବେଶ ପରଦିନ ଅର୍ଥାତ ୧୪ ତାରିଖରେ ଅଧରପଣା ନୀତି ସଂପନ୍ନ ହେବ।
ଗତକାଲି ସଅଳ ସନ୍ଧ୍ୟା ଦର୍ଶନ ସରିବା ପରେ ବଡ଼ସିଂହାର ବେଶ ଓ ଭୋଗ ଲାଗି ହୋଇଥିଲା। ପରେ ପହୁଡ଼ ଆଳତି ଓ ଶ୍ରୀମୁଖ ଖଣ୍ଡୁଆ ନୀତି ହୋଇଥିଲା। ରାତିରେ ବାହୁଟକଣ୍ଟ ହୋଇ ଚାରବନ୍ଧା ହୋଇଛି। ଆଜି ଭୋର ୪ଟାରୁ ମଙ୍ଗଳଆଳତି ହୋଇ ଭୋର ୫ଟା ସୁଦ୍ଧା ଅବକାଶ ଶେଷ ହୋଇଛି। ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ପରେ ସକାଳ ୫ଟା ୩୦ ସୁଦ୍ଧା ବେଶ ଶେଷ ପାଇଁ ନୀତି ନିର୍ଘଣ୍ଟ ହୋଇଛି। ସେହିଭଳି ସକାଳ ୬ଟା୪୫ ସୁଦ୍ଧା ସକାଳ ଧୂପ ଲାଗି, ସକାଳ ୭ରୁ ୧୧ଟା ଭିତରେ ସେନାପଟା ଲାଗି, ମଧ୍ୟାହ୍ନ ୨ଟା୩୦ରୁ ଅପରାହ୍ନ ୩ଟା୩୦ ମଧ୍ୟରେ ଛେରାପହଁରା ହେବ। ପରେ ଚାରମାଳ ଫିଟା ପରେ ଘୋଡ଼ା ଲାଗି ହୋଇ ଅପରାହ୍ନ ୪ଟାରେ ରଥଟଣା ହେବ ବୋଲି ନୀତି ଚୂଡ଼ାନ୍ତ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/Screen-Shot-2019-07-12-at-6.45.16-AM.png)